ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ବସିଲା ସର୍ବଦଳୀୟ ବୈଠକ

ଭୁବନେଶ୍ବର: ଆସନ୍ତାକାଲିଠାରୁ ଆରମ୍ଭ ହେବ ବିଧାନସଭାର ବଜେଟ ଅଧିବେଶନ। ଏହି ଅଧିବେଶନ ଏପ୍ରିଲ ଆଠ ତାରିଖ ପର୍ଯ୍ୟନ୍ତ ଚାଲିବ। ତେବେ ଏହି ଅଧିବେଶନ ଆରମ୍ଭ ପୂର୍ବରୁ ଆଜି ବାଚସ୍ପତି ସୁରମା ପାଢୀ ଏକ ସର୍ବଦଳୀୟ ବୈଠକ ଡାକିଛନ୍ତି। ଏଥିରେ ବିଧାୟକମାନେ କିପରି ଶାନ୍ତି ଶୃଙ୍ଖଳା ଗୃହରେ ବଜାଇ ରଖିବେ ସେ ନେଇ ସମସ୍ତଙ୍କୁ ଅପିଲ କରିଛନ୍ତି। ଏହି ବୈଠକରେ ଖୋଦ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ, ସଂସଦୀୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ, ବିଧାୟକ ଜୟ ନାରାୟଣ ମିଶ୍ର, ବିଜେଡିର ତଥା ବିରୋଧୀ ଦଳର ଉପନେତା ପ୍ରସନ୍ନ ଆଚାର୍ଯ୍ୟ, ବିରୋଧୀ ଦଳର ସଚେତକ ପ୍ରମିଳା ମଲ୍ଲିକ, କଂଗ୍ରେସ ବିଧାୟକ ଦଳର ନେତା ରାମଚନ୍ଦ୍ର କାଡମ ପ୍ରମୁଖ ଯୋଗଦେଇଥିଲେ। ବୈଠକ ପରେ ବାଚସ୍ପତି କହିଛନ୍ତି ଯେ, ବଜେଟ ଉପସ୍ଥାପନ ଯୋଗୁଁ ଏଥର ଅଧିବେଶନ ବେଶ ଗୁରୁତ୍ୱପୂର୍ଣ୍ଣ। ଗୃହ କିପରି ଶାନ୍ତି ଶୃଙ୍ଖଳାରେ ଚାଲିବ ଏହା ଉପରେ ସବୁ ଦଳର ନେତାମାନଙ୍କ ସହ ଆଲୋଚନା କରିଛି। ସମସ୍ତେ ସହଯୋଗ କରିବେ ବୋଲି ପ୍ରତିଶୃତି ଦେଇଛନ୍ତି। ଅନ୍ୟପକ୍ଷରେ ବିଧାନସଭା ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ ବି ସବୁ ଦଳକୁ ଗୃହରେ ଶାନ୍ତି ବଜାୟ ପାଇଁ ଅପିଲ କରିଛନ୍ତି।

Related Articles

Leave a Reply

Your email address will not be published. Required fields are marked *

Back to top button