ସରକାରୀ ଚାକିରୀ ଆବେଦନ ପାଇଁ ବଢିଲା ବୟସ ସୀମା : ଥିଲା ୩୨ ହେଲା ୪୨

ଭୁବନେଶ୍ବର: ଏଣିକି ସରକାରୀ ଚାକିରୀ କରିବା ପାଇଁ ବୟସ ସୀମାକୁ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର। ବୁଧବାରରେ ବସିଥିବା କ୍ୟାବିନେଟ ବୈଠକରେ ଏହି ନିଷ୍ପତି ଗ୍ରହଣ କରାଯାଇଛି। ଫଳରେ ଯେଉଁମାନେ ବୟସ ହୋଇଗଲାଣି ବୋଲି ଆବେଦନ କରିପାରୁ ନ ଥିଲେ, ସେମାନଙ୍କ ପାଇଁ ଏହା ଖୁସି ଖବର। କ୍ୟାବିନେଟ ନିଷ୍ପତି ଅନୁସାରେ ସର୍ବୋଚ୍ଚ ବୟସ ସୀମା ୪୨କୁ ବୃଦ୍ଧି କରାଯାଇଛି । ଯାହାକି ପୂର୍ବରୁ ୩୨ ବର୍ଷ ଥିଲା । ଓଡ଼ିଶା ବେସାମରିକ ସେବା ନିୟମାବଳୀ ୧୯୮୯ର ସଂଶୋଧନ କରିବାକୁ କ୍ୟାବିନେଟରେ ନିଷ୍ପତ୍ତି ହୋଇଛି । ଅର୍ଥାତ ସରକାରୀ ଚାକିରିରେ ବୟସ ସୀମାକୁ ବଢ଼ାଯାଇ ୪୨ ବର୍ଷ କରାଯାଇଛି । ତେବେ ପୁଲିସ, ଜଙ୍ଗଲ, ଅବକାରୀ, ଅଗ୍ନିଶମ ଇତ୍ୟାଦି ୟୁନିଫର୍ମ ସେବା କ୍ଷେତ୍ରରେ ଏହା ଲାଗୁ ହେବ ନାହିଁ । କେବଳ ସେତିକି ନୁହେଁ ଏସସି, ଏସଟି, ପଛୁଆବର୍ଗ, ମହିଳା, ଭିନ୍ନକ୍ଷମ ବ୍ୟକ୍ତି ଓ ଅବସରପ୍ରାପ୍ତ ସୈନିକଙ୍କ କ୍ଷେତ୍ରରେ ସରକାରଙ୍କ ଦ୍ୱାରା ବିଭିନ୍ନ ସମୟରେ ଜାରି ହେଉଥିବା ନିୟମାବଳୀ ଅନୁସାରେ ସର୍ବୋଚ୍ଚ ବୟସସୀମା କୋହଳ ହେବ।