ସରିଲା ବିଜେଡିର ନିର୍ବାଚନ ପ୍ରସ୍ତୁତି ବୈଠକ, ନବୀନ ପଟ୍ଟନାୟକ ପୁରୀରୁ ଛିଡା ହେବା ପାଇଁ ଆସିଲା ପ୍ରସ୍ତାବ

ଭୁବନେଶ୍ବର: ଶେଷ ହୋଇଛି ବିଜେଡିର ନିର୍ବାଚନ ପ୍ରସ୍ତୁତି ବୈଠକ। ଆଜି ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ତଥା ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ବସିଥିଲା। ଏଥିରେ ଆଜି ନବୀନ ପୁରୀ ଲୋକସଭା କ୍ଷେତ୍ରରୁ ତାଙ୍କର ନିର୍ବାଚନ ରଣନୀତି ଆରମ୍ଭ କରିଛନ୍ତି। ଏହି ବୈଠକରେ ପୁରୀ ଲୋକସଭା ଅଧିନସ୍ଥ ବିଧାୟକ ଓ ନେତାମାନେ ଯୋଗ ଦେଇଥିଲେ। ତେବେ ଏହି ବୈଠକରେ ଏକ ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବ ଆସିଥିବାର ଜଣାପଡିଛି। ତାହା ହେଲା ଯେ, ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ପୁରୀ ବିଧାନସଭା କ୍ଷେତ୍ରରୁ ଏଥର ଛିଡା ହୁଅନ୍ତୁ ବୋଲି ବୈଠକରେ ବହୁ ନେତା ପ୍ରସ୍ତାବ ଦେଇଥିଲେ। ତେବେ ଏ ନେଇ ନବୀନ କାହାକୁ କିଛି କହି ନ ଥିଲେ ମଧ୍ୟ ଏହା ଉପରେ ପରେ ବିଚାର କରିବେ ବୋଲି ଜଣାପଡିଛି। ତେବେ ଆଜିର ବୈଠକରେ ପୁରୀ ସଂସଦୀୟ କ୍ଷେତ୍ର ଉପରେ ଆଲୋଚନା ହୋଇଥିଲେ ମଧ୍ୟ ପୁରୀ ସାଂସଦ ପିନାକୀ ମିଶ୍ର ଏଥିରେ ଯୋଗ ଦେଇ ନ ଥିଲେ। ତେବେ ସେ ଏଥର ନିର୍ବାଚନରେ ଛିଡା ହେବେ ନାହିଁ ବୋଲି ପୂର୍ବରୁ ସ୍ପଷ୍ଟ ହୋଇଥିବାରୁ ଏହି ବୈଠକରୁ ସେ ଦୂରେଇ ରହିଥିବାର ଜଣାପଡିଛି। ତେବେ ବିଶେଷ ସୁତ୍ର ଅନୁସାରେ ତାଙ୍କ ପରିବର୍ତ୍ତେ ଦଳ ପୁରୀରୁ ଏଥର ଅରୂପ ପଟ୍ଟନାୟକଙ୍କୁ ପ୍ରାର୍ଥୀ କରିବ ବୋଲି ସ୍ପଷ୍ଟ ହୋଇଛି। ସେଥିପାଇଁ ଏହି ବୈଠକରେ ଅରୂପଙ୍କ ପ୍ରାର୍ଥୀତ୍ବକୁ ନେଇ ଆଲୋଚନା ହୋଇଥିବାର ଜଣାପଡିଛି। ଅନ୍ୟପକ୍ଷରେ ସତ୍ୟବାଦୀକୁ ନେଇ ଉମାକାନ୍ତ ସାମନ୍ତରାୟ ଏବଂ ସଂଜୟ ଦାସବର୍ମା ମଧ୍ୟରେ ଚାଲିଥିବା ଶୀତଳ ଯୁଦ୍ଧ ସଂପର୍କରେ ମଧ୍ୟ ଆଲୋଚନା କରାଯାଇଥିଲା। ଉଭୟଙ୍କ ମଧ୍ୟରେ ଏକ ଆପୋଶ ବୁଝାମଣା ହୋଇଥିବାର ଜଣାପଡିଛି। ଉଭୟ ଆସନ ଅଦଳବଦଳ କରିବେ ବୋଲି ରାଜି ହୋଇଛନ୍ତି। ତେବେ ଆଜିର ବୈଠକରେ ମେଣ୍ଟ ନେଇ କୌଣସି ଆଲୋଚନା ହୋଇ ନ ଥିବା ଜଣାପଡିଛି। ହେଲେ ପୁରୀ ଲୋକସଭା ଆସନରେ ବିଜେଡି ପ୍ରାର୍ଥୀ ଦେବ ବୋଲି ଏହି ବୈଠକରୁ ସ୍ପଷ୍ଟ ହୋଇଛି। ଏହି ବୈଠକରେ ନୟାଗଡ଼ ବିଧାୟକ ଅରୁଣ ସାହୁ, ରଣପୁର ବିଧାୟକ ସତ୍ୟନାରାୟଣ ପ୍ରଧାନ, ସତ୍ୟବାଦୀ ବିଧାୟକ ଉମା ସାମନ୍ତରାୟ, ପିପିଲି ବିଧାୟକ ରୁଦ୍ର ପ୍ରସାଦ ମହାରଥୀ ଉପସ୍ଥିତ ଥିଲେ। ସେହିପରି ପୂର୍ବତନ ବିଧାୟକ ସଂଜୟ ଦାସବର୍ମା ଓ  ରାଜ୍ୟସଭା ସାଂସଦ ଶୁଭାଶିଷ ଖୁଣ୍ଟିିଆ ବୈଠକରେ ଯୋଗଦେଇଥିଲେ। ଏହି ବୈଠକକୁ ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ ପରିଚାଳନା କରିଥିଲେ।

Related Articles

Leave a Reply

Your email address will not be published.

Back to top button