ଶିନ୍ଦେଙ୍କ ପରେ ସୀତାରାମନଙ୍କୁ କଟାକ୍ଷ, ଦ୍ୱିତୀୟ ଥର ସମନ କଲା ମୁମ୍ବାଇ ପୋଲିସ

ମୁମ୍ବାଇ: ବିବାଦରେ ଥିବା ଷ୍ଟାଣ୍ଡ୍‌ଅପ୍‌ କମେଡିଆନ କୁନାଲ କାମ୍‌ରା ବୁଧବାର କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରାମନଙ୍କୁ ଟାର୍ଗେଟ କରି ନିଜର ଏକ ବ୍ୟଙ୍ଗାତ୍ମକ ଗୀତର ଭିଡିଓକୁ ଏକ୍ସ’ରେ ପୋଷ୍ଟ କରିଛନ୍ତି। ୧୯୮୭ ମସିହାର ସୁପରହିଟ ଫିଲ୍ମର ‘ମିଷ୍ଟର ଇଣ୍ଡିଆ’ ପ୍ରସିଦ୍ଧ ଗୀତ ‘ହଓ୍ବା ହଓ୍ବାଇ’ର ତାଳେ ତାଳେ ସେ ମୁଦ୍ରାସ୍ଫୀତି ଓ ଗୁଡ୍ସ ଆଣ୍ଡ୍‌ ସର୍ଭିସ୍‌ ଟାକ୍ସ (ଜିଏସ୍‌ଟି) କୁ ପ୍ରସଙ୍ଗ କରି ନିର୍ମଳାଙ୍କୁ ପରିହାସ କରିଛନ୍ତି। ଗୀତରେ କୁନାଲ ନିର୍ମଳାଙ୍କୁ ଟାର୍ଗେଟ କରି ‘ଶାଢ଼ିବାଲି ଦିଦି’ କହିଛନ୍ତି। ମୁମ୍ବାଇର ହାବିଟାଟ୍‌ ଷ୍ଟୁଡିଓରେ ପ୍ରାୟ ମାସେ ତଳେ କାମ୍‌ରାଙ୍କ ଏହି ଭିଡିଓ ରେକର୍ଡ ହୋଇଥିବା ନେଇ ବିଭିନ୍ନ ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଛି। ତେବେ ଶିନ୍ଦେଙ୍କୁ କାମ୍‌ରାଙ୍କର ବ୍ୟଙ୍ଗ ନେଇ ଶିବସେନା ବିଧାୟକ ମୁର୍ଜି ପଟେଲଙ୍କର ଅଭିଯୋଗ ଆଧାରରେ ରୁଜୁ ହୋଇଥିବା ମାମଲାକୁ କେନ୍ଦ୍ର କରି ମୁମ୍ବାଇ ପୋଲିସ ମଙ୍ଗଳବାର କାମ୍‌ରାଙ୍କୁ ସମନ କରିଥିଲା। ତେବେ ପୋଲିସ ସମ୍ମୁଖରେ ହାଜର ହେବାକୁ କାମ୍‌ରା ସପ୍ତାହେ ସମୟ ମାଗିଥିଲେ। ତେବେ ବୁଧବାର ମୁମ୍ବାଇ ପୋଲିସ କାମ୍‌ରାଙ୍କ ଉକ୍ତ ଅନୁରୋଧକୁ ପ୍ରତ୍ୟାଖ୍ୟାନ କରିବା ସହ ତାଙ୍କୁ ଦ୍ୱିତୀୟ ଥର ପାଇଁ ସମନ କରିଛି। ତେବେ ଯେଉଁ ଭିଡିଓରେ କୁନାଲ ଶିନ୍ଦେଙ୍କୁ ଟାର୍ଗେଟ କରିଥିଲେ। ଉକ୍ତ ଭିଡିଓ ପାଇଁ ତାଙ୍କୁ କପିରାଇଟ ଉଲ୍ଲଂଘନର ନୋଟିସ ମିଳିଛି। ମ୍ୟୁଜିକ୍‌ କମ୍ପାନୀ ଟି-ସିରିଜ୍‌ ପକ୍ଷରୁ ୟୁଟ୍ୟୁବ୍‌ ନିକଟରେ ଉକ୍ତ ଭିଡିଓକୁ ରିପୋର୍ଟ କରାଯାଇଛି। ଏନେଇ କୁନାଲ ଏକ୍ସ’ରେ ଟି-ସିରିଜ୍‌କୁ ଟ୍ୟାଗ୍‌ କରି ଅସନ୍ତୋଷ ପ୍ରକାଶ କରିଛନ୍ତି।

Related Articles

Leave a Reply

Your email address will not be published. Required fields are marked *

Back to top button