ଯାତ୍ରୀ ଉଦ୍ଧାର କାର୍ଯ୍ୟର ସମୀକ୍ଷା କଲେ ନବୀନ, ଯିବେ ବାଲେଶ୍ବର

ଭୁବନେଶ୍ୱର: ବାଲେଶ୍ବର ନିକଟରେ ହୋଇଥିବା ଦୁଃଖଦ ଟ୍ରେନ୍ ଦୁର୍ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଗଭୀର ଉଦବେଗ ପ୍ରକାଶ କରିଛନ୍ତି। ଆହତ ଯାତ୍ରୀଙ୍କ ଜୀବନ ରକ୍ଷା କରିବା ବର୍ତ୍ତମାନ ସରକାରଙ୍କ ପ୍ରାଥମିକତା ବୋଲି ସେ କହିଛନ୍ତି। ମୁଖ୍ୟମନ୍ତ୍ରୀ ସନ୍ଧ୍ୟାରେ ଏସଆରସି କାର୍ଯ୍ୟାଳୟ ପରିଦର୍ଶନ କରି ପରିସ୍ଥିତିର ଅନୁଧ୍ୟାନ କରିଥିଲେ। ଗଣମାଧ୍ୟମ ସହ କଥାବାର୍ତ୍ତା କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଆହତ ଲୋକଙ୍କୁ ଡାକ୍ତରଖାନା ନେବା ଏବଂ ସେମାନଙ୍କ ଜୀବନ ରକ୍ଷା କରିବା ଆମର ପ୍ରଥମ ପ୍ରାଥମିକତା। ସେ ନେଇ ସମସ୍ତ ପଦକ୍ଷେପ ନେବା ପାଇଁ କୁହାଯାଇଛି। ଆଜି ସଂଧ୍ୟାରେ ମୁଖ୍ୟମନ୍ତ୍ରୀ ଏସଆରସି କଣ୍ଟ୍ରୋଲ ରୁମ ଆସି ଉଦ୍ଧାର କାର୍ଯ୍ୟର ସମୀକ୍ଷା କରିଥିଲେ। ଆସନ୍ତାକାଲି ସକାଳେ ସେ ଦୁର୍ଘଟଣା ସ୍ଥଳ ପରିଦର୍ଶନ କରି ଘଟଣାସ୍ଥଳରେ ମଧ୍ୟ ସମୀକ୍ଷା କରିବେ। ଉଦ୍ଧାର କାର୍ଯ୍ୟକୁ ତଦାରଖ କରିବା ଏବଂ ତ୍ୱରାନ୍ୱିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ପୂର୍ବରୁ ରାଜସ୍ୱ ମନ୍ତ୍ରୀ ଏବଂ ବରିଷ୍ଠ ଅଧିକାରୀଙ୍କ ଏକ ଦଳକୁ ଘଟଣାସ୍ଥଳକୁ ପଠାଇଛନ୍ତି। ଆଜିର ଏହି ସମୀକ୍ଷା ବୈଠକରେ ଉନ୍ନୟନ କମିଶନର ଅନୁ ଗର୍ଗ, ସିଏମ୍ (୫-ଟି) ସଚିବ ଭି. କେ. ପାଣ୍ଡିଆନ୍, ସୂଚନା ଓ ଲୋକସମ୍ପର୍କ ସଚିବ ସଞ୍ଜୟ ସିଂ, ପରିବହନ ସଚିବ ଉଷା ପାଢୀ ପ୍ରମୁଖ ଉପସ୍ଥିତ ଥିଲେ।

Related Articles

Leave a Reply

Your email address will not be published.

Back to top button