ଟିକସ ହସ୍ତାନ୍ତରର ଅଗ୍ରୀମ କିସ୍ତି: ଓଡ଼ିଶାକୁ ମିଳିଲା ୪୬୦୧ କୋଟି

ଭୁବନେଶ୍ୱର:ଭାରତ ସରକାର ଟିକସ ହସ୍ତାନ୍ତରର ଏକ ଅଗ୍ରୀମ କିସ୍ତି ଭାବେ ଓଡ଼ିଶା ସରକାରକୁ ୪୬୦୧ କୋଟି ଟଙ୍କା ଦେଇଛନ୍ତି। ହେଲେ ଏହି ତାଲିକାରେ ସର୍ବାଗ୍ରେ ଥିବା ଉତ୍ତରପ୍ରଦେଶକୁ ୧୮,୨୨୭ କୋଟି ମିଳିଥିବାବେଳେ ଗୋଆକୁ ସର୍ବନିମ୍ନ ୩୯୨ କୋଟି ଟଙ୍କା ମିଳିଛି। ତେବେ ରାଜ୍ୟ ସରକାରଙ୍କୁ ସର୍ବମୋଟ୍ ୧,୦୧,୬୦୩ କୋଟି ଟଙ୍କାର ଟିକସ ହସ୍ତାନ୍ତର କରିଛନ୍ତି। ଏଥିପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏକ୍ସ ଜରିଆରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମରଣଙ୍କୁ ଆନ୍ତରିକ କୃତଜ୍ଞତା ଜଣାଇଛନ୍ତି। କେନ୍ଦ୍ର ସରକାର ୧ ଅକ୍ଟୋବର ୨୦୨୫ରେ ରାଜ୍ୟ ସରକାରଙ୍କୁ କରିଥିବା ଅତିରିକ୍ତ ଟିକସ ହସ୍ତାନ୍ତର ତାଲିକା ଜାରି କରିଛନ୍ତି। ତାଲିକାରେ ୨୮ଟି ରାଜ୍ୟକୁ ଟିକସ ହସ୍ତାନ୍ତରର ଏକ ଅଗ୍ରୀମ କିସ୍ତି ପ୍ରଦାନ କରିଥିବା ଦର୍ଶାଯାଇଛି। ଉତ୍ତରପ୍ରଦେଶ ପରେ ଦ୍ୱିତୀୟରେ ବିହାରକୁ ୧୦,୨୧୯ କୋଟି, ମଧ୍ୟପ୍ରଦେଶକୁ ୭୯୭୬ କୋଟି, ପଶ୍ଚିମବଙ୍ଗକୁ ୭୬୪୪ କୋଟି, ମହାରାଷ୍ଟ୍ରକୁ ୬୪୧୮ କୋଟି ଓ ରାଜସ୍ଥାନକୁ ୬୧୨୩ କୋଟି ଟଙ୍କା ପ୍ରଦାନ କରାଯାଇଛି। ସେହିପରି ଅନ୍ଧ୍ରପ୍ରଦେଶକୁ ୪୧୧୨ କୋଟି, ଆସାମକୁ ୩୧୭୮ କୋଟି, ଛତିଶଗଡ଼କୁ ୩୪୬୨ କୋଟି, ଗୁଜୁରାଟକୁ ୩୫୩୪ କୋଟି, ଝାଡ଼ଖଣ୍ଡକୁ ୩୩୬୦ କୋଟି, କର୍ଣ୍ଣାଟକକୁ ୩୭୦୫ କୋଟି, ତାମିଲନାଡ଼ୁକୁ ୪୧୪୪ କୋଟି ଓ ତେଲେଙ୍ଗନା ଓ ପଞ୍ଜାବକୁ ୧୮୩୬ କୋଟି ଓ ୨୧୩୬ କୋଟି, ଉତ୍ତରାଖଣ୍ଡକୁ୧୧୩୬ କୋଟି ଟଙ୍କା ପ୍ରଦାନ କରାଯାଇଛି। ଏହି ଅର୍ଥ ରାଜ୍ୟଗୁଡ଼ିକୁ ପୁଞ୍ଜି ଖର୍ଚ୍ଚକୁ ତ୍ୱରାନ୍ୱିତ କରିବା ଏବଂ ସେମାନଙ୍କ ବିକାଶ ଓ କଲ୍ୟାଣ ସମ୍ବନ୍ଧୀୟ ଖର୍ଚ୍ଚ ପାଇଁ ଉଦ୍ଦିଷ୍ଟ। ଓଡ଼ିଶାକୁ ଟିକସ ପ୍ରାପ୍ତିର ଅଗ୍ରିମ କିସ୍ତି ଭାବରେ ୪,୬୦୧ କୋଟି ପ୍ରଦାନ କରାଯ।।ଇଥିବାରୁ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଖୁସି ଜାହିର କରିଛନ୍ତି। ସେ କହିଛନ୍ତି ଯେ, ସମୟୋଚିତ ପଦକ୍ଷେପ ସ୍ୱାଗତଯୋଗ୍ୟ। ଏହାଦ୍ୱାରା କେନ୍ଦ୍ର-ରାଜ୍ୟ ସହଯୋଗରେ ବିକାଶ ଓ କଲ୍ୟାଣକାରୀ ପଦକ୍ଷେପଗୁଡ଼ିକୁ ତ୍ୱରାନ୍ୱିତ ସମ୍ଭବ ହେବ। ରାଜ୍ୟର କ୍ଷମତାକୁ ବି ଉଲ୍ଲେଖନୀୟ ଭାବରେ ବୃଦ୍ଧି କରିବ। ଓଡ଼ିଶା ସରକାର ଏହି ପାଣ୍ଠିକୁ ଦକ୍ଷତାର ସହିତ ଓ ସ୍ୱଚ୍ଛ ଭାବରେ ବ୍ୟବହାର କରିବାକୁ ପ୍ରତିଶ୍ରୁତିବଦ୍ଧ। ଏହା କେବଳ ଦେଶର ପ୍ରଗତିରେ ସହାୟକ ହେବନାହିଁ, ରାଜ୍ୟର ଲୋକଙ୍କ ହୀତରେ ଲାଭଦାୟକ ହେବ ବୋଲି ମୁଖ୍ୟମନ୍ତ୍ରୀ ଦୃଢ଼ତାର ସହ ପ୍ରକାଶ କରିଛନ୍ତି।