ବିଶ୍ବ ପ୍ରସିଦ୍ଧ ରଥଯାତ୍ରାକୁ ଶୃଙ୍ଖଳିତ କରିବା ପାଇଁ ପ୍ରଶାସନ ପକ୍ଷରୁ ରଥଟଣାର ମକ୍ଡ୍ରିଲ୍

ଭୁବନେଶ୍ବର: ଆସନ୍ତାକାଲି ପୁରୀରେ ଅନୁଷ୍ଠିତ ହେବାକୁ ଯାଉଛି ବିଶ୍ବ ପ୍ରସିଦ୍ଧ ରଥଯାତ୍ରା। ଏହି ଯାତ୍ରାରେ ଦେଶ ଓ ଦେଶ ବାହାରୁ ସାମିଲ ହେବେ ଅଗଣିତ ଭକ୍ତ ଓ ଶ୍ରଦ୍ଧାଳୁ। ଚଳିତ ବର୍ଷ ରଥଯାତ୍ରାରେ ପ୍ରବଳ ଜନସମାଗମକୁ ଦୃଷ୍ଟିରେ ରଖି ପୁଲିସ ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ରଥ ଟଣାକୁ ଶୃଙ୍ଖଳିତ କରିବା ପାଇଁ ପ୍ରଶାସନ ପକ୍ଷରୁ ପୁରୀ ରିଜର୍ଭ ପୁଲିସ ଲାଇନ ପଡିଆରେ ରଥଟଣାର ମକ୍ଡ୍ରିଲ୍ କରାଯାଇଥିଲା। ରଥଟଣା ବେଳେ ଇନର ଓ ଆଉଟଡୋର କର୍ଡନ କିପରି ରହିବ ଏବଂ ସେଥିରେ ନିୟୋଜିତ ମାଜିଷ୍ଟ୍ରେଟମାନଙ୍କ ଦ୍ବାରା ରଥଟଣାକୁ କିପରି ନିୟନ୍ତ୍ରଣ କରାଯିବ, ସେଥିନେଇ ପ୍ରଶିକ୍ଷଣ ଦିଆଯାଇଥିଲା। ପ୍ରତିକାତ୍ମକ ଭାବେ ୩ଟି ଜିପ୍କୁ ପୁଲିସବାହିନୀ ଟାଣିବା ସହ ବିଗୁଲ ଓ ପତାକାର ନିର୍ଦ୍ଦେଶରେ ରଥଟଣା ଅଭ୍ୟାସ କରାଯାଇଥିଲା। ଏହି ଅଭ୍ୟାସରେ ମାଜିଷ୍ଟ୍ରେଟଙ୍କ ସମେତ ବରିଷ୍ଠ ପୁଲିସ ଅଧିକାରୀ, ବିଏସ୍ଏଫ୍ ଏବଂ ଆରଏଏଫ୍ର ଯବାନ ଓ ଅଧିକାରୀ ତଥା କର୍ମଚାରୀମାନେ ସାମିଲ ହୋଇଥିଲେ। ରଥଟଣା ବେଳେ ଯେପରି କୌଣସି ସମସ୍ୟା ନ ଉପୁଜେ ସେଥିନେଇ ଆଜିର ମକଡ୍ରିଲ୍ରେ ସମସ୍ତଙ୍କୁ ଅବଗତ କରାଯାଇଥିଲା।