ଓଡ଼ିଶା ରାଜଭବନରେ ସ୍ଥାପିତ ହେଲା ସୁଉଚ୍ଚ ଜାତୀୟ ପତାକା ସ୍ତମ୍ଭ

ଭୁବନେଶ୍ୱର: ରାଜଭବନ ଇତିହାସରେ ଆଜି ଥିଲା ଏକ ଗୌରବମୟ କ୍ଷଣ। ଅତୀତରେ ଅନେକ ଐତିହାସିକ ଘଟଣାର ମୁଖ୍ୟକେନ୍ଦ୍ର ଏହି ରାଜଭବନ। ରାଜଭବନ ପରିସରରେ ଏକ ସୁଉଚ୍ଚ ଜାତୀୟ ପତାକାସ୍ତମ୍ଭ ସ୍ଥାପନା ଥିଲା, ଆଉ ଏକ ସ୍ମରଣୀୟା ଘଟଣା ଓ ଇତିହାସ ପୃଷ୍ଠାରେ ଯୋଡ଼ି ହୋଇଯାଇଛି ଏକ ନୂତନ ପୃଷ୍ଠା ଏବଂ ଭବିଷ୍ୟତ ପୀଢ଼ିକୁ ସ୍ମରଣ କରାଇବ ଏହାର ଗୌରବମୟ ଇତିହାସ। ସମଗ୍ର ବାତାବରଣ ଥିଲା ନିଆରା ଓ ଉପସ୍ଥିତ ସମସ୍ତଙ୍କ ମଧ୍ୟରେ ପରିଲକ୍ଷିତ ହୋଇଥିଲା ଅଫୁରନ୍ତ ଆନନ୍ଦ। ଏହିପରି ଏକ ମନୋଜ୍ଞ ପରିବେଶ ମଧ୍ୟରେ ଆଜି ପୂର୍ବାହ୍ନରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଗରିମାମୟ ଉପସ୍ଥିତରେ ରାଜଭବନଠାରେ ଏକ ସୁଉଚ୍ଚ ଜାତୀୟ ପତାକାସ୍ତମ୍ଭର ସଂସ୍ଥାପନା ଅନୁଷ୍ଠିତ ହୋଇଯାଇଛି। ଉଭୟ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ ବଟନ୍ ଦବାଇବା ପରେ ପୋଲିସ୍ ବ୍ୟାଣ୍ଡର ଧୁନ୍‌ରେ  20′x30′ ଜାତୀୟ ପତାକା ସ୍ତମ୍ଭର ଉଚ୍ଚକୁ ଉଠିଥିଲା ଓ ଏହାର ଉତ୍ତୋଳନ ପରେ ପୋଲିସ୍ ବ୍ୟଣ୍ଡ ଜାତୀୟ ସଂଗୀତ ପରିବେଷଣ କରିଥିଲେ। ଏହାପରେ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ ପତାକାସ୍ତମ୍ଭ ସ୍ଥାପନାର ଉଦ୍‌ଘାଟନ ଫଳକକୁ ଉନ୍ମୋଚନ କରିଥିଲେ। ୩୨ମିଟର ଦୀର୍ଘ ସ୍ତମ୍ଭର ଉଭୟ ପାଶ୍ୱର୍ରେ ଥିବା ଫଳକରେ ଓଡ଼ିଆ ଓ ଇଂରାଜୀ ଭାଷାରେ ଏହି ତ୍ରିରଙ୍ଗା ଧ୍ୱଜା ଓଡ଼ିଶାର ସ୍ୱାଧୀନତା ସଂଗ୍ରାମୀଙ୍କ ଅଦ୍ୟମ ସାହସ ଓ ସର୍ବୋଚ୍ଚ ବଳିଦାନର ଅମ୍ଲାନ ସ୍ମୃତି ଉଦ୍ଦେଶ୍ୟରେ ସମର୍ପିତ ବୋଲି ଉଲ୍ଲେଖ ରହିଛି। ଏହି ସଂକ୍ଷିପ୍ତ କାର୍ଯ୍ୟକ୍ରମରେ ନିମନ୍ତ୍ରିତ ଅତିଥିଙ୍କ ମଧ୍ୟରେ ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟ ପରାମର୍ଶଦାତା ଆର୍‌. ବାଲକ୍ରିଷ୍ଣନ, ମୁଖ୍ୟ ସଚିବ ପ୍ରଦୀପ କୁମାର ଜେନା, ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ସଚିବ ଅନୁ ଗର୍ଗ, ରାଜ୍ୟପାଳଙ୍କ ପ୍ରମୁଖ ସଚିବ ଶାଶ୍ୱତ ମିଶ୍ର, ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ସୁନୀଲ କୁମାର ବଂଶଲ୍‌, ପୋଲିସ୍ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ପ୍ରମୁଖ ଉପସ୍ଥିତ ଥିଲେ। ଏତଦ୍‌ବ୍ୟତୀତ ରାଜଭବନର ସମସ୍ତ ଅଧିକାରୀ ଓ କର୍ମଚାରୀ ସେମାନଙ୍କ ପରିବାରର ସଦସ୍ୟମାନେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।

Related Articles

Leave a Reply

Your email address will not be published. Required fields are marked *

Back to top button