ଅଦା ଓ ହଳଦୀ ଚାଷରେ ମିଳୁଛି ହେକ୍ଟର ପିଛା ୨ ଲକ୍ଷ ୪୦ ହଜାର ଟଙ୍କାର ରିହାତି

ଭୁବନେଶ୍ୱର: ଆମ ରାଜ୍ୟର ଲୋକମାନଙ୍କର ରୋଷେଇଘରେ ଅଦା ଓ ହଳଦୀ ଏକ ନିତ୍ୟ ଆବଶ୍ୟକ ମସଲା ଭାବରେ ବହୁଳ ମାତ୍ରାରେ ବ୍ୟବହାର ହୋଇଥାଏ। ରାଜ୍ୟର ଘରୋଇ ଚାହିଦାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ନିଜସ୍ୱ ଯୋଜନାରେ ଅଦା ଓ ହଳଦୀ ଚାଷକୁ ବ୍ୟାପକ ଓ ବ୍ୟବସ୍ଥିତ କରିବା ପାଇଁ ପ୍ରଚଳିତ ମାର୍ଗଦର୍ଶିକାରେ ପରିବର୍ତ୍ତନ ଆଣିଛନ୍ତି। ରାଜ୍ୟରେ ଅଦା ଓ ହଳଦୀ ଚାଷକୁ ପ୍ରୋତ୍ସାହିତ କରି ଉତ୍ପାଦନ ବୃଦ୍ଧି କରିବା ଲକ୍ଷ୍ୟରେ କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣିସଂପଦ ବିକାଶ ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ନିର୍ଦ୍ଦେଶକ୍ରମେ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଅନ୍ତର୍ଗତ ଉଦ୍ୟାନକୃଷି ପକ୍ଷରୁ ପ୍ରଚଳିତ ‘ଆଳୁ, ପନିପରିବା ଓ ମସଲା ଚାଷ ଯୋଜନା ୨୦୨୨-୨୩’ରେ ସଂଶୋଧନ ଅଣାଯାଇ ରାଜ୍ୟରେ ଅଦା ଓ ହଳଦୀ ଚାଷ ପାଇଁ ବିଶେଷ ସରକାରୀ ରିହାତି ପ୍ରଦାନର ବ୍ୟବସ୍ଥା କରାଯାଇଛି। ନୂତନ ମାର୍ଗଦର୍ଶିକା ଫଳରେ ରାଜ୍ୟରେ ଅଦା ଓ ହଳଦୀ ଚାଷ ଏକ ନୂତନ ଶିଖର ଛୁଇଁବା ସହ ରାଜ୍ୟର କ୍ଷୁଦ୍ର ଓ ନାମମାତ୍ର ଚାଷୀମାନେ ବହୁଳ ଭାବରେ ଉପକୃତ ହେବେ ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ ଆଶାବ୍ୟକ୍ତ କରିଛନ୍ତି। ପୂର୍ବ ମାର୍ଗଦର୍ଶିକାରେ ପରିବର୍ତ୍ତନ ଅଣାଯାଇ ରାଜ୍ୟରେ ଅଦାର ଚାହିଦା ଓ ଚାଷ ଖର୍ଚ୍ଚକୁ ଆଖି ଆଗରେ ରଖି ଚଳିତ ବର୍ଷ ଅଦା ଚାଷ କରିବାକୁ ନିଷ୍ପତ୍ତି ନିଆଯାଇଛି। ଏକ ହେକ୍ଟର ଅଦା ଚାଷ ପ୍ରତି ପୂର୍ବରୁ ଥିବା ରିହାତି ବ୍ୟବସ୍ଥାକୁ ପରିବର୍ତ୍ତନ କରାଯାଇଛି। ନୂତନ ବ୍ୟବସ୍ଥାରେ ହେକ୍ଟର ପିଛା ବିହନ ବାବଦକୁ ଖର୍ଚ୍ଚ ୨ ଲକ୍ଷ ୨୫ ହଜାର ଟଙ୍କା ସହ ଆନୁଷଙ୍ଗିକ ଖର୍ଚ୍ଚ ଯଥା – ବିହନ ବିଶୋଧନ, ସାର ଓ ଜୈବିକ ସାର ଏବଂ ରୋଗପୋକ ନିୟନ୍ତ୍ରଣ ଇତ୍ୟାଦି ଖର୍ଚ୍ଚ ବାବଦକୁ ୧୫ ହଜାର ଟଙ୍କା ରିହାତି ପ୍ରଦାନ କରାଯିବ। ଏହିପରି ଅଦାଚାଷ ପାଇଁ ସର୍ବମୋଟ ହେକଫର ପ୍ରତି ୨ଲକ୍ଷ ୪୦ ହଜାର ଟଙ୍କାର ସରକାରୀ ରିହାତିର ବ୍ୟବସ୍ଥା କରାଯାଇଛି। ଜଣେ ଚାଷୀ ସର୍ବାଧିକ ୧ ହେକ୍ଟର ଚାଷ ପାଇଁ ସରକାରୀ ରିହାତିର ସୁବିଧା ଉପଲବ୍ଧ କରିପାରିବେ । ସେହିପରି ୧ ହେକ୍ଟର ହଳଦୀ ଚାଷ ନିମନ୍ତେ ମୋଟ ଚାଷ ଖର୍ଚ୍ଚ ୩,୬୮,୨୯୭ ଟଙ୍କାର ଶତକଡା ୪୦ଭାଗ ହିସାବରେ ୧,୪୭,୩୧୮ ଟଙ୍କା ସରକାରୀ ରିହାତି ପ୍ରଦାନ କରିବାର ନୂତନ ମାର୍ଗଦର୍ଶିକାରେ ବ୍ୟବସ୍ଥା କରାଯାଇଛି। ନୂତନ ମାର୍ଗଦର୍ଶିକାକୁ ନିର୍ଦ୍ଧାରିତ ଜିଲ୍ଲାର ଉଦ୍ୟାନକୃଷି ଉପନିର୍ଦ୍ଦେଶକମାନଙ୍କୁ ପ୍ରେରଣ କରାଯାଇ ଯଥାଶୀଘ୍ର ଅଦା ଓ ହଳଦୀ ଚାଷକୁ ବ୍ୟାପକ ଓ ସୁବ୍ୟବସ୍ଥିତ କରିବା ପାଇଁ ମାନ୍ୟବର ମନ୍ତ୍ରୀ ଶ୍ରୀ ସ୍ୱାଇଁ ନିର୍ଦେଶ ଦେଇଛନ୍ତି।

Related Articles

Leave a Reply

Your email address will not be published.

Back to top button