ବ୍ୟଞ୍ଜନ ଦ୍ଵାଦଶୀରେ ପ୍ରଭୃ କୃଷ୍ଣଙ୍କୁ ବାଢିଦିଆଗଲା ୮୭୫ ପ୍ରକାରର ଭୋଗ

ଭୁବନେଶ୍ବର: ପବିତ୍ର ମାର୍ଗଶୀର ମାସ ଶୁକ୍ଳପକ୍ଷ ଦ୍ୱାଦଶୀ ତିଥିକୁ କୁହାଯାଏ ବ୍ୟଞ୍ଜନ ଦ୍ଵାଦଶୀ। ହିନ୍ଦୁ ଶାସ୍ତ୍ରରେ ଏହି ଦିନର ସ୍ବତନ୍ତ୍ର ମହିମା ରହିଥିବା ବେଳେ ଏହାକୁ ଅଖଣ୍ଡ ଦ୍ୱାଦଶୀ ମଧ୍ୟ କୁହାଯାଏ। ଏହି ଦିନ ଠାକୁରଙ୍କୁ ସର୍ବାଧିକ ଭୋଗ ବଢାଯାଇ ପୂଜା କରାଯାଇଥାଏ। ଏହିପରି ଭାବେ ପୁରୀର ଗୌରବିହାର ଆଶ୍ରମରେ ଶ୍ରୀକୃଷ୍ଣଙ୍କୁ ୮୭୫ ପ୍ରକାରର ଭୋଗରେ ପୂଜା କରାଯାଇଛି। ଗତକାଲି ବ୍ୟଞ୍ଜନ ଦ୍ବାଦଶୀ ଉପଲକ୍ଷେ ଆଶ୍ରମରେ ବିଭିନ୍ନ ପ୍ରକାରର ପିଠା ମିଠା, ଅନ୍ନ, ଶାଗ ମୁଗ, ରସା, ପାମ୍ପଡ, ରାଇତା, ଚଟଣୀ, କ୍ଷୀରି ଆଦି ସୁସ୍ୱାଦୁ ଭୋଗ ପୂଜା କରାଯାଇଛି। ପୁରୀରେ ଅବସ୍ଥିତ ଗୌଡିୟ ସମ୍ପ୍ରଦାୟର ଗୌର ବିହାର ଆଶ୍ରମରେ ମଙ୍ଗଳବାର ଦିନ ମାର୍ଗଶୀର ଶୁକ୍ଲ ଦ୍ଵାଦଶୀର ପବିତ୍ର ତିଥିରେ କୃଷ୍ଣ  ସମର୍ପିତ ନାନାଦି ବ୍ୟଞ୍ଜନ କୁ ସେବନ କରିବାକୁ ଭିଡ ଲାଗିଥିଲା । ପୂର୍ବଦିନ ଠାରୁ ପ୍ରସ୍ତୁତି ଆରମ୍ଭ ହେଉଥିବା ବେଳେ ପ୍ରାୟ ଏକ ଶହରୁ ଉର୍ଦ୍ଧ୍ବ ମହିଳା ପ୍ରସାଦ ପ୍ରସ୍ତୁତିରେ ସାମିଲ ହୋଇଥିଲେ। ପ୍ରତ୍ୟେକ ବର୍ଷ ଏହି ଦିନ ଭଳିକି ଭଳି ବ୍ୟଞ୍ଜନ ପ୍ରସ୍ତୁତ ହେଉଥିବା ବେଳେ ଚଳିତ ଥର ମଧ୍ୟ 875 ପ୍ରକାର ବ୍ୟଞ୍ଜନରେ ଆପ୍ୟାୟିତ ହୋଇଥିଲେ ପ୍ରଭୃ। ଏହାପରେ ସ୍ୱତନ୍ତ୍ର ଖଲିପତ୍ରରେ ବ୍ୟଞ୍ଜନ ସବୁକୁ ଭକ୍ତମାନଙ୍କୁ ପରସା ଯାଇଥିଲା।  ଭକ୍ତମାନେ ଏତେପ୍ରକାରର ପ୍ରସାଦ ସେବନ କରିବାର ସୌଭାଗ୍ୟ ପାଇଥିବାରୁ ନିଜକୁ ଧନ୍ୟମନେ କରିଥିଲେ । ପୁରାଣରେ ଅଛି ବାତ୍ସଲ୍ୟ ମମତାରେ ପଡି ଶ୍ରୀକୃଷ୍ଣ ଦୁର୍ବଳ ହୋଇଥିବାର ଅନୁଭବ କରିଥିଲେ ମା ଯଶୋଦା । ନଖାଇ ନପିଇ ପୁଅର ସ୍ବାସ୍ଥ୍ୟ ଏମିତି ହୋଇଥିବା ଅନୁମାନ କରିଥିଲେ ମା। ତେଣୁ ସେଥିପାଇଁ ନିଜ ହାତରେ ନାନାଦି ସୁସ୍ୱାଦୁ ଖାଦ୍ୟ ରାନ୍ଧି କୋଳରେ ବସାଇ ଶ୍ରୀକୃଷ୍ଣଙ୍କୁ ଭୁଞ୍ଜାଇ ଦେଇଥିଲେ। ଯଶୋମତି ଏବଂ ସେହି ବାତ୍ସଲ୍ୟ ମମତାର ସ୍ମୃତି ହେଉଛି ଏହି ପବିତ୍ର ବ୍ୟଞ୍ଜନ ଦ୍ଵାଦଶୀ ତିଥି । ସେହିପରି ଅନ୍ୟ ଏକ କଥା ରହିଛି ଯେ ଗୋଚରଣ ବେଳେ  ଶ୍ରୀକୃଷ୍ଣଙ୍କୁ ଭୋକ ଲାଗିଥିଲା, ଯାହାକୁ ଦିବ୍ୟ ଚକ୍ଷୁରେ ଦେଖି ପାରିଥିଲେ ରାଧାରାଣୀ ଓ ପରେ ଶ୍ରୀକୃଷ୍ଣଙ୍କ ପାଇଁ ପ୍ରସ୍ତୁତ କରିଥିଲେ ନାନାଦି ବ୍ୟଞ୍ଜନ। ତେଣୁ ଏଭଳି ଏକ ସ୍ମୃତିକୁ ଆଜି ବି ଅନେକ ଗୌଡିୟ ସମ୍ପ୍ରଦାୟ ଅନୁଗମନ କରି ଆସିଛନ୍ତି ଓ ପୁରୀ ଗୌରବିହାର ଆଶ୍ରମ ହେଉଛି ଏହାର ଏକ ବଳିଷ୍ଠ ଉଦାହରଣ।

Related Articles

Leave a Reply

Your email address will not be published. Required fields are marked *

Back to top button