ସଂସଦରେ ସୁରକ୍ଷା ଭଙ୍ଗ ଘଟଣାରେ ୮ ନିଲମ୍ବିତ

ନୂଆଦିଲ୍ଲୀ: ସଂସଦ ଭବନରେ ସୁରକ୍ଷା ଭଙ୍ଗ ଘଟଣାରେ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ସଂସଦ ସୁରକ୍ଷା ଦାୟିତ୍ୱରେ ଥିବା ୮ ଜଣ କର୍ମଚାରୀଙ୍କୁ ନିଲମ୍ବିତ କରାଯାଇଛି । ଲୋକସଭା ସେକ୍ରେଟାରିଏଟ ପକ୍ଷରୁ ସମ୍ପୃକ୍ତ ୮ କର୍ମଚାରୀଙ୍କୁ ନିଲମ୍ବିତ କରାଯାଇଛି । ଗତକାଲି ସଂସଦର ସୁରକ୍ଷାରେ ସାଂଘାତିକ ତ୍ରୁଟି ଦେଖା ଯାଇଥିଲା। ଦୁଇ ଜଣ ଯୁବକ ଲୋକସଭା କାର୍ୟ୍ୟ ଚାଲିଥିବା ବେଳେ ଗୃହର ମଧ୍ୟ ଭାଗକୁ ଡେଇଁ ବେଶ କିଛି ସମୟ ହଙ୍ଗାମା କରିଥିଲେ। ସେମାନେ ଲୋକସଭାରେ ହଳଦିଆ ରଙ୍ଗର ଧୂଆଁ ମାଡ଼ କରିଥିଲେ। ଫଳରେ ପୂରା ଲୋକସଭା ଧୂଆଁ ମୟ ହୋଇଯାଇଥିଲା। ସଂସଦର ସୁରକ୍ଷା ବ୍ୟବସ୍ଥାରେ ଏପରି ସାଂଘାତିକ ତ୍ରୁଟି ପରେ ଭିଜଟରଙ୍କ ପାଇଁ ସଂସଦ କମ୍ପ୍ଲେକ୍ସକୁ ବନ୍ଦ କରି ଦିଆଯାଇଛି। ଏହାର ଅର୍ଥ କୌଣସି ବାହାର ଲୋକଙ୍କୁ ସଂସଦରେ ପ୍ରବେଶ କରିବା ପାଇଁ ଏବେ ଆଉ ପାସ୍ ମିଳିବ ନାହିଁ। ଏଥିସହ ସଂସଦର ସୁରକ୍ଷା ନିୟମରେ ଏକାଧିକ ପରିବର୍ତ୍ତନ କରାଯାଇଛି। ଗତକାଲି ଅଧିବେଶନ ଚାଲିଥିବା ସମୟରେ ସାଗର ଶର୍ମା ଏବଂ ତାଙ୍କର ଜଣେ ସହଯୋଗୀ ମନୋରଞ୍ଜନ ଡି ସଂସଦ ଭବନକୁ ଅନୁପ୍ରବେଶ କରିଥିଲେ। ଦୁହେଁ ଭ୍ରମଣକାରୀ ଗ୍ୟାଲେରୀରୁ ହଠାତ୍ ସଂସଦଙ୍କ ଚାମ୍ବରକୁ ଡେଇଁ ପଡିଥିଲେ। ଗୃହ ଭିତରେ ସାଂସଦମାନେ ସେମାନଙ୍କୁ ଧରିବା ପୂର୍ବରୁ ହଳଦିଆ ରଙ୍ଗର ଗ୍ୟାସ ସ୍ପ୍ରେ କରିବାରେ ସଫଳ ହୋଇଥିଲେ। ଅନ୍ୟ କିଛି ଯୁବକ ମଧ୍ୟ ସଂସଦ ବାହାରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଗ୍ୟାସ୍ ସ୍ପ୍ରେ କରିଥିଲେ। ଏହି ଘଟଣାରେ ୬ ଜଣଙ୍କ ସମ୍ପୃକ୍ତି ଥିବା ପୁଲିସ କହୁଛି। ବର୍ତ୍ତମାନ ସୁଦ୍ଧା ଜଣେ ମହିଳାଙ୍କ ସମେତ ୫ ଜଣ ଅଭିଯୁକ୍ତ ଗିରଫ ହୋଇଛନ୍ତି। ଅନ୍ୟ ଜଣଙ୍କୁ ଖୋଜାଖୋଜି କରୁଛି ପୁଲିସ।