ହିନ୍ଦୀ ସାହିତ୍ୟିକ ବିନୋଦ ଶୁକ୍ଳାଙ୍କୁ ୫୯ତମ ଜ୍ଞାନପୀଠ ପୁରସ୍କାର

ରାୟପୁର: ପ୍ରଖ୍ୟାତ ହିନ୍ଦୀ ସାହିତ୍ୟିକ ତଥା ଛତିଶଗଡ଼ର ସୁନାମଧନ୍ୟ ଲେଖକ, ଭାଷାବିତ୍ ୮୮ ବର୍ଷୀୟ ବିନୋଦ ଶୁକ୍ଳା ଚଳିତବର୍ଷର ସମ୍ମାନଜନକ ୫୯ତମ ଜ୍ଞାନପୀଠ ପୁରସ୍କାର ପାଇଁ ମନୋନୀତ ହୋଇଛନ୍ତି। ବିଶିଷ୍ଟ କାହାଣୀକାର ତଥା ଜ୍ଞାନପୀଠ ପୁରସ୍କାରପ୍ରାପ୍ତ ପ୍ରତିଭା ରାୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଜ୍ଞାନପୀଠ ଚୟନ କମିଟି ବୈଠକରେ ଜ୍ଞାନପୀଠ ପୁରସ୍କାର-୨୦୨୪ ବର୍ଷ ପାଇଁ ବିନୋଦ ଶୁକ୍ଳାଙ୍କ ନାମ ଘୋଷଣା କରାଯାଇଛି। ତେବେ ଏହି ସମ୍ମାନ ପାଇବାରେ ବିନୋଦ ଶୁକ୍ଳା ଛତିଶଗଡ଼ର ପ୍ରଥମ ସାହିତ୍ୟିକ ଭାବେ ଏକ ବିରଳ କୃତୀତ୍ୱ ହାସଲ କରିବାକୁ ଯାଉଛନ୍ତି। ତାଙ୍କ ପୂର୍ବରୁ ଅନ୍ୟ କୌଣସି ଛତିଶଗଡ଼ ସାହିତ୍ୟିକ ଏହି ସମ୍ମାନ ପାଇନଥିଲେ। ଶ୍ରୀ ଶୁକ୍ଲା ସରଳ ଏବଂ ସାବଳୀଳ ଲେଖା ପାଇଁ ବେଶ୍ ଜଣାଶୁଣା। ସେ ‘ନୌକର କି କମିଜ୍’ ଏବଂ ‘ଦିୱାର ମେଁ ଏକ ଖିଡକି ରହିତି ଥି’ ଭଳି ପ୍ରସିଦ୍ଧ ଲେଖାର ସୃଜନକାର ଅଟନ୍ତି। ଶ୍ରୀ ଶୁକ୍ଳା ୧୯୮୯ ମସିହାରେ ତାଙ୍କ ପୁସ୍ତକ ‘ଦିୱାର ମେଁ ଏକ ଖିଡ଼କି ରହତି ଥି’ ପାଇଁ ସାହିତ୍ୟ ଏକାଡେମୀ ପୁରସ୍କାର ମଧ୍ୟ ପାଇଥିଲେ। ତେବେ ଅନନ୍ୟ ଲେଖା ଶୈଳୀ ଏବଂ ହିନ୍ଦୀ ସାହିତ୍ୟକୁ ଉଲ୍ଲେଖନୀୟ ଅବଦାନ ପାଇଁ ଚୟନ କମିଟି ପକ୍ଷରୁ ଏବେ ତାଙ୍କୁ ଜ୍ଞାନପୀଠ ପୁରସ୍କାର ପାଇଁ ମନେନୀତ କରାଯାଇଛି। ପୁରସ୍କାର ସ୍ୱରୂପ ୧୧ ଲକ୍ଷ ନଗଦ ଟଙ୍କା, ଦେବୀ ସରସ୍ୱତୀଙ୍କ ଏକ କାଂସ୍ୟ ପ୍ରତିମା ଏବଂ ଏକ ପ୍ରଶଂସାପତ୍ର ପ୍ରଦାନ କରାଯିବ। ନିଜ ପ୍ରତିକ୍ରିୟାରେ ଶ୍ରୀ ଶୁକ୍ଳା ଖୁସି ବ୍ୟକ୍ତ କରିବା ସହ କହିଛନ୍ତି, ସେ ଏହି ପୁରସ୍କାର ପାଇବା ପାଇଁ କେବେ କଳ୍ପନା କରି ନ ଥିଲେ। ଏହା ତାଙ୍କ ପାଇଁ ଏକ ବହୁତ ବଡ଼ ପୁରସ୍କାର ବୋଲି ସେ କହିଛନ୍ତି। ପ୍ରକାଶ, ଜ୍ଞାନପୀଠ ପୁରସ୍କାର ୧୯୬୧ରେ ଆରମ୍ଭ ହୋଇଥିଲା ଏବଂ ପ୍ରଥମେ ୧୯୬୫ରେ ମାଲାୟଲମ୍ କବି ଶଙ୍କର କୁରୂପଙ୍କୁ ଦିଆଯାଇଥିଲା। ଏହି ପୁରସ୍କାର କେବଳ ଭାରତୀୟ ଲେଖକମାନଙ୍କୁ ପ୍ରଦାନ କରାଯାଇଥାଏ।