ରାଜ୍ୟରେ ବନ୍ଦ ହୋଇଛି ୪୬୧୯ ଟି ପ୍ରାଥମିକ ବିଦ୍ୟାଳୟ

ଭୁବନେଶ୍ୱର : ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୪୬୧୯ଟି ପ୍ରାଥମିକ ବିଦ୍ୟାଳୟ ବନ୍ଦ ରହିଛି । ଛାତ୍ରଛାତ୍ରୀ ସଂଖ୍ୟା ବୃଦ୍ଧି ଯୋଗୁଁ ୪୬ଟି ବିଦ୍ୟାଳୟକୁ ଖୋଲା ଯାଇଥିବା ବେଳେ ଆଉ ୫ଟିକୁ ଖୋଲିବା ପାଇଁ ସରକାରଙ୍କ ନିକଟରେ ପ୍ରସ୍ତାବ ରହିଛି । ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀଙ୍କ ଏକ ପ୍ରଶ୍ନର ଉତ୍ତରରେ ଏହି ସୂଚନା ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । ବିଧାନସଭାରେ ମନ୍ତ୍ରୀ କହିଥିଲେ ଯେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଦ୍ୱାରା ୨୦୨୦ ମସିହାରେ ଜାରି ବିଜ୍ଞପ୍ତି ଅନୁଯାୟୀ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ମୋଟ୍ ୪୬୧୯ଟି ପ୍ରାଥମିକ ବିଦ୍ୟାଳୟ ବନ୍ଦହୋଇ ରହିଛି । ଏଥି ମଧ୍ୟରେ ସର୍ବାଧିକ ୩୯୩ ଟି ବିଦ୍ୟାଳୟ କଟକ ଜିଲ୍ଲାରେ ରହିଥିବାବେଳେ ଗଞ୍ଜାମରେ ୩୨୬, ମୟୁରଭଞ୍ଜରେ ୩୦୮, ଯାଜପୁରରେ ୨୮୩, କୋରାପୁଟରେ ୨୪୮, କେନ୍ଦ୍ରାପଡାରେ ୧୯୫, କଳାହାଣ୍ଡିରେ ୨୫୪ ଟି ବିଦ୍ୟାଳୟ ରହିଛି । ପୁରୀ ଜିଲ୍ଲାରେ କୌଣସି ପ୍ରାଥମିକ ବିଦ୍ୟାଳୟ ଏହି ତାଲିକାରେ ନାହିଁ । ତେବେ ଛାତ୍ରଛାତ୍ରୀଙ୍କ ସଂଖ୍ୟା ବୃଦ୍ଧି ଯୋଗୁଁ ବନ୍ଦ ହୋଇ ରହିଥିବା ବିଦ୍ୟାଳୟ ମଧ୍ୟରୁ ୪୬ଟିକୁ ସରକାର ଖୋଲିଥିବା ନେଇ ସୂଚନା ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । ଖୋଲାଯାଇଥିବା ୪୬ଟି ବିଦ୍ୟାଳୟ ମଧ୍ୟରୁ ଢେଙ୍କାନାଳ ଜିଲ୍ଲାରେ ସର୍ବାଧିକ ୨୨ଟି ଥିବାବେଳେ ଦେବଗଡର ୨୦, ବରଗଡରେ ୭, ଯାଜପୁରରେ ୪ ଓ ଖୋରଧାରେ ୩ଟି ବିଦ୍ୟାଳୟ ରହିଛି । ସେହିଭଳି ଆଉ ୫ଟି ବିଦ୍ୟାଳୟକୁ ଖୋଲିବାପାଇଁ ନବରଙ୍ଗପୁର ଜିଲ୍ଲାରୁ ଆସିଥିବା ପ୍ରସ୍ତାବ ସରକାରଙ୍କ ନିକଟରେ ରହିଛି।