ରାଜ୍ୟରେ ୪୩୧ ନୂଆ କରୋନା ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର: ପୁଣି କାୟା ମେଲାଇଲାଣି କରୋନା । କେବଳ ଦେଶରେ ନୁହେଁ ରାଜ୍ୟରେ ମଧ୍ୟ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୪୩୧ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହାସହ ରାଜ୍ୟରେ ଏବେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୨୪୧୧ରେ ପହଞ୍ଚିଛି । ସେହିଭଳି ୧୯୭ ଜଣ ସଂକ୍ରମିତ ଏହି ସମୟରେ ସୁସ୍ଥ ହୋଇଛନ୍ତି । ଅନ୍ୟପଟେ ଶୁକ୍ରବାର କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଜାରି ତଥ୍ୟ ଅନୁଯାୟୀ ଗତ ୨୪ ଘଣ୍ଟାରେ ଦେଶରେ ୧୧,୬୯୨ ନୂଆ କୋଭିଡ୍ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେହିଭଳି ଗତ ୨୪ ଘଣ୍ଟାରେ ୧୯ ଜଣଙ୍କ ମୃତ୍ୟୁ ହୋଇଛି। ଦେଶରେ ଯେଉଁଥିରେ କେବଳ କେରଳରେ ୯ ଜଣଙ୍କ ମୃତ୍ୟୁ ହୋଇଛି। ବର୍ତ୍ତମାନ ଦେଶରେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୬୬,୧୭୦ ହୋଇଛି। ତେବେ ଏହା ଗତକାଲିର ସଂକ୍ରମିତଙ୍କ ଅପେକ୍ଷା କମ୍। ସୂଚନାଥାଉ ଗୁରୁବାର ଦେଶରେ ୧୨, ୫୯୧ ସଂକ୍ରମିତ ଚିହ୍ନଟ ହୋଇଥିଲେ। ବର୍ତ୍ତମାନ ସମୟରେ ଦୈନକ ୨,୨୯,୭୩୯ ଟେଷ୍ଟ କରାଯାଉଛି। ଦୈନିକ ସଂକ୍ରମଣ ହାର ୫.୦୯ ପ୍ରତିଶତ ରହିଛି। ସେହିପରି ସାପ୍ତାହିକ ସଂକ୍ରମଣ ହାର ୫.୩୩ ପ୍ରତିଶତ ରହିଛି। ସୁସ୍ଥ ହାର ବର୍ତ୍ତମାନ ୯୮.୬୭ ପ୍ରତିଶତ ରହିଛି। ଦେଶରେ ସୁସ୍ଥ ହୋଇଥିବା ବ୍ୟକ୍ତିଙ୍କ ସମୁଦାୟ ସଂଖ୍ୟା ୪,୪୨,୭୨,୨୫୬ ହୋଇଛି। ସେପଟେ ୨୨୦.୬୬ କୋଟି କୋଭିଡ୍ ଭାକ୍ସିନ୍ ଡୋଜ୍ ଦିଆଯାଇସାରିଛି। ଗତ ୨୪ ଘଣ୍ଟାରେ ୩,୬୪୭ ଡୋଜ୍ ନେଇଛନ୍ତି।