୩ଦଳର ଶକ୍ତି ପ୍ରଦର୍ଶନ

ଭୁବନେଶ୍ବର: ଧାମନଗର ନିର୍ବାଚନ ପୂର୍ବରୁ ଭୁବନେଶ୍ୱରରେ ଶକ୍ତି ପ୍ରଦର୍ଶନ କରିଛନ୍ତି ୩ ଦଳ । ବିଜେଡି , ବିଜେପି ଓ କଂଗ୍ରେସର ଏହି ଶକ୍ତିପ୍ରଦର୍ଶନ ଯୋଗୁଁ ସୋମବାର କମ୍ପିଛି ରାଜଧାନୀ । ଅର୍ଚ୍ଚନା ନାଗ ବ୍ଲାକମେଲିଂ ଓ ଧର୍ମେନ୍ଦ୍ର ସାହୁ ଆତ୍ମହତ୍ୟା ଘଟଣାରେ ସରକାରଙ୍କୁ ଘେରିଛି ବିଜେପି । ଏହି ପ୍ରସଙ୍ଗକୁ ନେଇ ବିଜେପି କର୍ମୀମାନେ ନବୀନ ନିବାସ ଘେରାଉ ଉଦ୍ୟମ କରିବାବେଳେ ପୁଲିସ ସହ ମୁହାଁମୁହିଁ ପରିସ୍ଥିତି ଦେଖିବାକୁ ମିଳିଥିଲା । ଚାଷୀଙ୍କୁ ଫସଲ ବୀମା ପ୍ରସଙ୍ଗରେ କେନ୍ଦ୍ର ବିରୋଧରେ ଗର୍ଜିଛି ବିଜେଡି । ଦଳୀୟ ନେତାମାନେ ରାଜଭବନ ଆଗରେ ଧାରଣା ଦେଇଥିଲେ । ଅନ୍ୟପକ୍ଷରେ ଓଡ଼ିଶାରେ କଂଗ୍ରେସର ଭାରତ ଯୋଡ଼ୋ ଯାତ୍ରା ଆରମ୍ଭ ହୋଇଛି । ଭୁବନେଶ୍ୱର ଆଇଜି ପାର୍କରୁ ଏହା ବାହାରିଛି । ତେବେ ଗୋଟିଏ ଦିନରେ ୩ ଦଳର ଶକ୍ତିପ୍ରଦର୍ଶନ ରାଜ୍ୟ ରାଜନୀତିକୁ ସରଗରମ କରିଛି ।
ଲେଡି ବ୍ଲାକ୍‌ମେଲର ଅର୍ଚ୍ଚନା ନାଗ ମାମଲାରେ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଉନାହିଁ । ଜିଲ୍ଲା ପରିଷଦ ସଭ୍ୟ ଧର୍ମେନ୍ଦ୍ର ସାହୁ ମୃତ୍ୟୁ ମାମଲାରେ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶଙ୍କ ସମ୍ପୃକ୍ତି ରହିଛି । ମୁଖ୍ୟମନ୍ତ୍ରୀ ସବୁ ଜାଣି ଚୁପ୍ ବସିଛନ୍ତି । ମୁଖ୍ୟମନ୍ତ୍ରୀ କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇଛନ୍ତି । ଏଭଳି ଅଭିଯୋଗ କରି ନବୀନ ନିବାସ ଘେରାଉ କରିବା ପାଇଁ ଯାଉଥିବା ବିଜେପି କର୍ମୀଙ୍କୁ ପୁଲିସ ଅଟକାଇବା ବେଳେ ଆଜି ଶିଶୁଭବନ ଛକ ରଣକ୍ଷେତ୍ର ପାଲଟିଥିଲା । ବିଜେପି କର୍ମୀ ଓ ପୁଲିସ୍ ମଧ୍ୟରେ ଧସ୍ତାଧସ୍ତିିକୁ ନେଇ ଉତ୍ତେଜନାର ମାହୋଲ ସୃଷ୍ଟି ହୋଇଥିଲା । ନବୀନ ନିବାସ ଘେରାଉ କରିବା ପାଇଁ ଆଜି ଶହ ଶହ ବିଜେପି କର୍ମୀ ରାସ୍ତାକୁ ଓହ୍ଲାଇଥିଲେ । ସେମାନେ ବିଜେପି ରାଜ୍ୟ କାର୍ଯ୍ୟାଳୟରୁ ବିଭିନ୍ନ ସ୍ଲୋଗାନ ଓ ଢ଼ୋଲ, ଘଣ୍ଟ ଓ ଝାଞ୍ଜ, ବଜାଇ ନବୀନ ନିବାସମୁହାଁ ହେଉଥିବା ବେଳେ ଶିଶୁଭବନ ଛକରେ ପୁଲିସ ସେମାନଙ୍କୁ ଅଟକାଇଥିଲା । ବିଜେପି କର୍ମୀମାନେ ବ୍ୟାରିକେଡ୍ ଡେଇଁ ଆଗକୁ ଯିବାକୁ ଉଦ୍ୟମ କରିଥିଲେ । ତେବେ ପୁଲିସ୍ ସେମାନଙ୍କୁ ଅଟକାଇଥିଲା । ଏହାକୁ ନେଇ ପୁଲିସ ଓ ବିଜେପି କର୍ମୀଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା । ଏଥିରେ କେତେଜଣ ବିଜେପି କର୍ମୀ ଆହତ ହୋଇଥିବା ସୂଚନା ମିଳିଛି । ଏହି ସମୟରେ ବିଜେପି କର୍ମୀମାନେ ପୁଲିସ ଉପରେ ଅଣ୍ଡା ଏବଂ ଟମାଟୋ ମାଡ଼ କରିବାକୁ ମଧ୍ୟ ପଛାଇନଥିଲେ । ଏପରିକି ପୁଲିସ ଗାଡ଼ିକୁ ଢେଲା ପଥର ମାଡ଼ କରିଥିଲେ । ବିଜେପି କର୍ମୀମାନଙ୍କୁ ପୁଲିସ ଘଉଡ଼ାଇବାକୁ ଚେଷ୍ଟା କରିବାରୁ ସେମାନେ ରାସ୍ତାରେ ଶୋଇ ପ୍ରତିବାଦ କରିଥିଲେ । ପୁଲିସ ସେମାନଙ୍କୁ ଟେକି ନେଇ ଭ୍ୟାନ୍ ଭିତରେ ରଖିଥିଲେ ମଧ୍ୟ ସେଠାରେ ବି ବିଜେପି କର୍ମୀମାନେ ସ୍ଳୋଗାନ୍ ଦେଇଥିଲେ । କିଛି ନେତା ଓ କର୍ମୀଙ୍କୁ ପୁଲିସ୍ ଗିରଫ କରି ଅଟକ ମଧ୍ୟ ରଖିଛି । ଏହି ଆନ୍ଦୋଳନରେ ବିଜେପି ଉପସଭାନେତ୍ରୀ ପ୍ରଭାତୀ ପରିଡ଼ା, ଭୁବନେଶ୍ୱର ଜିଲ୍ଲା ସଭାପତି ବାବୁ ସିଂ, ରାଜ୍ୟ ସାଧାରଣ ସମ୍ପାଦକ ପୃଥ୍ୱୀରାଜ୍ ହରିଚନ୍ଦନ, ଡ. ଲେଖାଶ୍ରୀ ସାମନ୍ତ ସିଂହାର, ବିଜେପି ମୁଖପାତ୍ର ଦିଲ୍ଲୀପ ମହାନ୍ତି, ସୋନାଲି ସାହୁ, ମିଡିଆ ପ୍ରଭାରୀ ଦିଲ୍ଲୀପ ମଲ୍ଲିକ, ରାଜ୍ୟ ସାଧାରଣ ସମ୍ପାଦିକା ପିଙ୍କି ପ୍ରଧାନ, କସ୍ତୁରୀ ମିଶ୍ର, ଆଶ୍ରିତ ପଟ୍ଟନାୟକ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶାରଦା ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ ।
ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ରାଜ୍ୟର ଲକ୍ଷ ଲକ୍ଷ ଚାଷୀ ବୀମା ରାଶି ପାଇବାରୁ ବଞ୍ଚିତ । ବକେୟା ପ୍ରଦାନରେ ବୀମା କମ୍ପାନୀମାନେ ସମୟ ଗଡ଼ାଇ ଚାଲିଛନ୍ତି । ଫଳରେ ଓଡ଼ିଶାର ଚାଷୀମାନେ ୫୦୦ କୋଟି ଟଙ୍କାର ବକେୟା ବୀମା ରାଶି ନପାଇ ଘୋର ଦୁର୍ଦ୍ଦଶା ମଧ୍ୟରେ କାଳ କାଟୁଛନ୍ତି । ଏନେଇ ମୁଖ୍ୟମନ୍ତ୍ରୀ କେନ୍ଦ୍ର କୃଷି ମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ ମଧ୍ୟ କେନ୍ଦ୍ର ସରକାର ନୀରବଦ୍ରଷ୍ଟା ସାଜିଛନ୍ତି । ଏହାର ପ୍ରତିବାଦରେ ବିଜେଡି ପକ୍ଷରୁ ଆଜି ରାଜଭବନ ସମ୍ମୁଖରେ ଓ ରାଜ୍ୟର ସମସ୍ତ ଜିଲ୍ଲାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ରାଜଭବନ ସମ୍ମୁଖରେ ଅନୁଷ୍ଠିତ ବିକ୍ଷୋଭରେ ବିଜେଡି ନେତ୍ରୀ ସ୍ନେହାଙ୍ଗିନୀ ଛୁରିଆ, ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି)ର ମେୟର ସୁଲୋଚନା ଦାଶ, ଭୁବନେଶ୍ୱର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା, ବିଧାନସଭା ଉତ୍ତର ବିଧାୟକ ସୁଶାନ୍ତ ରାଉତଙ୍କ ସମେତ ବିଜେଡିର ବହୁ ଛାମୁଆଁ ନେତୃବୃନ୍ଦ ସାମିଲ ହୋଇ କେନ୍ଦ୍ର ବିରୋଧରେ ଗର୍ଜିଥିଲେ ।
ଏହି ଅବସରରେ ମହିଳା ବିଜେଡିର ସଭାପତି ସ୍ନେହାଙ୍ଗିନୀ ଛୁରିଆ କହିଥିଲେ ଯ, ବିଜେପି ନେତୃତ୍ତ୍ୱାଧୀନ କେନ୍ଦ୍ର ସରକାର ଯୋଗୁଁ ଚାଷୀ ଏବେ ହତାଶ୍ । ବୀମା ରାଶି ନପାଇ ଘୋର ଦୁର୍ଦ୍ଦଶା ମଧ୍ୟରେ କାଳ କାଟୁଛନ୍ତି । ଚାଷୀଙ୍କ ସହାୟତାରେ ଓଡ଼ିଶା ଚାରି ଚାରି ଥର କୃଷି କର୍ମଣ ପୁରସ୍କାର ମଧ୍ୟ ହାସଲ କରିଛି । ମାତ୍ର ଦୁଃଖ ଏବଂ ପରିତାପର ବିଷୟ ହେଲା, କେନ୍ଦ୍ର ସରକାରଙ୍କ ନୀତି ଚାଷୀଙ୍କ ଉନ୍ନତିରେ ବାଧକ ସାଜିଛି । କେନ୍ଦ୍ରୀୟ ଯୋଜନା ଅନ୍ତର୍ଗତ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ଭଳି ଏକ ସମ୍ବେଦନଶୀଳ ଓ ଗୁରୁତର ପ୍ରସଙ୍ଗରେ ବୀମା କମ୍ପାନିଗୁଡ଼ିକ ଚାଷୀଙ୍କୁ ହାଲୁକାରେ ନେଇ ଶୋଷଣ କରୁଥିବାବେଳେ କେନ୍ଦ୍ର ସରକାରଙ୍କ କୃଷି ମନ୍ତ୍ରାଣାଳୟ ଆମ ରାଜ୍ୟର ଚାଷୀଙ୍କୁ ବୀମା ରାଶି ପ୍ରଦାନ ଲାଗି ନ୍ୟାଯ୍ୟ ପଦକ୍ଷେପ ନେଉନାହାନ୍ତି । ଓଡ଼ିଶାର ଲକ୍ଷ ଲକ୍ଷ ଚାଷୀ କେମିତି ଏହି ଯୋଜନାରୁ ସୁଫଳ ପାଇବେ ସେଥିପାଇଁ ବିଜେଡି ସରକାର ଅନେକ ପଦକ୍ଷେପ ନେଇଛନ୍ତି । ଏନେଇ ମହାମହିମ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ପ୍ରଦାନ କରାଯାଇଛି ବୋଲି ସେ ସ୍ପଷ୍ଟ କରିଛନ୍ତି ।
ଡ଼ିଶାରେ କଂଗ୍ରେସର ଭାରତ ଯୋଡ଼ୋ ଯାତ୍ରା ଆରମ୍ଭ ହୋଇଛି । ଭୁବନେଶ୍ୱର ସ୍ଥିତ ଇନ୍ଦିରା ପାର୍କ ଠାରୁ ଆଜି ଭାରତ ଯୋଡ଼ୋ ଓଡ଼ିଶା ପରିବର୍ତ୍ତନ ଯାତ୍ରାର ଶୁଭାରମ୍ଭ ହୋଇଛି । ସକାଳେ ଇନ୍ଦିରା ପାର୍କ ଠାରେ ଥିବା ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ପରେ ଓଡ଼ିଶା ପ୍ରଭାରୀ ଡ. ଏ ଚେଲା କୁମାର ପତାକା ହଲାଇ ଏହି ଯାତ୍ରାର ଶୁଭାରମ୍ଭ କରିଥିଲେ । ଏହି ଅବସରରେ ପ୍ରଦେଶ କଂଗ୍ରେସ କମିଟି ସଭାପତି ଶରତ ପଟ୍ଟନାୟକ କହିଥିଲେ ଯେ ଏହି ଯାତ୍ରା ଓଡ଼ିଶାର ୨୭ଟି ଜିଲ୍ଲା, ୧୯ଟି ସଂସଦୀୟ କ୍ଷେତ୍ର ଦେଇ ୨୨୫୦ କି.ମି. ଅତିକ୍ରମ କରିବ । ପାଖାପାଖି ୧୦୦ ଦିନରୁ ଅଧିକ ଧରି ଏହି ଯାତ୍ରା ଚାଲୁ ରହିବ । ଏହି ଯାତ୍ରା ଓଡ଼ିଶାର ଏବଂ ଭାରତ ବର୍ଷର ଜନସାଧାରଣଙ୍କ ସ୍ୱାର୍ଥ ରକ୍ଷା କରିବ । କଂଗ୍ରେସର ସଂକଳ୍ପ ଓଡ଼ିଶାର ବିକାଶ । ଓଡ଼ିଶାର ଶିକ୍ଷିତ ଯୁବକଯୁବତୀଙ୍କ ପାଇଁ ରୋଜଗାର ସମସ୍ୟା, ଗରିବ, ଖଟିଖିଆ, ଶ୍ରମିକ ସ୍ୱଳ୍ପଆୟକାରୀ ବର୍ଗ, ନିମ୍ନ ମଧ୍ୟବିତ୍ତ ଓ ମଧ୍ୟବିତ ବର୍ଗଙ୍କ ସ୍ୱାର୍ଥପାଇଁ ଏ ଯାତ୍ରା । ମୁଦ୍ରସ୍ଫିତି, ଦରଦାମ୍ ବୃଦ୍ଧି, ମନଇଚ୍ଛା ଜିଏସ୍‌ଟି ଅତ୍ୟବଶକୀୟ ଦ୍ରବ୍ୟ ଉପରେ ଲାଗୁ କରିବା, ପେଟ୍ରୋଲ, ଡିଜେଲ, ରନ୍ଧନଗ୍ୟାସର ଅହେତୁକ ଦରଦାମ ବୃଦ୍ଧି ସହିତ କୃଷିଜାତ ସାମଗ୍ରୀର ଅଭାବୀ ବିକ୍ରି ଘଟଣାକୁ ନେଇ ଆଜି ଏହି ଯାତ୍ରା । ଏହି ଯାତ୍ରା ରାଜ୍ୟର ମହିଳା ଓ ଶିଶୁମାନଙ୍କ ଉପରେ ହେଉଥିବା ବର୍ଦ୍ଧିତ ଅତ୍ୟାଚାର, ହିଂସା, ଦୁଷ୍କର୍ମ ବିରୋଧରେ ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ । ଯାତ୍ରା ସମୟରେ ଭୁବନେଶ୍ୱର ସ୍ଥିତ ରାମ ମନ୍ଦିରରେ ପିସିସି ସଭାପତି ଶ୍ରୀ ପଟ୍ଟନାୟକ, ଡ. ଏ ଚେଲା କୁମାର ଏବଂ ଅନ୍ୟ ନେତୃବୃନ୍ଦ ପୂଜାର୍ଚ୍ଚନା କରି ଆଶୀର୍ବାଦ ଭିକ୍ଷା କରିଥିଲେ ଏବଂ ରସୁଲଗଡ଼ ଛକଠାରେ ସୁବାଷ ବୋଷଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ । ପ୍ରଥମ ଦିନରେ ଆଇଜି ପାର୍କରୁ ବାହାରି ଫୁଲନଖରାରେ ଥିବା ଲଖେଶ୍ୱର ମନ୍ଦିର ପର୍ଯ୍ୟନ୍ତ ଯାତ୍ରା କରିଛି କଂଗ୍ରେସ । ତେବେ ନଭେମ୍ବର ୧ ଓ ୨ ତାରିଖ ଧାମନଗର ଉପନିର୍ବାଚନ ପାଇଁ ପଦଯାତ୍ରା ବନ୍ଦ ରହିଛି । ନଭେମ୍ବର ୩ ସକାଳେ ଏହି ପଦଯାତ୍ର ଲଖେଶ୍ୱର ମନ୍ଦିରରୁ ଆରମ୍ଭ ହେବ ।

Related Articles

Leave a Reply

Your email address will not be published.

Back to top button