ପାକିସ୍ତାନର ଖୋଲିବ ମୁଖା: ଜାପାନ ଓ ୟୁଏଇର ଶୀର୍ଷ ନେତୃତ୍ୱଙ୍କ ସହ ଆଲୋଚନା କଲା ସର୍ବଦଳୀୟ ପ୍ରତିନିଧି ଦଳ

ନୂଆଦିଲ୍ଲୀଆତଙ୍କବାଦର ପ୍ରାୟୋଜକ ପାଲଟିଥିବା ପାକିସ୍ତାନର ମୁଖା ଖୋଲିବା ଏବଂ ଅପରେସନ ସିନ୍ଦୂର ଜରିଆରେ ଆତଙ୍କବାଦୀ ଆଡ୍ଡା ଉପରେ ଭାରତର କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ ବିଶ୍ୱ ସମୁଦାୟକୁ ଅବଗତ କରାଇବା ଲାଗି ଦୁଇଟି ସର୍ବଦଳୀୟ ପ୍ରତିନିଧି ଦଳ ଆଜି ଜାପାନ ଏବଂ ୟୁଏଇରେ ପହଞ୍ଚି ଗୁରୁତ୍ୱପୂର୍ଣ୍ଣ ବୈଠକ କରିଛି। ଜେଡିୟୁ ସାଂସଦ ସଞ୍ଜୟ ଝାଙ୍କ ନେତୃତ୍ୱରେ ଗଠିତ ସର୍ବଦଳୀୟ ପ୍ରତିନିଧି ଦଳ ତିନି ଦିନିଆ ଜାପାନ ଗସ୍ତରେ ଟୋକିଓଠାରେ ପହଞ୍ଚିଥିଲା। ଏହି ପ୍ରତିନିଧି ଦଳରେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ସାମିଲ ଅଛନ୍ତି। ପ୍ରତିନିଧି ଦଳ ଟୋକିଓଠାରେ ଜାପାନ ବିଦେଶ ମନ୍ତ୍ରୀ ତାକେଶୀ ଇୱାୟାଙ୍କ ସହ ଆଲୋଚନା କରିଥିଲା। ଜାପାନ ବିଦେଶ ମନ୍ତ୍ରୀ ପହଲଗାମ ଆତଙ୍କୀ ଆକ୍ରମଣର ପୀଡ଼ିତମାନଙ୍କ ପାଇଁ ଶୋକ ପ୍ରକାଶ କରିବା ସହିତ ଆତଙ୍କବାଦ ବିରୋଧୀ ଲଢ଼େଇରେ ଭାରତ ପ୍ରତି ସମର୍ଥନ ଜଣାଇଥିଲେ। ଏହି ଅବସରରେ ଶ୍ରୀ ଝା ଜଣାଇଥିଲେ ଯେ, ଜାମ୍ମୁକାଶ୍ମୀରରେ ଶାନ୍ତି ଓ ବିକାଶରେ ବାଧା ଉତ୍ପନ୍ନ କରିବା ଲାଗି ପାକିସ୍ତାନ ଦ୍ୱାରା ପହଲଗାମ ଆତଙ୍କବାଦୀ ଆକ୍ରମଣର ଷଡ଼ଯନ୍ତ୍ର ପ୍ରସ୍ତୁତ କରାଯାଇଥିଲା। ଅପରେସନ ସିନ୍ଦୂର ଜରିଆରେ ଭାରତ ସଠିକ, ଲକ୍ଷ୍ୟବଦ୍ଧ, ବ୍ୟାପକ ଏବଂ ଅଣଉତ୍ତେଜନା ସୃଷ୍ଟିକାରୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା। ଏହା କେବଳ ଆତଙ୍କବାଦୀଙ୍କ ବିରୋଧରେ ଥିଲା। ଶ୍ରୀ ଝା ଆହୁରି କହିଥିଲେ, ଭାରତ ଆତଙ୍କବାଦ ବିରୋଧରେ ଶୂନ୍ୟ ସହନଶୀଳତା ନୀତି ଆପଣାଇଛି ଏବଂ ଆତଙ୍କବାଦୀ ଓ ସେମାନଙ୍କୁ ପ୍ରୋତ୍ସାହନ ଦେଉଥିବା ଶକ୍ତିଙ୍କ ବିରୋଧରେ କୌଣସି ଫରକ କରୁନାହିଁ। ସେ ମଧ୍ୟ ଆତଙ୍କବାଦ ବିରୋଧରେ ଜାତିସଂଘ ସୁରକ୍ଷା ପରିଷଦ ପକ୍ଷରୁ ଗତ ୨୫ ଏପ୍ରିଲରେ ପ୍ରକାଶ ପାଇଥିବା ବିବୃତ୍ତି ବିଷୟରେ ଉଲ୍ଲେଖ କରିଥିଲେ। ଏହି ପ୍ରତିନିଧି ଦଳ ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ୟୋଶିହିଦେ ସୁଗା, ଜାତୀୟ ସୁରକ୍ଷା ଉପରେ ଗଠିତ ହାଉସ୍‌ ଅଫ୍‌ ରିପ୍ରେଜେଣ୍ଟେଟିଭ୍‌ କମିଟି ଅଧ୍ୟକ୍ଷ ତାକାଶୀ ଏଣ୍ଡୋଙ୍କ ସହ ଆଲୋଚନା କରିଥିଲା। ଆହୁରି ଜାପାନର ଅଗ୍ରଣୀ ଚିନ୍ତନ ପ୍ରତିଷ୍ଠାନ ଗୁଡ଼ିକ ସହିତ ମଧ୍ୟ ପ୍ରତିନିଧି ଦଳର ସଦସ୍ୟମାନେ ଆଲୋଚନା କରି ସୀମାପାର ଆତଙ୍କବାଦ ବିରୋଧରେ ଭାରତର ଶୂନ୍ୟ ସହନଶୀଳତା ନୀତିକୁ ଦୋହରାଇଥିଲେ। ଅନ୍ୟପକ୍ଷରେ ଶିବସେନା ସାଂସଦ ଶ୍ରୀକାନ୍ତ ସିନ୍ଦେଙ୍କ ନେତୃତ୍ୱାଧୀନ ଦ୍ୱିତୀୟ ପ୍ରତିନିଧି ଦଳ ଆଜି ୟୁଏଇର ଆବୁଧାବି ଠାରେ ପହଞ୍ଚି ଉଚ୍ଚସ୍ତରୀୟ ବୈଠକ କରିଛି ।  ଏହି ଦଳ ୟୁଏଇର ପ୍ରମୁଖ ନେତୃବର୍ଗ ଏବଂ ଗଣମାଧ୍ୟମକୁ ସୀମାପାର ଆତଙ୍କବାଦ, ଅପରେସନ ସିନ୍ଦୁର ଏବଂ ଏହାର ପରବର୍ତ୍ତୀ ସାମରିକ କାର୍ଯ୍ୟାନୁଷ୍ଠାନ ବିଷୟରେ ସୂଚନା ଦେଇଛି । ସୂଚନାଯୋଗ୍ୟ ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଏହାକୁ ନିନ୍ଦା କରି ବିବୃତ୍ତି ଜାରି କରିଥିବା ପ୍ରଥମ ଦେଶଗୁଡ଼ିକ ମଧ୍ୟରେ ୟୁଏଇ ଅନ୍ୟତମ ଥିଲା। ୟୁଏଇ ରାଷ୍ଟ୍ରପତି, ଉପପ୍ରଧାନମନ୍ତ୍ରୀ, ବିଦେଶ ମନ୍ତ୍ରୀ ଫୋନ୍‌ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ବିଦେଶ ମନ୍ତ୍ରୀ ଡକ୍ଟର ଏସ. ଜୟଶଙ୍କରଙ୍କ ସହ କଥା ହୋଇଥିଲେ ।

Related Articles

Leave a Reply

Your email address will not be published. Required fields are marked *

Back to top button