କୋରେଇ ଷ୍ଟେସନ ଉପରେ ମାଡ଼ିଗଲା ମାଲଗାଡ଼ି, ୩ ମହିଳା ମୃତ

ଭୁବନେଶ୍ବର: ସୋମବାର ଭୋର ସମୟରେ ଭଦ୍ରକରୁ ଖୋର୍ଦ୍ଧା ଅଭିମୁଖେ ଯାଉଥିବା ଏକ ଏନ୍‌ବକ୍ସ ଏମ୍ପ୍‌ଟି ମାଲଗାଡ଼ି ଲାଇନଚ୍ୟୁତ ହେବା ଫଳରେ ଏହାର ୧୪ଟି ବଗି କୋରେଇ ରେଳ ଷ୍ଟେସନ ମଧ୍ୟକୁ ମାଡ଼ିଯାଇଛି । ତେଣୁ ଘଟଣା ସ୍ଥଳରେ ୩ ଜଣ ମହିଳାଙ୍କ ମୃତ୍ୟୁ ଘଟିବା ସହ ଜଣେ ଶିଶୁ ଆହତ ହୋଇଛି । ମୃତକମାନେ ହେଲେ ପାଣିକୋଇଲି ଥାନା ପଥରପଦା ପଞ୍ଚାୟତ ତାଜପୁରର ପାର୍ବତୀ ବିନ୍ଧାଣୀ (୫୫), ତାଙ୍କ ଝିଅ କଣ୍ଢେଇ ବିନ୍ଧାଣୀ (୨୬) ଓ କୋରେଇ ଥାନା ଅନ୍ତର୍ଗତ ଫାଜଲପୁର( ଶଙ୍ଖପାରି)ର ସେକ୍ ମୟିଉଦ୍ଦିନଙ୍କ ପତ୍ନୀ ଅଜିବୁଲ ବିବି (୪୨) । ଆହତ ଶିଶୁଟି କଣ୍ଢେଇ ବିନ୍ଧାଣୀଙ୍କ ଅଢ଼େଇ ମାସର ପୁଅ । ପାର୍ବତୀ ଓ କଣ୍ଢେଇ କଟକ ବଡ଼ ଡାକ୍ତରଖାନା ଯିବାକୁ ଟ୍ରେନ୍‌କୁ ଅପେକ୍ଷା କରିଥିଲେ । ଦୁର୍ଘଟଣା ସମୟରେ ଶିଶୁଟି କଣ୍ଢେଇଙ୍କ ହାତରୁ ଖସିଯାଇ କିଛି ଦୂରରେ ପଡ଼ିଥିଲା । ହେଲେ ଶିଶୁଟିର ବିଶେଷ କିଛି କ୍ଷତି ହୋଇନାହିଁ । ସେହିପରି ଅଜିବୁଲ୍ ବିବି ସ୍ୱାମୀଙ୍କ ପାଇଁ ଔଷଧ ଆଣିବାକୁ କଟକ ଯିବା ପାଇଁ ଟ୍ରେନ୍‌କୁ ଅପେକ୍ଷା କରିଥିଲେ । ଏହାବ୍ୟତୀତ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ସୁନୀଲ ବିନ୍ଧାଣୀ ନାମକ ଜଣେ ରେଳ କର୍ମଚାରୀଙ୍କ ଉପରେ ଏକ ଲୁହା ଆଙ୍ଗଲ ଖସି ପଡ଼ିବା ଯୋଗୁଁ ସେ ଗୁରୁତର ଭାବେ ଆହତ ହୋଇଛନ୍ତି । ଚିକିତ୍ସା ନିମନ୍ତେ ତାଙ୍କୁ ପ୍ରଥମେ କୋରେଇ ମେଡିକାଲ ଓ ପରେ ଯାଜପୁର ସଦର ମହକୁମା ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଭୋର ୪ଟା ୪୦ରୁ ୪ଟା ୫୦ ମଧ୍ୟରେ ଏହି ଦୁର୍ଘଟଣା ଘଟିଥିବା ଜଣାଯାଇଛି । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ବଗି ଗୁଡ଼ିକର ଚକା ସବୁ ବାହାରି ଯାଇ ଏଣେତେଣେ ଛିଟିକି ପଡ଼ିଥିଲା । ଷ୍ଟେସନର ସିଡି ପର୍ଯ୍ୟନ୍ତ ବଗି ପହଞ୍ଚିବା ସହ ଯାତ୍ରୀ ପ୍ରତୀକ୍ଷାଳୟ ଘର ଓ ବିଦ୍ୟୁତ ଖୁଣ୍ଟ ମଧ୍ୟ ଭାଙ୍ଗିଯାଇଥିଲା । ଦୁର୍ଘଟଣା ସମୟରେ ଭୟଙ୍କର ଶବ୍ଦ ହେବା ସହ ସାରା ଷ୍ଟେସନ ଧୂଆଁମୟ ହୋଇଯାଇଥିଲା ବୋଲି ସ୍ଥାନୀୟ ଲୋକେ କହିଛନ୍ତି । ଦୁର୍ଘଟଣା ଯୋଗୁଁ ଟ୍ରେନ ଚଳାଚଳ ବାଧାପ୍ରାପ୍ତ ହୋଇଛି । ଟ୍ରେନ ଇଞ୍ଜିନ ସହିତ ଆଗକୁ ୨୬ ବଗି ଓ ପଛକୁ ଗାର୍ଡ ବଗିକୁ ମିଶାଇ ୧୮ ବଗି ସୁରକ୍ଷିତ ରହିଛି । ପ୍ରାୟ ୧୯ରୁ ଅଧିକ ଟ୍ରେନ୍‌ର ଗତିପଥ ପରିବର୍ତ୍ତନ କରାଯାଇଛି । ଦୁର୍ଘଟଣା ପରେ ଘଟଣାସ୍ଥଳକୁ ଲୋକଙ୍କ ସୁଅ ଛୁଟିଥିଲା । ଖବର ପାଇ ଆରଡି ମନ୍ତ୍ରୀ ପ୍ରୀତି ରଞ୍ଜନ ଘଡ଼ାଇ, କୋରେଇ ବିଧାୟକ ଅଶୋକ ବଳ, ପୂର୍ବତନ ବିଧାୟକ ଆକାଶ ଦାସ ନାୟକ, ଏସ୍‌ପି ରାହୁଲ ପି ଆର, କଳିଙ୍ଗ ନଗର ଏଡିଏମ, ପିଡି ଡିଆରଡିଏ, ଯାଜପୁର ତହସିଲଦାର ଓ ଅତିରିକ୍ତ ତହସିଲଦାର, କୋରେଇ, ପାଣିକୋଇଲି ଓ ଯାଜପୁରରୋଡ ଥାନା ଅଧିକାରୀ, ଶ୍ରମିକ ନେତା ବିଦ୍ୟାଧର ମହାନ୍ତି ପ୍ରମୁଖ ଘଟଣା ସ୍ଥଳରେ ପହଞ୍ଚିଥିଲେ । ଯାଜପୁର ରୋଡ ଓ ବୈତରଣୀ ରୋଡ ଅଗ୍ନିଶମ ବାହିନୀ ପହଞ୍ôଚ ଉଦ୍ଧାର କାର୍ଯ୍ୟରେ ସହଯୋଗ କରିଥିଲେ । ଖୋର୍ଦ୍ଧା ରୋଡ ଡିଆରଏମ, ଭଦ୍ରକର ବିଏମ୍ ଓ ଯାଜପୁର ରୋଡର ରେଳ ବିଭାଗ ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି । ରେଳ ବିଭାଗ ସୁରକ୍ଷାକର୍ମୀ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି । ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଦୁର୍ଘଟଣା ଘଟିଥାଇପାରେ ବୋଲି ଆଶଙ୍କା କରାଯାଉଛି । ଟ୍ରେନ ଲାଇନ ଓ ପ୍ଲାଟଫର୍ମରୁ ଦୁର୍ଘଟଣାଗ୍ରସ୍ତ ବଗିଗୁଡିକର ସ୍ଥାନାନ୍ତର କାର୍ଯ୍ୟ ଜାରି ରହିଛି । ଆଜି ରାତି ସୁଦ୍ଧା ରେଳ ଲାଇନ ସଫା ହୋଇ ଟ୍ରେନ ଚଳାଚଳ ସ୍ୱାଭାବିକ ହେବ ବୋଲି ରେଳବିଭାଗ ଅଧିକାରୀ ସୂଚନା ଦେଇଛନ୍ତି । ପୂର୍ବରୁ ୨୦୦୯ରେ ଯାଜପୁର ରୋଡ ରେଳ ଷ୍ଟେସନ ନିକଟରେ କରମଣ୍ଡଳ ଏକ୍ସପ୍ରେସ ଦୁର୍ଘଟଣାଗ୍ରସ୍ତ ହେବା ଫଳରେ ଧନ ଜୀବନ ହାନି ଘଟିଥିଲା । ଦୀର୍ଘ ଦିନ ପରେ ଏହା ଦ୍ୱିତୀୟ ଘଟଣା । ଦୁର୍ଘଟଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଦୁଃଖ ପ୍ରକାଶ କରିବା ସହ ମୃତକଙ୍କ ପରିବାର ପାଇଁ ୨ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ଘୋଷଣା କରିଛନ୍ତି । ଏଥିସହ ଯଥାଶୀଘ୍ର ରାଜସ୍ୱ ମନ୍ତ୍ରୀ ପ୍ରମିଳା ମଲ୍ଲିକଙ୍କୁ ଘଟଣାସ୍ଥଳକୁ ଯିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ । ସେହିପରି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଦୁଃଖ ପ୍ରକାଶ କରି ମୃତକଙ୍କ ପରିବାର ପିଛା ୫ ଲକ୍ଷ ଟଙ୍କା, ଗୁରୁତରଙ୍କ ପାଇଁ ୧ ଲକ୍ଷ ଟଙ୍କା ଓ ସାମାନ୍ୟ ଆହତଙ୍କ ପାଇଁ ୨୫ ହଜାର ଟଙ୍କାର ସହାୟତା ଘୋଷଣା କରିଛନ୍ତି ।

Related Articles

Leave a Reply

Your email address will not be published.

Back to top button