ଝାରସୁଗୁଡ଼ା ଉପନିର୍ବାଚନ ପ୍ରସ୍ତୁତି ଲଢ଼େଇ ପାଇଁ ୩ଦଳ ତୟାର

ଭୁବନେଶ୍ୱର: ଝାରସୁଗୁଡ଼ା ଉପନିର୍ବାଚନକୁ ଆଉ୨୫ଦିନ ବାକି । ରଣାଙ୍ଗନରେ ପ୍ରମୁଖ ତିନିଦଳ । ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସଙ୍କ ଝିଅ ଦୀପାଳି ଦାସଙ୍କୁ ବିଜେଡି ପ୍ରାର୍ଥୀ କରିଥିବାବେଳେ ଝାରସୁଗୁଡ଼ାର ୩ ଥରର ବିଧାୟକ ବୀରେନ୍ ପାଣ୍ଡେଙ୍କ ପୁଅ ତରୁଣ ପାଣ୍ଡେଙ୍କୁ କଂଗ୍ରେସ ପ୍ରାର୍ଥୀ କରିଛି । ସେହିପରି ବିଜେପିିର ଯୁବନେତା ଟଙ୍କଧର ତ୍ରିପାଠୀ ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ଦଳର ପ୍ରାର୍ଥୀ ହୋଇଛନ୍ତି । ହେଲେ ତିନିପ୍ରାର୍ଥୀ ରାଜନୀତିରେ ସମ୍ପୂର୍ଣ୍ଣ ନୂଆ । କେହି ନାମାଙ୍କନ ଭରିନଥିଲେ ହେଁ ଗାଁ ଗାଁ ବୁଲି ପ୍ରଚାର ଆରମ୍ଭ କରିଛନ୍ତି । ଫଳରେ ନିର୍ବାଚନୀ ଉଷ୍ଣତା ଏବେଠାରୁ ବଢ଼ିବାରେ ଲାଗିଛି । ତେବେ ଉକ୍ତ ନିର୍ବାଚନ କ୍ଷେତ୍ର କେଉଁ ଦଳ କବ୍‌ଜାରେ କେତେଥର ରହିଛି ତାହା ଜାଣିବା ଜରୁରୀ ।
ଝାରସୁଗୁଡ଼ା ନିର୍ବାଚନମଣ୍ଡଳୀ ୧୯୫୧ରେ ଗଠନ ହୋଇଥିବାବେଳେ ଏବେ ବରଗଡ଼ ଲୋକସଭା କ୍ଷେତ୍ର ଅର୍ନ୍ତଭୁକ୍ତ ରହିଛି । ୧୯୫୧ରୁ ୨୦୧୯ ମଧ୍ୟରେ ୧୬ଥର ନିର୍ବାଚନ ହୋଇଛି । କଂଗ୍ରେସ ୧୦ଥର, ଜନତାଦଳ ଓ ବିଜେଡି ୪ଥର ଏବଂ ଓଜେସି ଓ ସ୍ୱତନ୍ତ୍ରଦଳ ଥରେ କରି ବିଜୟୀ ହୋଇଛନ୍ତି । ଆରମ୍ଭରୁ କଂଗ୍ରେସର ଦବ୍‌ଦବା ଥିଲା । ୧୯୯୦ରେ କିଶୋର କୁମାର ମହାନ୍ତି ଜନତା ଦଳ ଟିକେଟରୁ ପ୍ରଥମ କରି କଂଗ୍ରେସ ଠାରୁ ଆସନ ଛଡ଼ାଇ ଆଣିଥିଲେ । ମାତ୍ର ୨୦୦୦ ନିର୍ବାଚନରେ ବିଜେଡି ପ୍ରଥମ ଥର ପାଇଁ ଜିତିଥିଲା । ପରେ ୨୦୦୪, ୨୦୧୯ରେ ବିଜେଡି ଉକ୍ତ ଆସନକୁ ହାତେଇଥିଲା । କିଶୋର କୁମାର ମହାନ୍ତି ଜନତା ଦଳରୁ ଥରେ ଓ ବିଜେଡିରୁ ୨ଥର ବିଧାୟକ ହେବାର ଗୌରବ ଲାଭ କରିଥିଲାବେଳେ ବୀରେନ୍ଦ୍ର ଚନ୍ଦ୍ର ପାଣ୍ଡେ କଂଗ୍ରେସରୁ ୩ଥର ବିଧାୟକ ହୋଇଛନ୍ତି ।
୨୦୦୯ ନିର୍ବାଚନରେ ବିଜେଡି ଓ କଂଗ୍ରେସ ମଧ୍ୟରେ ଟକରାଟକରି ହୋଇଥିଲା । ମୈଦାନରେ ଥିଲେ ମୋଟ୍ ୧୩ ପ୍ରାର୍ଥୀ । ମୋଟ୍ ଭୋଟ୍ ସଂଖ୍ୟା ୧ ଲକ୍ଷ ୭୪ ହଜାର ୮୬୭ ଥିଲାବେଳେ ମତଦେଇଥିଲେ ୧ଲକ୍ଷ ୨୭ହଜାର ୧୪୫ । ଉକ୍ତ ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ନବକିଶୋର ଦାସ ୬୨,୬୬୩ ଖଣ୍ଡ ଭୋଟ୍ ପାଇ ବିଜୟୀ ହୋଇଥିଲେ । ବିଜେଡି ପ୍ରାର୍ଥୀ କିଶୋର କୁମାର ମହାନ୍ତି ୪୦,୧୪୭ ଖଣ୍ଡ ଭୋଟ୍ ପାଇ ପରାସ୍ତ ହୋଇଥିଲେ । ସେହିପରି ବିଜେପି ପ୍ରାର୍ଥୀ ଦୀନେଶ କୁମାର ଜୈନ ମାତ୍ର ୧୫,୦୯୫ ଖଣ୍ଡ ଭୋଟ୍ ପାଇଥିଲେ । ଆନୁପାତିକ ହାରରେ ଦେଖିଲେ କଂଗ୍ରେସ ୪୯.୨୮%, ବିଜେଡି ୩୧.୫୮% ଓ ବିଜେପି ୧୧.୮୭% ଭୋଟ୍ ପାଇବାକୁ ସକ୍ଷମ ହୋଇଥିଲା ।
୨୦୧୪ ନିର୍ବାଚନରେ ବି କଂଗ୍ରେସ ଓ ବିଜେଡି ମଧ୍ୟରେ ତୀବ୍ର ଲଢ଼େଇ ହୋଇଥିଲା । ମୈଦାନରେ ଥିଲେ ମୋଟ୍ ୯ ପ୍ରାର୍ଥୀ । ମୋଟ୍ ଭୋଟର୍ ସଂଖ୍ୟା ୨ ଲକ୍ଷ ୯୬୮ଙ୍କ ମଧ୍ୟରୁ ମତ ଦେଇଥିଲେ ୧ ଲକ୍ଷ ୬୫ହଜାର ୧୯୭ ଭୋଟର୍ । ଭୋଟ୍‌ଦାନ ହାର ଥିଲା ୮୨.୨୦% । ଉକ୍ତ ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ନବକିଶୋର ଦାସ ୭୪,୪୯୯ ଖଣ୍ଡ ଭୋଟ୍ ପାଇ ବିଜୟୀ ହୋଇଥିଲାବେଳେ ବିଜେଡି ପ୍ରାର୍ଥୀ କିଶୋର କୁମାର ମହାନ୍ତି ୬୨,୯୩୬ ଖଣ୍ଡ ଭୋଟ୍ ପାଇ ପରାସ୍ତ ହୋଇଥିଲେ । ସେହିପରି ବିଜେପି ପ୍ରାର୍ଥୀ ଆନନ୍ଦ ପ୍ରଧାନ ମାତ୍ର ୨୧,୦୪୭ ଖଣ୍ଡ ଭୋଟ୍ ପାଇଥିଲେ । ନିର୍ବାଚନରେ ବିଜୟୀ ପ୍ରାର୍ଥୀ ନବକିଶୋର ଦାସ ଓ ବିଜେଡି ପ୍ରାର୍ଥୀ କିଶୋର କୁମାର ମହାନ୍ତିଙ୍କ ଭୋଟ୍ ବ୍ୟବଧାନ ଥିଲା ୧୧,୫୬୩ ଖଣ୍ଡ ଭୋଟ୍ । ଆନୁପାତିକ ହାରରେ ଦେଖିଲେ କଂଗ୍ରେସ ୪୫.୧୦%, ବିଜେଡି ୩୮.୧୦% ଓ କଂଗ୍ରେସ ୧୨.୭୪% ଭୋଟ୍ ପାଇବାକୁ ସକ୍ଷମ ହୋଇଥିଲା ।
୨୦୧୯ର ନିର୍ବାଚନରେ ବି ବିଜେପି ଓ ବିଜେଡି ମଧ୍ୟରେ ତୀବ୍ର ଲଢ଼େଇ ହୋଇଥିଲା । କଂଗ୍ରେସ ତୃତୀୟ ସ୍ତରକୁ ଖସିଥିଲା । ମୈଦାନରେ ଥିଲେ ମୋଟ୍ ୯ ପ୍ରାର୍ଥୀ । ଉକ୍ତ ନିର୍ବାଚନରେ ବିଜେଡି ପ୍ରାର୍ଥୀ ନବ କିଶୋର ଦାସ ୯୮,୬୨୦ ଖଣ୍ଡ ଭୋଟ୍ ବିଜୟୀ ହୋଇଥିଲାବେଳେ ବିଜେପି ପ୍ରାର୍ଥୀ ଦିନେଶ ଜୈନ ୫୨,୯୨୧ଖଣ୍ଡ ଭୋଟ୍ ପାଇ ପରାସ୍ତ ହୋଇଥିଲେ । ସେହିପରି କଂଗ୍ରେସ ପ୍ରାର୍ଥୀ ମହେନ୍ଦ୍ର ନାଏକ ମାତ୍ର ୧୮,୮୨୩ ଖଣ୍ଡ ଭୋଟ୍ ପାଇଥିଲେ ।
ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶେର ଦାସଙ୍କୁ ହତ୍ୟାପରେ ଝାରସୁଗୁଡ଼ା ନିର୍ବାଚନ ମଣ୍ଡଳୀରେ ଉପନିର୍ବାଚନ ହେଉଛି । ନବଙ୍କ ଝିଅ ଦୀପାଳି ବିଜେଡି ଟିକେଟରୁ ଲଢ଼ୁଛନ୍ତି । ତେଣୁ କାହା ସପକ୍ଷରେ ମତଯିବ ଏବଂ କିଏ ରାଜେନ୍ଦ୍ରାସନେ ବସିବାର ସୌଭାଗ୍ୟ ଲାଭ କରିବେ ତାହା କେବଳ ମଇ ୧୩ ଭୋଟ୍ ଗଣତି ପରେ ସ୍ପଷ୍ଟ ହୋଇଯିବ ।
ନିର୍ବାଚନ ଫଳ
୧୯୫୧ରୁ ୨୦୧୯
୨୦୧୯: ନବକିଶୋର ଦାସ (ବିଜେଡି)
୨୦୧୪: ନାବକିଶୋର ଦାସ (କଂଗ୍ରେସ)
୨୦୦୯: ନବକିଶୋର ଦାସ (କଂଗ୍ରେସ)
୨୦୦୪: କିଶୋର କୁମାର ମହାନ୍ତି (ବିଜେଡି)
୨୦୦୦: କିଶୋର କୁମାର ମହାନ୍ତି (ବିଜେଡି)
୧୯୯୫: ବୀରେନ୍ଦ୍ରଚନ୍ଦ୍ର ପାଣ୍ଡେ (କଂଗ୍ରେସ)
୧୯୯୦: କିଶୋର କୁମାର ମହାନ୍ତି (ଜନତାଦଳ)
୧୯୮୫: ବୀରେନ୍ଦ୍ରଚନ୍ଦ୍ର ପାଣ୍ଡେ (କଂଗ୍ରେସ)
୧୯୮୦: ବୀରେନ୍ଦ୍ରଚନ୍ଦ୍ର ପାଣ୍ଡେ (କଂଗ୍ରେସ)
୧୯୭୭: ସୈରିନ୍ଦ୍ରି ନାୟକ (କଂଗ୍ରେସ)
୧୯୭୪: ସୈରିନ୍ଦ୍ରି ନାୟକ (କଂଗ୍ରେସ)
୧୯୭୧: ଯଶକେତନ ସାହୁ (ଓଜେସି)
୧୯୬୭: ମୁରଲୀପ୍ରସାଦ ମିଶ୍ର (ସ୍ୱତନ୍ତ୍ର)
୧୯୬୧: ବିନୋଦବିହାରୀ ବରିହା (କଂଗ୍ରେସ)
୧୯୫୭: ବିଜୟ କୁମାର ପାଣି(କଂଗ୍ରେସ),
ଏବଂ ମନୋହର ନାୟକ (ଗଣତାନ୍ତ୍ରିକ ପରିଷଦ)

Related Articles

Leave a Reply

Your email address will not be published.

Back to top button