ଓଡ଼ିଶା ଆସିବେ ଆଉ ୩ ମହାବଳ
ଭୁବନେଶ୍ୱର: ଓଡ଼ିଶା ଆସିବେ ଆଉ ୩ ମହାବଳ । ଗୁରୁବାର ଏହି ସୂଚନା ଦେଇଛନ୍ତି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ । ତାଙ୍କ ସୂଚନା ଅନୁସାରେ, ଓଡ଼ିଶାକୁ ଆଉ ୩ଟି ମହାବଳ ବାଘ ଆସିବେ । ପୂର୍ବରୁ ୫ଟି ମହାବଳ ବାଘ ଆସିବାର ଥିଲା । ତା ଭିତରୁ ଯମୁନା ଓ ଜିନ୍ନତ ଆସି ସାରିଛନ୍ତି । ଏମାନେ ସମ୍ପୂର୍ଣ୍ଣ ଖାପ ଖୁଆଇ ସାରିବା ପରେ ଆଉ ୩ଟି ମହାବଳ ବାଘ ଆଣିବାକୁ ସରକାର ନିଷ୍ପତ୍ତି ନେବେ ବୋଲି ମନ୍ତ୍ରୀ କହିଛନ୍ତି । ଗତ କିଛି ମାସ ହେବ ଜିନ୍ନତ ଶିମିଳିପାଳରୁ ଝାଡଖଣ୍ଡ ଏବଂ ପରେ ପଶ୍ଚିମବଙ୍ଗ ପଳାଇଥିବା ବେଳେ ଜିନ୍ନତକୁ ଧରିବା ପାଇଁ ନାକେଦମ୍ ହୋଇଥିଲା ବନ ବିଭାଗ । ଅନେକ ଦିନ ଜିନ୍ନତ ଉପରେ ନଜର ରଖିବା ପରେ ଶେଷରେ ବାଘୁଣୀ ଜିନ୍ନତକୁ ଟ୍ରାଙ୍କୁଲାଇଜ୍ କରି ଓଡିଶା ଅଣାଯାଇଛି । ଦୀର୍ଘ ଧରି ଧରାଛୁଆଁ ଦେଉନଥିବା ବାଘୁଣୀ ଜୀନତ ଗତ ୨୯ରେ ପଶ୍ଚିମବଙ୍ଗର ବାଙ୍କୁଡା ରାଣୀବନ୍ଧ ଜଙ୍ଗଲରେ ଟ୍ରାଙ୍କୁଲାଇଜ କରାଯାଇଥିଲା । ସ୍ବାସ୍ଥୟବସ୍ଥା ସାମାନ୍ୟ ହେବା ପାଇଁ କଲିକତା ସ୍ଥିତ ଆଲୀପୁର ଚିଡିଆଖାନାରେ ରଖାଯାଇଥିଲା । ସେଠାରେ ଦୁଇ ଦିନ ଧରି ଜୀନତର ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଥିଲା । ସମ୍ପୂର୍ଣ୍ଣ ସୁସ୍ଥ ହେବା ପରେ ପଶ୍ଚିମବଙ୍ଗ ବନବିଭାଗ ଶିମିଳିପାଳ କର୍ତ୍ତୃପକ୍ଷଙ୍କୁ ଜୀନତକୁ ହସ୍ତାନ୍ତର କରିଥିଲେ ।