ଶ୍ରୀମନ୍ଦିର ପାଇଁ ୨୭୧ କୋଟିର ବଜେଟ୍‌

ଭୁବନେଶ୍ବର : ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ଶ୍ରୀମନ୍ଦିର ପାଇଁ ୨୦୨୩-୨୪ ଆର୍ଥିକ ବର୍ଷର ବଜେଟ୍‌ ଅନୁମୋଦିତ ହୋଇଛି। ଚଳିତବର୍ଷର ବଜେଟ୍‌ରେ ୨୭୧.୦୭ କୋଟି ଟଙ୍କାର ଆୟ ଓ ୨୬୨.୧୬ କୋଟି ଟଙ୍କାର ବ୍ୟୟ ବରାଦ ହୋଇଛି। ମୋଟ୍‌ ୮.୯୧ କୋଟି ଟଙ୍କାର ବଳକା ବଜେଟ୍‌ ପ୍ରସ୍ତୁତ ହୋଇଛି। ରାଜସ୍ବ ଆୟ ୧୭୪.୩୪ କୋଟି ଟଙ୍କା ଓ ପୁଞ୍ଜି ଆୟ ୯୪.୭୩ କୋଟି ଟଙ୍କା ଲକ୍ଷ୍ୟ ଧାର୍ଯ୍ୟ ହୋଇଛି। ସେହିଭଳି ଚଳିତବର୍ଷ ରାଜସ୍ବ ବ୍ୟୟ ୧୩୨.୧୦ କୋଟି ଟଙ୍କା ଓ ପୁଞ୍ଜି ବ୍ୟୟ ୧୩୦.୦୬ କୋଟି ଟଙ୍କା ରଖାଯାଇଛି। ଖଣିଖାଦାନ, ଜମି ଅଧିଗ୍ରହଣ ଆଦି କ୍ଷେତ୍ରରୁ ସର୍ବାଧିକ ଆୟ ଲକ୍ଷ୍ୟ ରଖାଯାଇଛି। ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆଜିର ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସ, ଜିଲ୍ଲାପାଳ ସମର୍ଥ ବର୍ମା, ଏସ୍‌ପି ଡା. କେ. ବିଶାଲ ସିଂହଙ୍କ ସମେତ ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟମାନେ ଉପସ୍ଥିତ ଥିଲେ। ବୈଠକରେ ବିସ୍ତୃତ ଆଲୋଚନା ପରେ ଚୂଡ଼ାନ୍ତ ବଜେଟ୍‌ ପ୍ରସ୍ତୁତ ହୋଇଛି। ବାର୍ଷିକ ବଜେଟ୍‌ର ପ୍ରମୁଖ ଆୟ ଉପରେ ନଜର ପକାଇଲେ, ଖଣିଖାଦାନରୁ ୩୦ କୋଟି, ହୁଣ୍ଡି, ଭକ୍ତଙ୍କ ଦାନ ଆଦିରୁ ୩୭.୫୦ କୋଟି, କର୍ପସ ପାଣ୍ଠି, ମୂଳ ପାଣ୍ଠି ଓ ଶ୍ରୀମନ୍ଦିର ପାଣ୍ଠି ଆୟରୁ ୬୦.୨୮ କୋଟି, ଜମି ଅଧିଗ୍ରହଣ ବାବଦ କ୍ଷତିପୂରଣରୁ ୫୦ କୋଟି, ସରକାରୀ ଅନୁଦାନ ବାବଦକୁ ୭୩.୧୪ କୋଟି, ଭକ୍ତ ନିବାସରୁ ୧୦.୩୦ କୋଟି ଓ ଅନ୍ୟାନ୍ୟ ସୂତ୍ରରୁ ୯.୮୫ କୋଟି ଟଙ୍କା ଆୟ ଲକ୍ଷ୍ୟ ରଖାଯାଇଛି। ବ୍ୟୟ ଉପରେ ନଜର ପକାଇଲେ, ରଥଯାତ୍ରା ଓ ସ୍ନାନଯାତ୍ରା ବାବଦରେ ୧୬.୬୨ କୋଟି, ପାଳିଆ ସେବକଙ୍କ ଦୈନିକ ପାଉଣା ବାବଦରେ ୧୮ କୋଟି, ପିଣ୍ଡିକା, ପରିମାଣିକ ଓ ଭିତର ଦର୍ଶନୀ ବାବଦ ସେବକ ପାଉଣା ବାବଦକୁ ୭ କୋଟି, ନୀତି ବାବଦକୁ ୯.୦୬ କୋଟି, ପ୍ରଶାସନିକ ବ୍ୟୟ ୨୮.୦୫ କୋଟି, ଭକ୍ତ ନିବାସ ପରିଚାଳନା ଓ ରକ୍ଷଣାବେକ୍ଷଣ ବାବଦକୁ ୪.୫୫ କୋଟି, ଶ୍ରୀମନ୍ଦିର ଓ ପରିମଳ କର୍ମଚାରୀଙ୍କ ଦରମା ପାଇଁ ୪୫.୯୩ କୋଟି, ସେବକ ପରିବାର ସ୍ବାସ୍ଥ୍ୟବୀମା ବାବଦରେ ୫ କୋଟି, ସେବକ କଲ୍ୟାଣ ପାଇଁ ୫.୫୧ କୋଟି, ସେବକ ଆବାସ ଯୋଜନା ବାବଦରେ ୩.୫୦ କୋଟି, ଶ୍ରୀମନ୍ଦିର ଆଦର୍ଶ ଗୁରୁକୁଳ ପାଇଁ ୫ କୋଟି, ଶ୍ରୀମନ୍ଦିର ଓ ଅନ୍ୟାନ୍ୟ ଉନ୍ନୟନ କାର୍ଯ୍ୟ ପାଇଁ ୨୬.୦୮ କୋଟି, ପ୍ରଚାରପ୍ରସାର ବାବଦକୁ ୧.୦୪ କୋଟି, ମୂଳ ପାଣ୍ଠି ଜମା ବାବଦରେ ୨୧.୫୦ କୋଟି, କର୍ପସ ପାଣ୍ଠି ଜମା ପାଇଁ ୫୮.୯୬ କୋଟି, ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ଦାନ ବାବଦକୁ ୧୭ ଲକ୍ଷ, ସେବକ କଲ୍ୟାଣ ପାଣ୍ଠି ବାବଦରେ ୫ କୋଟି ଓ ଅନ୍ୟାନ୍ୟ ବାବଦକରେ ୧.୧୯ କୋଟି ଟଙ୍କା ଖର୍ଚ୍ଚ କରାଯିବ। ବୈଠକ ସମ୍ପର୍କରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଶ୍ରୀ ଦାସ କହିଛନ୍ତି, ଦାନ ଅର୍ଥ ବୃଦ୍ଧି ପାଇଁ ପେଟିଏମ୍‌ ସହ ବୈଠକ ହୋଇଛି। ପେଟିଏମ୍‌ କ୍ୟୁଆର୍‌ କୋଡ୍‌ ଜରିଆରେ ଦାନ ଅର୍ଥ ସଂଗ୍ରହ ଉପରେ ପରିଚାଳନା କମିଟି ସହମତି ଜଣାଇଛି। ଏହି କ୍ୟୁଆର୍‌ କୋଡ୍‌ ଭକ୍ତ ନିବାସ, ହୋଟେଲ, ବ୍ୟାଟେରି ଗାଡ଼ି, ଗୁରୁତ୍ବପୂର୍ଣ୍ଣ ସ୍ଥାନ, ସିଂହଦ୍ବାର, ଭୁବନେଶ୍ବର ସୂଚନା କେନ୍ଦ୍ର, ରେଳ ଷ୍ଟେସନ୍‌ ଆଦି ସ୍ଥାନରେ ଲଗାଇବାକୁ ଯୋଜନା କରାଯାଇଛି। ଦେଶବିଦେଶରେ ଥିବା ଭକ୍ତମାନେ ଅନ୍‌ଲାଇନ୍‌ରେ ଯେଭଳି ସୁବିଧାରେ ଦାନ ଦେଇପାରିବେ, ସେ ଉପରେ ଗୁରୁତ୍ବ ଦିଆଯାଇଛି। ୟୁନିଫର୍ମ ପଲିସିରେ ଜମି କିଣାବିକା ପାଇଁ ଅବସରପ୍ରାପ୍ତ ଅଧିକାରୀଙ୍କୁ ନିଯୁକ୍ତି ଦିଆଯାଇଛି। ଏମାନଙ୍କୁ ନେଇ ଆମେ ୟୁନିଫର୍ମ ପଲିସି ଆଧାରରେ ଜମି କିଣାବିକା ପ୍ରକ୍ରିୟାକୁ ତ୍ବରାନ୍ବିତ କରିବାକୁ ଯୋଜନା କରିଛୁ ବୋଲି ଶ୍ରୀ ଦାସ କହିଛନ୍ତି।

Related Articles

Leave a Reply

Your email address will not be published.

Back to top button