୪୦ ଡିଗ୍ରୀ ଉପରେ ୨୫ ସହର

ଭୁବନେଶ୍ୱର : ରାଜ୍ୟରେ ପାରଦ ଉପର ମୁହାଁ ହୋଇଥିବାରୁ ଗତ ୫ ଦିନ ଅଧିକାଂଶ ସହରର ତାପମାତ୍ରା ୪୦ଂ ଛୁଇଁଲାଣି । ସକାଳ ପ୍ରାୟ ୮ରୁ ଅପରାହ୍ଣ ସାଢ଼େ ୪ଟା ପର୍ଯ୍ୟନ୍ତ ତାତି କଲବଲ କରୁଛି । ତେବେ ଆସନ୍ତା ୨୪ଘଣ୍ଟାରେ ରାଜ୍ୟର ତାପମାତ୍ରାରେ ସାମାନ୍ୟ ପରିବର୍ତ୍ତନ ହେବ । କାରଣ ୫ ଦିନ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ବୈଜ୍ଞାନିକ ଉମାଶଙ୍କର ଦାଶ ସୂଚନା ଦେଇଚନ୍ତି । ଶ୍ରୀ ଦାଶ କହିଛନ୍ତି ଯେ ଯେଉଁ ଶୁଷ୍କ ପବନ ପ୍ରବାହିତ ହେଉଥିଲା ତା’ର ଦିଗରେ ଧୀରେ ଧୀରେ ପରିବର୍ତ୍ତନ ହେଉଛି । ତା’ଛଡ଼ା ଗୁରୁଚାପ ବଳୟ; ଯାହା ବଙ୍ଗୋପସାଗରର ଦକ୍ଷିଣକୁ ଥିଲା ତାହା ଧୀରେ ଧୀରେ ଓଡ଼ିଶା ମୁହାଁ ହୋଇଛି । ଫଳରେ ପଶ୍ଚିମ ଓ ଉତ୍ତର-ପଶ୍ଚିମ ଦିଗରୁ ଯେଉଁ ଶୁଷ୍କ ବାୟୁ ପ୍ରବାହିତ ହେଉଥିଲା, ତା’ର ପ୍ରଭାବ ଧୀରେ ଧୀରେ କମିବ । ତା’ସହିତ ଜଳୀୟବାଷ୍ପପୂର୍ଣ୍ଣ ବାୟୁ ଆସିବ । ବର୍ତ୍ତମାନ ରାଜ୍ୟର ଅଧିକାଂଶ ସ୍ଥାନର ତାପମାତ୍ର ୪୦ ଡିଗ୍ରୀ କିମ୍ବା ଏହାଠାରୁ ଅଧିକ ରହିଛି । ଜଳୀୟବାଷ୍ପପୂର୍ଣ୍ଣ ବାୟୁ ଆସିଲେ ଏହି ତାପମାତ୍ରା ପ୍ରଭାବରେ ଆସି ବର୍ଷା ହେବ । ଆଜିଠାରୁ ୫ ଦିନ ପର୍ଯ୍ୟନ୍ତ ରାଜ୍ୟର କେଉଁଠି ନା କେଉଁଠି ବର୍ଷା ହେବ ବୋଲି ଅନୁମାନ କରାଯାଉଛି । ଦକ୍ଷିଣ ଓ ଉତ୍ତର ଓଡ଼ିଶାର କିଛି ଜିଲ୍ଲାରେ ଗୋଟିଏରୁ ଦୁଇଟି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି । ଗଞ୍ଜାମ, ଗଜପତି, ରାୟଗଡ଼ା, ମାଲକାନଗିରି, ନବରଙ୍ଗପୁର, ନୂଆପଡ଼ା, କେଉଁଝର ଓ ମୟୂରଭଞ୍ଜ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ଆଜି ବର୍ଷାର ସମ୍ଭାବନା ରହିଛି । ତେଣୁ ଗତ କିଛି ଦିନ ଧରି ଯେଉଁ ତାତି ରହୁଥିଲା, ତାହା ଆସନ୍ତାକାଲିଠାରୁ ଟିକେ କମିବ । ୧୬ ତାରିଖ ପରେ ୧୭ ଓ ୧୮ ତାରିଖରେ ବିଜୁଳି ଘଡ଼ଘଡ଼ି ସହିତ ପ୍ରବଳ ବର୍ଷାର ସମ୍ଭାବନା ରହିଛି । ଉପକୂଳ ଓଡ଼ିଶା ଓ ପାର୍ଶ୍ୱବର୍ତ୍ତୀ ଜିଲ୍ଲାଗୁଡ଼ିକୁ ଏଥିପାଇଁ ସତର୍କ ସୂଚନା ଜାରି କରାଯାଇଛି । ସେହିପରି ଏକ ନିମ୍ନ ଚାପ ରେଖା ଉତ୍ତର ଛତିଶଗଡ଼ରୁ ବାହାରି ମହାରାଷ୍ଟ୍ର ଦେଇ ତେଲେଙ୍ଗାନା ପର୍ଯ୍ୟନ୍ତ ବ୍ୟାପିଛି । ଏହା ଫଳରେ ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶାର କିଛି ସ୍ଥାନରେ ଆଜି ବର୍ଷା ହେବାର ସମ୍ଭାବନା ରହିଛି । ଜଳୀୟବାଷ୍ପର ପରିମାଣ ବଢ଼ିବା ସହିତ ପବନର ଦିଗ ବଦଳିଲେ ତାପମାତ୍ରା ହ୍ରାସ ପାଇବ । ସେହିପରି ଆସନ୍ତାକଲି ମୟୁରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ, ସମ୍ବଲପୁର, ଦେବଗଡ, ଅନୁଗୁଳ ଏବଂ ଝାରସୁଗୁଡାର ଗୋଟିଏ ୨ଟି ସ୍ଥାନରେ ଗ୍ରୀଷ୍ମପ୍ରବାହ ଜାରି ରହିବ । ୬ତାରିଖରେ ଝାରସୁଗୁଡା, ସମ୍ବଲପୁର, ଅନୁଗୁଳ, ସୋନପୁର, ବୌଦ୍ଧ ଏବଂ ଦେବଗଡର କିଛି ସ୍ଥାନରେ ତାପମାତ୍ରା ଅଧିକ ରହିବ । ୧୬ତାରିଖ ମଧ୍ୟାହ୍ଣ ପରେ ପାଗରେ ପରିବର୍ତ୍ତନ ଆସିବ । ୧୮ତାରିଖ ସକାଳ ସାଢ଼େ ୮ଟା ସୁଦ୍ଧା ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, କଟକ, ଜଗତସିଂପୁର, କେନ୍ଦୁଝର, ମୟୂରଭଞ୍ଜ, ଢେଙ୍କାନାଳ, ଅନୁଗୁଳ, ଖୋର୍ଦ୍ଧା, ପୁରୀ, କନ୍ଧମାଳ, ଗଞ୍ଜାମ, ଗଜପତି, ମାଲକାନଗିରି, କୋରାପୁଟ, ରାୟଗଡା, ନବରଙ୍ଗପୁର, ନୟାଗଡ଼ ଏବଂ କଳାହାଣ୍ଡିରେ ବର୍ଷା ସମ୍ଭାବନା ରହିଥିବା ବେଳେ ବିଜୁଳି ଓ ଘଡଘଡି ମାରିବାର ସମ୍ଭାବନା ମଧ୍ୟ ରହିଛି । ସେହିପରି ୧୯ତାରିଖରେ ଉପକୁଳ ଜିଲ୍ଲା ସମେତ ୧୭ଟି ଜିଲ୍ଲାରେ ବର୍ଷା ସମ୍ଭାବନା ରହିଛି ।
ସେହିପରି ଶୁକ୍ରବାର ରାଜ୍ୟର ୨୫ଟି ସହରରେ ତାପମାତ୍ରା ୪୦ ଡିଗ୍ରି ରେକର୍ଡ କରାଯାଇଛି । ମୟୂରଭଂଜ ଜିଲ୍ଲା ସଦର ମହକୁମା ବାରିପଦାରେ ଶୁକ୍ରବାର ସର୍ବୋଚ୍ଚ ଦିନ ତାପମାତ୍ରା ୪୪ ଡିଗ୍ରୀ ରେକର୍ଡ ହୋଇଛି । କ୍ରମାଗତ ଭାବେ ଦୁଇଦିନ ଧରି ବାରିପଦାର ପାରଦ ଶୀର୍ଷରେ ରହିଛି । ସେହିପରି କଟକରେ ତାପମାତ୍ରା ୪୧.୨, ଭୁବନେଶ୍ୱରରେ ୪୦.୬, ଅନୁଗୁଳ ୪୨.୧, ଝାରସୁଗୁଡା ୪୨.୮, ସମ୍ବଲପୁର ୪୨.୨, ସୁନ୍ଦରଗଡ ୪୨, ହୀରାକୁଦ ୪୦.୬, ତାଳଚେର ୪୨.୬, ଭବାନୀପାଟଣା ୪୧.୫, ବଲାଙ୍ଗିର ୪୨.୨, ଟିଟିଲାଗଡ ୪୨.୫, ସୋନପୁର ୪୨.୧, ନୟାଗଡ ୪୦, ବୌଦ୍ଧ ୪୨.୫, ପାରଳାଖେମୁଣ୍ଡି ୪୦.୧, ଭଦ୍ରକ ୪୦, ଯାଜପୁର ୪୦, ଢେଙ୍କାନାଳ ୪୦.୫, ବରଗଡ ୪୦, ନୂଆପଡା ୪୦.୨, ଜଗତସିଂପୁର ୪୦ ଏବଂ ରାଉରକେଲା ୪୧.୮ ଡିଗ୍ରୀ ରେକର୍ଡ କରାଯାଇଛି ।

Related Articles

Leave a Reply

Your email address will not be published.

Back to top button