କଟକ ମଣ୍ଡଳ କାରାଗାରରୁ ୨ ଅପରାଧୀ ଫେରାର୍

ଭୁବନେଶ୍ବର: ଚୌଦ୍ୱାରସ୍ଥିତ କଟକ ମଣ୍ଡଳ କାରାଗାରରୁ ଦୁଇଜଣ ଦୁର୍ଦ୍ଦାନ୍ତ ଅପରାଧୀ ପାଚେରୀ ଡେଇଁ ଫେରାର୍ ହୋଇଯାଇଛନ୍ତି। ସେମାନେ ହେଲେ ବିହାର ଅଞ୍ଚଳର ମଧୁକାନ୍ତ କୁମାର ଓ ରାଜା ସାହାଣୀ। ଗତ ୪ତାରିଖ ଜାନୁୟାରୀ ୨୦୨୫ ଶନିବାର ଦିନ ସ୍ପଷ୍ଟ ଦିବାଲୋକରେ ଯାଜପୁର ଜିଲ୍ଲା ପାଣିକୋଇଲି ବଜାରରେ ଥିବା ପଣ୍ଡା ଅଳଙ୍କାର ଦୋକାନରେ ୫ ଜଣ ଅପରାଧୀ ଡକାୟତି ଉଦ୍ୟମ କରିବା ଓ ସେମାନଙ୍କ ଗୁଳିମାଡ଼ରେ ଦୁଇଜଣଙ୍କ ମୃତ୍ୟୁହେବା ସହିତ ଅନ୍ୟ ଜଣେ ଗୁରୁତର ହୋଇଥିଲେ। ସାଧାରଣ ଲୋକଙ୍କ ସହାୟତାରେ ୨ଜଣ ଅପରାଧୀଙ୍କୁ ଧରିବା ସମ୍ଭବ ହୋଇଥିବା ବେଳେ ଅନ୍ୟ ୩ଜଣ ଘଟଣାସ୍ଥଳରୁ ଫେରାର୍ ହୋଇଯାଇଥିଲେ। ଅଦ୍ୟାବଧି ଫେରାର୍ ଅପରାଧୀମାନଙ୍କୁ ପୁଲିସ ଧରିବାକୁ ସକ୍ଷମ ହୋଇପାରିନଥିବା ବେଳେ ଆଜିର ଏହି ଘଟଣା ପୁଲିସ ଓ ଜେଲ୍ ପ୍ରଶାସନର କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନ ସୃଷ୍ଟିକରୁଛି। ଯାଜପୁର ଜିଲ୍ଲା ରଗଡ଼ି ଜେଲ୍ରେ ବିଚାରାଧୀନ କଏଦୀ ଭାବେ ସଜା କାଟୁଥିବା ବେଳେ କ୍ରାଇମ୍ କାଟାଗୋରୀ ଅନୁଯାୟୀ ସବୁଠାରୁ ସୁରକ୍ଷିତ କାରାଗାର କଟକ ମଣ୍ଡଳ କାରାଗାରକୁ ଦୁହିଁଙ୍କୁ ସ୍ଥାନାନ୍ତର କରାଯାଇଥିଲା। ହେଲେ ସେମାନେ ଚତୁରତାର ସହ ଗତକାଲି ମଧ୍ୟ ରାତ୍ରରେ ଜେଲରେ ଥିବା ସେଲର ରଡ୍ଗୁଡ଼ିକୁ କାଟିବା ସହ କମ୍ବଳ ସାହାଯ୍ୟରେ ଜେଲ ପାଚେରୀ ଡେଇଁ ଫେରାର୍ ହୋଇଯାଇଥିବା ଜଣାପଡ଼ିଛି। ଏମାନେ ବିହାରର ହାର୍ଡକୋର୍ ଅପରାଧୀ ହୋଇଥିବା ବେଳେ ଏମାନଙ୍କ ନାମରେ ରାଜ୍ୟ ତଥା ରାଜ୍ୟ ବାହାରେ ଥିବା ବିଭିନ୍ନ ଥାନାରେ ଏକାଧିକ ଅପରାଧିକ ମାମଲା ରହିଥିବା ଜଣାପଡ଼ିଛି। ଖବର ପାଇ ଜେଲ୍ ବିଭାଗ ଡିଜିଙ୍କ ନିଦ୍ଦେର୍ଶକ୍ରମେ କଟକ ରେଞ୍ଜ ଡିଆଇଜି ମଣ୍ଡଳ କାରାଗାରରେ ପହଞ୍ôଚ ପ୍ରାଥମିକ ତଦନ୍ତ ଆରମ୍ଭ କରିଛନ୍ତି। କର୍ତ୍ତବ୍ୟରେ ଅବହେଳା ନିମନ୍ତେ ତୁରନ୍ତ ଜଣେ ୱାର୍ଡର୍ ଓ ଜଣେ ଚିଫ୍ ୱାର୍ଡର୍ଙ୍କୁ ସସ୍ପେଣ୍ଡ କରିଥିବାର ସୂଚନା ମିଳିଛି। ଅନ୍ୟ ପକ୍ଷରେ ଚୌଦ୍ୱାର ପୁଲିସ ଓ ସହାୟକ ପୁଲିସ କମିଶନର ଫେରାର୍ ଥିବା ଦୁଇ ଅପରାଧୀଙ୍କ ସଠିକ ସୂଚନା ଦେବା ପାଇଁ ଜନସାଧାରଣଙ୍କୁ ନିବେଦନ କରିଛନ୍ତି ଏବଂ ଏଥିପାଇଁ ୫୦ହଜାର ଟଙ୍କାର ପ୍ରୋତ୍ସାହନ ରାଶି ଦେବାକୁ ଘୋଷଣା କରିଛନ୍ତି।