୯୭ କୋଟି ଭୋଟରଙ୍କ ପାଇଁ ୧୦.୫ ଲକ୍ଷ ପୋଲିଂ ବୁଥ: ରାଜୀବ କୁମାର

ଭୁବନେଶ୍ୱର: ସରିଲା ପ୍ରତୀକ୍ଷା । ବାଜିଲା ୨୦୨୪ ନିର୍ବାଚନ ବିଗୁଲ । ସାଧାରଣ ନିର୍ବାଚନ ପାଇଁ ତାରିଖ ଘୋଷଣା କରୁଛନ୍ତି ଭାରତୀୟ ନିର୍ବାଚନ ଆୟୋଗ(ଇସିଆଇ) । ନୂଆଦିଲ୍ଲୀସ୍ଥିତ ବିଜ୍ଞାନ ଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଇସିଆଇ ନିର୍ବାଚନ ତାରିଖ ଘୋଷଣା କରୁଛନ୍ତି । ଆଉ କେବେ ଓ କେତୋଟି ପର୍ଯ୍ୟାୟରେ ନିର୍ବାଚନ ଅନୁଷ୍ଠିତ ହେବ ତାହା ସ୍ପଷ୍ଟ କରୁଛନ୍ତି । ମୁଖ୍ୟ ନିର୍ବାଚନ ଆୟୁକ୍ତ ରାଜୀବ କୁମାରଙ୍କ ସହିତ ଅନ୍ୟ ଦୁଇ ଆୟୁକ୍ତ ଜ୍ଞାନେଶ କୁମାର ଏବଂ ସୁଖବୀର ସିଂହ ସାନ୍ଧୁ ନିର୍ବାଚନ କାର୍ଯ୍ୟସୂଚୀ ଘୋଷଣା କରୁଛନ୍ତି । ଏହି ଅବସରରେ ମୁଖ୍ୟ ନିର୍ବାଚନ ଆୟୁକ୍ତ ରାଜୀବ କୁମାର କହିଛନ୍ତି ଯେ ଦେଶରେ ମୋଟ ୯୭ କୋଟି ପଞ୍ଜିକୃତ ଭୋଟର ରହିଛନ୍ତି । ୯୭ କୋଟି ଭୋଟରଙ୍କ ପାଇଁ  ୧୦.୫ ଲକ୍ଷ ପୋଲିଂ ବୁଥ ରହିଛି । ଭୋଟ ଗ୍ରହଣ ପାଇଁ ଦେଢ କୋଟି ପୋଲିଂ ଅଫିସର ପ୍ରସ୍ତୁତ ହୋଇ ରହିଛନ୍ତି । ଭୋଟ ଗ୍ରହଣ ପାଇଁ ୫୫ଲକ୍ଷ ଇଭିଏମ ପ୍ରସ୍ତୁତ ହୋଇ ରହିଛି । ୧୮ରୁ ୨୯ ବର୍ଷର ବର୍ଗର ଭୋଟରଙ୍କ ସଂଖ୍ୟା ୨୧ କୋଟି ରହିଛି ।  ଦେଶରେ ୪୯.୭  କୋଟି ପୁରୁଷ ଓ ୪୭.୧ କୋଟି ମହିଳା ଭୋଟର ରହିଛନ୍ତି ।   ୮୫ ବର୍ଷରୁ ଅଧିକ ବୟସ୍କ ଭୋଟରଙ୍କ ସଂଖ୍ୟା ୮ ୨ଲକ୍ଷ । ୧୦୦ବର୍ଷରୁ ଅଧିକ ବୟସ୍କ ଭୋଟରଙ୍କ ସଂଖ୍ୟା ୨ ଲକ୍ଷ ୧୮ ହଜାର ବୋଲି ରାଜୀବ କୁମାର ସୂଚନା ଦେଇଛନ୍ତି ।  ଏହାଛଡ଼ା ସେ କହିଛନ୍ତି ଯେ ପ୍ରଥମ ଥର ପାଇଁ ୧କୋଟି ୮୨ ଲକ୍ଷ ନୂଆଭୋଟର ଭୋଟ ଦେବେ । ଅପରାଧିକ ମାମଲା ଥିଲେ ନିର୍ବାଚନ ମଇଦାନକୁ ଓହ୍ଲାଉଥିବା ପ୍ରାର୍ଥୀ ସେ ସମ୍ପର୍କରେ ବିଜ୍ଞାପନ ଜରିଆରେ ଜଣାଇବେ । ଖବରକାଗଜ, ଟିଭିରେ ୩ଥର ନିଜ ଅପରାଧ ବିବରଣୀ ଦେବେ । ରାଜନୈତିକ ଦଳ ମଧ୍ୟ ଏନେଇ ବିସ୍ତୃତ ସୂଚନା ଦେବେ । କାହିଁକି ଏଭଳି ପ୍ରାର୍ଥୀଙ୍କୁ ଟିକେଟ ଦେଲେ ରାଜନୈତିକ ଦଳଗୁଡ଼ିକୁ କାରଣ ଦର୍ଶାଇବେ ବୋଲି ରାଜୀବ କୁମାର କହିଛନ୍ତି ।

Related Articles

Leave a Reply

Your email address will not be published.

Back to top button