ୱେଟିଂ ଲିଷ୍ଟ ଯାତ୍ରୀଙ୍କୁ ଷ୍ଟେସନ ମନା

ଭୁବନେଶ୍ବର : ଦେଶରେ ସ୍ବତନ୍ତ୍ର ଟ୍ରେନ୍ ଚଳାଚଳ କରାଇବା ଉଦ୍ଦେଶ୍ୟରେ ଯାତ୍ରୀଙ୍କ ପାଇଁ ରେଳ ମନ୍ତ୍ରାଳୟ ଦ୍ବାରା ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଜ୍ୟୋର (ଏସ୍‌ଓପି) ଜାରି ହୋଇଛି। ସମ୍ପୂର୍ଣ୍ଣ ପ୍ରତୀକ୍ଷା ତାଲିକା ଟିକେଟ୍(ୱେଟିଂ ଲିଷ୍ଟ)ରେ ଥିବା ଯାତ୍ରୀଙ୍କୁ ଟ୍ରେନ୍‌ରେ ଯାତ୍ରା କରିବା ଓ ଷ୍ଟେସନ୍‌ରେ ପ୍ରବେଶ କରିବାକୁ ଅନୁମତି ଦିଆଯିବ ନାହିଁ। ଅଣସଂରକ୍ଷିତ ଟିକେଟ୍(ୟୁଟିଏସ୍‌) ସୀମିତ ଟ୍ରେନ୍‌ରେ ଅନୁମତି ଦିଆଯିବ, ଯେଉଁଥିରେ କେବଳ ଅଣସଂରକ୍ଷିତ ଯାତ୍ରା ଅନୁମତି ଦିଆଯାଇଛି। ଟ୍ରେନ୍‌ ଭଡ଼ାରେ କ୍ୟାଟରିଂ ଚାର୍ଜ ଅନ୍ତର୍ଭୁକ୍ତ କରାଯିବ ନାହିଁ। ଟ୍ରେନ୍‌ରେ ପ୍ରିପେଡ୍ କ୍ୟାଟରିଂ ସେବାକୁ ବନ୍ଦ କରାଯାଇଛି। ତେବେ ପ୍ୟାକ୍ ହୋଇଥିବା ଭୋଜନ, ପ୍ୟାକେଜ୍ ପାନୀୟଜଳ ବୋତଲ, ଚା, କଫି ଆଦି ପ୍ୟାଣ୍ଟ୍ରି କାର୍ ଓ ଟ୍ରେନ୍ ସାଇଡ୍ ଭେଣ୍ଡିଂ କରୁଥିବା ଭେଣ୍ଡର୍‌ଙ୍କଠାରୁ କିଣି ପାରିବେ। ଟିକେଟ୍ ବୁକିଂ ସମୟରେ ଏହି ସୂଚନା ଉପଲବ୍ଧ କରିବାକୁ ହେବ। ଏଥିସହ ଆଇଆରସିଟିସି ଇ-କ୍ୟାଟରିଂ ସୁବିଧା ମାଧ୍ୟମରେ ଯାତ୍ରୀଙ୍କୁ କ୍ୟାଟରିଂ ସେବା ଉପଲବ୍ଧ ହୋଇପାରିବ।

ଟ୍ରେନ୍‌ରେ କ୍ୟାଟରିଂ ସେବା ଯୋଗାଣ ସମୟ ସମୟରେ ସରକାରଙ୍କ ଦ୍ବାରା ଜାରି କରାଯାଇଥିବା ସମସ୍ତ ସୁରକ୍ଷା ଏବଂ ସ୍ବଚ୍ଛତା ପ୍ରୋଟୋକଲଗୁଡ଼ିକର ଅନୁପାଳନ ହେବ। ଟ୍ରେନ୍ ଭିତରେ କୌଣସି ଲିନେନ୍‌, କମ୍ବଳ ଓ ପରଦା ଇତ୍ୟାଦି ଦିଆଯିବ ନାହିଁ। ଟ୍ରେନ୍‌ରେ ଯାତ୍ରା ସମୟରେ ଯାତ୍ରୀଙ୍କୁ ନିଜର ଲିନେନ୍‌ ଆଣିବାକୁ ଅନୁରୋଧ କରାଯାଇଛି। ରେଳ ଷ୍ଟେସନ ଓ ଟ୍ରେନ୍‌ରେ ଯିବା ସମୟରେ ଯାତ୍ରୀମାନେ ମାସ୍କ ନ ପିନ୍ଧିଲେ ୫୦୦ ଟଙ୍କା ଜରିମାନା ଆଦାୟ କରାଯିବ। ସମସ୍ତ ଯାତ୍ରୀଙ୍କୁ ରେଳବାଇ ଦ୍ବାରା ନିର୍ଦ୍ଦିଷ୍ଟ କୋଭିଡ୍‌ ପ୍ରୋଟୋକଲ ପାଳନ କରିବା ସହ ଆରୋଗ୍ୟ ସେତୁ ଆପ୍‌ ଡାଉନଲୋଡ୍ କରିବାକୁ ପରାମର୍ଶ ଦିଆଯାଇଛି। ଷ୍ଟେସନ୍‌ରେ ଥର୍ମାଲ୍ ସ୍କ୍ରିନିଂ ହେବା ପରେ ଯାତ୍ରୀଙ୍କୁ ଯାତ୍ରା କରିବାକୁ ଅନୁମତି ଦିଆଯିବ। ଯାତ୍ରୀମାନେ ନିଜର ସାନିଟାଇଜର୍ ସାଙ୍ଗରେ ଆଣିବେ ଏବଂ ସାମାଜିକ ଦୂରତା ପାଳନ କରିବାକୁ ପରାମର୍ଶ ଦିଆଯାଇଛି।

Related Articles

Leave a Reply

Your email address will not be published.

Back to top button