୯ ଏପ୍ରିଲରୁ ଆଇପିଏଲ୍-୧୪

ମୁମ୍ବାଇ: ଆଇପିଏଲ୍‌ର ଚତୁର୍ଦ୍ଦଶ ସଂସ୍କରଣ କାର୍ଯ୍ୟସୂଚୀ ବିସିସିଆଇ ପକ୍ଷରୁ ରବିବାର ଘୋଷଣା କରାଯାଇଛି। ଏହି କାର୍ଯ୍ୟସୂଚୀ ଅନୁସାରେ, ଆସନ୍ତା ଏପ୍ରିଲ୍ ୯ ତାରିଖଠାରୁ ଏହି ସଂସ୍କରଣଟି ଆରମ୍ଭ ହେବ। ଉଦଘାଟନୀ ମ୍ୟାଚ୍ ଚେନ୍ନାଇରେ ଡିଫେଣ୍ଡିଙ୍ଗ୍ ଚାମ୍ପିଅନ୍ ମୁମ୍ବାଇ ଇଣ୍ଡିଆନ୍ସ ଓ ରୟାଲ୍ ଚାଲେଞ୍ଜର୍ସ ବାଙ୍ଗାଲୋର୍ (ଆରସିବି) ମଧ୍ୟରେ ଖେଳାଯିବ। ସେହିପରି ଫାଇନାଲ୍ ମ୍ୟାଚ୍ ଆସନ୍ତା ମେ’ ୩୦ ତାରିଖରେ ଅହମଦାବାଦର ନରେନ୍ଦ୍ର ମୋଦୀ କ୍ରିକେଟ୍ ଷ୍ଟାଡିୟମଠାରେ ଖେଳାଯିବ ବୋଲି ବିସିସିଆଇ ପକ୍ଷରୁ ସୂଚନା ଦିଆଯାଇଛି। ଟୁର୍ଣ୍ଣାମେଣ୍ଟଟି ସମୁଦାୟ ୬ଟି ସହର, ଚେନ୍ନାଇ, ମୁମ୍ବାଇ, କୋଲକାତା, ବେଙ୍ଗାଲୁରୁ, ଅହମଦାବାଦ ଓ ଦିଲ୍ଲୀରେ ଖେଳାଯିବ। ସମୁଦାୟ ସଂସ୍କରଣରେ ୫୬ଟି ମ୍ୟାଚ୍ ଖେଳାଯିବ, ଯେଉଁଥିରେ ୧୧ଟି ଡବଲ୍ ହେଡର୍ ରହିଛି। ସେହିପରି ଫାଇନାଲ୍ ପୂର୍ବରୁ ପ୍ଲେଅଫ୍ ମ୍ୟାଚଗୁଡ଼ିକ ମଧ୍ୟ ନରେନ୍ଦ୍ର ମୋଦୀ ଷ୍ଟାଡିୟମ୍‌ରେ ଖେଳାଯିବ। ଆଇପିଏଲରେ ପ୍ରଥମ ଥର ପାଇଁ ସବୁ ମ୍ୟାଚ୍ ନିରପେକ୍ଷ ଭେନ୍ୟୁରେ ଖେଳାଯିବ। ତା’ଛଡ଼ା ୮ଟିଯାକ ଫ୍ରାଞ୍ଚାଇଜ୍ ୬ଟି ମଧ୍ୟରୁ ୪ଟି ଭେନ୍ୟୁରେ ମ୍ୟାଚ୍ କେଳିବେ ବୋଲି ବିସିସିଆଇ ପକ୍ଷରୁ ସୋସାଲ୍ ମିଡିଆ ମାଧ୍ୟମରେ କାର୍ଯ୍ୟସୂଚୀ ଘୋଷଣା ଅବସରରେ ସୂଚନା ଦିଆଯାଇଛି।

ସେହିପରି ୬ଟି ଭେନ୍ୟୁ ମଧ୍ୟରୁ ଅହମଦବାଦା ଓ ଦିଲ୍ଲୀରେ ୮ଟି ଲେଖାଏଁ ମ୍ୟାଚ୍ ହେବାକୁ ଥିବା ବେଳେ ମୁମ୍ବାଇ, ଚେନ୍ନାଇ, କୋଲକାତା ଓ ବେଙ୍ଗାଲୁରୁରେ ୧୦ଟି ଲେଖାଏଁ ମ୍ୟାଚ୍ ଖେଳାଯିବ। ଏହାଛଡ଼ା ୧୧ଟି ଡବଲ୍ ହେଡର୍ ମଧ୍ୟରୁ ୬ଟି ଟିମ୍ ତିନିଟି ଲେଖାଏଁ ଏବଂ ୨ଟି ଟିମ୍ ୨ଟି ଲେଖାଏଁ ଅପରାହ୍ନ ମ୍ୟାଚ୍ ଖେଳିବେ। ସେହିପରି ଅପରାହ୍ନ ମ୍ୟାଚଗୁଡ଼ିକ ୩.୩୦ ମିନିଟରେ ଓ ରାତି ମ୍ୟାଚଗୁଡ଼ିକ ୭ଟା ୩୦ ମିନିଟରେ ଆରମ୍ଭ ହେବ। କୋରୋନା ସଂକ୍ରମିତ ଜନିତ ସ୍ଥିତି ପରିପ୍ରେକ୍ଷୀରେ ଟିମଗୁଡ଼ିକୁ ଯେପରି କମ୍ ଯାତ୍ରା କରିବାକୁ ପଡ଼ିବ, ସେଇ ଅନୁସାରେ କାର୍ଯ୍ୟସୂଚୀ ପ୍ରସ୍ତୁତ ହୋଇଛି। ସବୁ ମ୍ୟାଚ୍ ବିନା ଦର୍ଶକରେ ଖେଳାଯିବ। ଅବଶ୍ୟ ଟୁର୍ଣ୍ଣାମେଣ୍ଟ୍ ଜାରି ରହି୍ଥିବା ସମୟରେ କୋଭିଡ୍ ସ୍ଥିତି ଉପରେ ନଜର ରଖି ଆବଶ୍ୟକ ପଡ଼ିଲେ ଦର୍ଶକଙ୍କୁ ଅନୁମତି ଦିଆଯିବ ବୋଲି ମଧ୍ୟ ନିଷ୍ପତ୍ତି ହୋଇଛି ବୋଲି ବିସିସିଆଇ ପକ୍ଷରୁ ସୂଚନା ଦିଆଯାଇଛି।

Related Articles

Leave a Reply

Your email address will not be published.

Back to top button