୬ରୁ ଲାଗୁ ହେବ ବିଏମସି କଟକଣା

ଭୁବନେଶ୍ୱରରେ ହୋଇପାରିବନି ସମାବେଶ କାର୍ଯ୍ୟକ୍ରମ

ଭୁବନେଶ୍ୱର: ହୁ ହୁ ହୋଇ ବଢୁଛି କରୋନା । ସମ୍ଭବତଃ ଦ୍ୱିତୀୟ ଲହର ଆରମ୍ଭ ହେବାର ସଙ୍କେତ ଦେଲାଣି । ଯେତେ ସଚେତନ କଲେ ବି ଲୋକେ କିନ୍ତୁ ସତର୍କ ହେଉନାହାନ୍ତି । ତେଣୁ ଭୁବନେଶ୍ୱର ମହାନଗର ନିଗମ (ବିଏମସି) ପୁଣି ଥରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନରେ କଟକଣା ଲଗାଇବାକୁ ନିଷ୍ପତ୍ତି ନେଇଛି । ଏଣିକି ରାଜଧାନୀ ଭୁବନେଶ୍ୱରରେ ପ୍ରଚାରଧର୍ମୀ କାର୍ଯ୍ୟକ୍ରମ, ସମାବେଶ ବା ସମ୍ମଳିନୀ ହୋଇପାରିବ ନାହିଁ । ସେହିପରି କୌଣସି ଅନୁଷ୍ଠାନ ପକ୍ଷରୁ ଶତବାର୍ଷିକୀ, ସୁବର୍ଣ୍ଣ ଜୟନ୍ତୀ କି ରୌପ୍ୟ ଜୟନ୍ତୀ ଆଦି ପାଳନ କରାଯାଇ ପାରିବନି । ଶିକ୍ଷାନୁଷ୍ଠାନ ଗୁଡ଼ିକର ବାର୍ଷିକ ଉତ୍ସବରେ ବି କଟକଣା ଲାଗିବ।

ଅନ୍ୟାନ୍ୟ ସାମାଜିକ ସମାବେଶ ପାଇଁ ବିଏମସିରୁ ନିର୍ଦ୍ଧିଷ୍ଟ ଅନୁମତି ନେବାକୁ ପଡ଼ିବ ଏବଂ କରୋନା ସ୍ଥିତିକୁ ଆଖିରେ ରଖି କର୍ତ୍ତୃପକ୍ଷ ୧୦୦ ରୁ କମ ଲୋକ ସମବେତ ହୋଉଥିବା କାର୍ଯ୍ୟକ୍ରମ ପାଇଁ ଅନୁମତି ଦେବେ ବୋଲି ସ୍ପଷ୍ଟ କରିଛନ୍ତି । ସେହିପରି ବିବାହ ଉତ୍ସବରେ ଅତି ବେଶୀରେ ଶହେ ଜଣ ସାମିଲ ହୋଇପାରିବେ ଏବଂ ଅନ୍ତ୍ୟେଷ୍ଠି କ୍ରିୟାରେ ୫୦ ଜଣ ଯୋଗ ଦେବା ପାଇଁ ଅନୁମତି ମିଳିବ । ବିଏମସି ପକ୍ଷରୁ ଏଭଳି ମାର୍ଗଦର୍ଶିକା ଜାରି ହୋଇଥିବା ବେଳେ ଆସନ୍ତା ୬ ତାରିଖଠାରୁ ଏହା କଡ଼ାକଡ଼ି ଭାବେ ପାଳନ କରାଯିବ ବୋଲି ସ୍ପଷ୍ଟ ହୋଇଛି ।

Related Articles

Leave a Reply

Your email address will not be published.

Back to top button