୫ ବର୍ଷରୁ କମ୍ ଶିଶୁଙ୍କ ପାଇଁ ମାସ୍କ ଅନାବଶ୍ୟକ: ଡିଜିଏଚଏସ୍

ନୂଆଦିଲ୍ଲୀ: କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ଅଧୀନସ୍ଥ ସ୍ବାସ୍ଥ୍ୟସେବା ମହାନିର୍ଦେଶାଳୟ (ଡିଜିଏଚଏସ୍) କୋଭିଡ୍ ଗାଇଡଲାଇନରେ କେତେକ ସଂଶୋଧନ କରିଛି। ଏହି ସଂଶୋଧନ ଅନୁସାରେ, ୫ ବର୍ଷରୁ କମ୍ ବୟସର ଶିଶୁଙ୍କୁ କୋଭିଡ୍ ଭୂତାଣୁଠାରୁ ରକ୍ଷା ପାଇବା ସକାଶେ ମାସ୍କ ପିନ୍ଧିବାର ଆବଶ୍ୟକତା ନାହିଁ। ତା’ଛଡ଼ା ୬ରୁ ୧୧ ବର୍ଷ ବୟସ୍କର ପିଲାମାନେ ମାସ୍କ ପିନ୍ଧିପାରିବେ ବୋଲି ସୁପାରିସ୍ କରାଯାଇଥିଲେ ହେଁ ସେମାନଙ୍କ ଅଭିଭାବକମାନେ ଡାକ୍ତରମାନଙ୍କ ପରାମର୍ଶ କ୍ରମେ ମାସ୍କ ପିନ୍ଧାଇବାକୁ କୁହାଯାଇଥିବା ମହାନିର୍ଦେଶାଳୟ ପକ୍ଷରୁ କୁହାଯାଇଛି। ୧୮ ବର୍ଷରୁ କମ୍ ବୟସ୍କ ପିଲାମାନଙ୍କ ପାଇଁ ଡିଜିଏଚଏସ୍ ପକ୍ଷରୁ କୋରୋନା ଭୂତାଣୁ ପରିଚାଳନା ସଂକ୍ରାନ୍ତରେ ଏପରି ସଂଶୋଧନ କରାଯାଇଥିବା କୁହାଯାଇଛି। ଏକ ରିପୋର୍ଟ ଅନୁସାରେ, ନାବାଳକନାବାଳିକାଙ୍କୁ କୋଭିଡ୍ ସଂକ୍ରମଣରୁ ରକ୍ଷା କରିବା ସକାଶେ ମହାନିର୍ଦେଶାଳୟ ପକ୍ଷରୁ ସ୍ବତନ୍ତ୍ର ନିୟମାବଳୀ ପ୍ରସ୍ତୁତ ହୋଇଛି। ଉକ୍ତ ନିୟମାବଳୀରେ ନାବାଳକ ଓ ନାବାଳିକାମାନଙ୍କୁ ରେମଡିସିଭିର୍ ଔଷଧ ବ୍ୟବହାର କରିବାକୁ ମନା କରାଯାଇଛି। ତେବେ ଏଚଆରସିଟି ଇମେଜିଂର ଉପଯୋଗ ପାଇଁ ନିର୍ଦେଶାଳୟ ପକ୍ଷରୁ ପ୍ରସ୍ତୁତ ନିୟମାବଳୀରେ ପରାମର୍ଶ ଦିଆଯାଇଛି।

ସେହିପରି ଉକ୍ତ ନିୟମାବଳୀ ଜାରି କରିବା ସହ ଡିଜିଏଚ୍ଏସ୍ ପକ୍ଷରୁ କୁହାଯାଇଛି ଯେ ସାମାନ୍ୟତମ ସଂକ୍ରମଣ ଓ ଲକ୍ଷଣ ପରିଲକ୍ଷିତ ହେବା ପରେ ଷ୍ଟେରଏଡ୍‌ର ଉପଯୋଗ ଘାତକ ସାବ୍ୟସ୍ତ ହେବାର ଆଶଙ୍କା ରହିଛି। କେବଳ ହସ୍ପିଟାଲରେ ଗୁରୁତର ଅବସ୍ଥାରେ ଚିକିତ୍ସାଧୀନ ଥିବା କୋରୋନା ସଂକ୍ରମିତଙ୍କ ସକାଶେ ଷ୍ଟେରଏଡର ଉପଯୋଗ ପାଇଁ ଉକ୍ତ ନିୟମାବଳୀରେ ସୁପାରିସ୍ କରାଯାଇଛି। ତା’ଛଡ଼ା ଷ୍ଟେରଏଡ୍‌ର ଉପଯୋଗ ସଠିକ୍ ସମୟରେ ହେବା ସହ ତା’ର ଉପଯୁକ୍ତ ମାତ୍ରା ମଧ୍ୟ ଦିଆଯିବା ଉଚିତ। ଆହୁରି ମଧ୍ୟ ଷ୍ଟେରଏଡର ଉପଯୋଗ ମଧ୍ୟରେ ନିର୍ଦ୍ଦିଷ୍ଟ ବ୍ୟବଧାନ ମଧ୍ୟ ହେବା ଦରକାର ବୋଲି ଡିଜିଏଚଏସ୍ ପକ୍ଷରୁ କୁହାଯାଇଛି। ରେମଡିସିଭିରର ଉପଯୋଗ ୧୮ ବର୍ଷରୁ କମ୍ ବୟସର ପିଲାମାନଙ୍କ କ୍ଷେତ୍ରରେ ବିଶେଷ ଭାବେ ସଫଳତା ପ୍ରଦାନ କରୁଥିବାର ପ୍ରମାଣ ନ ଥିବାରୁ ଏହାକୁ ବାରଣ କରାଯାଇଛି। ଏହାଛଡ଼ା କୋଭିଡ୍-୧୯ ସଂକ୍ରମିତଙ୍କ ଫୁସଫୁସରେ କେତେ ମାତ୍ରାରେ ସଂକ୍ରମଣ ହୋଇଛି, ତାହା ଜାଣିବା ସକାଶେ ହାଇ ରିଜଲ୍ୟୁସନ୍ ସିଟି (ଏଚଆରସିଟି)ର ଆବଶ୍ୟକତା ରହିଛି। ତେଣୁ ଏଚଆରସିଟି ଇମେଜିଂ ପାଇଁ ପରାମର୍ଶ ଦେବା ସମୟରେ ଡାକ୍ତରମାନେ ବିଶେଷ ଭାବେ ସତର୍କତା ଅବଲମ୍ବନ କରିବା ଉଚିତ ବୋଲି ଡିଜିଏଚଏସ୍ ପକ୍ଷରୁ କୁହାଯାଇଛି।

Related Articles

Leave a Reply

Your email address will not be published.

Back to top button