୨୧ରୁ ୟୁଟ୍ୟୁବ୍‌ରେ ପଢ଼ିବେ ପ୍ରଥମରୁ ଅଷ୍ଟମ ଛାତ୍ରଛାତ୍ରୀ

ଭୁବନେଶ୍ବର: ମହାମାରୀ କୋରୋନା ପାଇଁ ଦୁଇ ବର୍ଷ ହେବ ସ୍କୁଲ୍‌ ବାରଣ୍ଡା ମାଡ଼ି ନାହାଁନ୍ତି ପ୍ରାଥମିକ ସ୍କୁଲ୍‌ ଛାତ୍ରଛାତ୍ରୀ। ତେବେ ଆଗକୁ ମଧ୍ୟ କ’ଣ ହେବ, କାହା ପାଖରେ କୌଣସି ଉତ୍ତର ନାହିଁ। ପିଲାମାନଙ୍କ ଭବିଷ୍ୟତ ଦିନକୁ ଦିନ ଅନ୍ଧାର ଭିତରକୁ ଠେଲି ହୋଇଯାଉଥିବା ବେଳେ ପାଠପଢ଼ା ନେଇ ବିକଳ୍ପ ବ୍ୟବସ୍ଥା କରୁଛନ୍ତି ସରକାର। ପିଲାମାନଙ୍କୁ ପାଠ ପଢ଼ାଇବା ପାଇଁ ରାଜ୍ୟ ସରକାର ଅନ୍‌ଲାଇନ୍‌ରେ ପାଠପଢ଼ା ବ୍ୟବସ୍ଥା କରିଥିଲେ। ତେବେ ନେଟ୍‌ୱର୍କ ସମସ୍ୟା ପାଇଁ ଏହା ସେତେଟା ଫଳପ୍ରଦ ହେଲାନାହିଁ। ଗ୍ରାମାଞ୍ଚଳ ଓ ଦୁର୍ଗମ ଅଞ୍ଚଳରେ ଠିକ୍‌ ଭାବେ ନେଟ୍‌ୱର୍କ ନ ଥିବାରୁ ପିଲାମାନେ ନାହିଁ ନ ଥିବା ଅସୁବିଧାରେ ସମ୍ମୁଖୀନ ହେଲେ। ଏହାପରେ ରାଜ୍ୟ ସରକାର ଏବେ ୟୁଟ୍ୟୁବ୍‌ରେ ପାଠ ପଢ଼ାଇବାର ବ୍ୟବସ୍ଥା କରିବାକୁ ଯାଉଛନ୍ତି। ପ୍ରଥମରୁ ୮ମ ଶ୍ରେଣୀ ପିଲାଙ୍କ ପାଇଁ ୟୁଟ୍ୟୁବରେ ପାଠ ପଢ଼ାଇବା ପାଇଁ ରାଜ୍ୟ ସରକାର ବ୍ୟବସ୍ଥା କରୁଛନ୍ତି। ଆସନ୍ତା ୨୧ ତାରିଖରୁ ଜୁଲାଇ ୨ ଯାଏ ୟୁଟ୍ୟୁବ ଲାଇଭ କ୍ଲାସ ମାଧ୍ୟମରେ ପାଠ ପଢ଼ାଯିବ। ସେଥିପାଇଁ ସବୁ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଚିଠି ଲେଖିଛନ୍ତି ରାଜ୍ୟ ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣର ଓସେପାର ପ୍ରକଳ୍ପ ନିର୍ଦେଶକ ଭୂପେନ୍ଦ୍ର ସିଂ ପୁନିଆ।

ପ୍ରଥମରୁ ତୃତୀୟ ଶ୍ରେଣୀ ଯାଏ ଗଣିତ ଓ ଓଡ଼ିଆ ଭାଷା ବିଷୟରେ ସକାଳ ୯ରୁ ୧୦ଟା ପର୍ଯ୍ୟନ୍ତ ଅଧ ଘଣ୍ଟାଏ ଲେଖାଏଁ କ୍ଲାସ୍‌ ହେବ। ସେହିପରି ୪ର୍ଥରୁ ୮ମ ଯାଏ ଇଂରାଜୀ, ଗଣିତ ଓ ଓଡ଼ିଆ ଭାଷା ବିଷୟରେ ସକାଳ ୯ରୁ ୧୦ ଟା ୩୦ ଯାଏ କ୍ଲାସ୍‌ ହେବ। ପ୍ରତି କ୍ଲାସ୍‌ ଅଧଘଣ୍ଟା ଲେଖାଏଁ ଚାଲିବ। ପ୍ରଥମ ପର୍ଯ୍ୟାୟ ୟୁଟ୍ୟୁବ୍‌ କ୍ଲାସ୍‌ ପାଇଁ ୮ଟି ଜିଲ୍ଲା ଯଥା ଖୋର୍ଦ୍ଧା, ବଲାଙ୍ଗିର, କଟକ, କେନ୍ଦ୍ରାପଡ଼ା, ଗଞ୍ଜାମ, ପୁରୀ, ଢେଙ୍କାନାଳ, ସୁନ୍ଦରଗଡ଼କୁ ଚୟନ କରାଯାଇଛି। ସୋମବାରରୁ ଶୁକ୍ରବାର ପର୍ଯ୍ୟନ୍ତ ୩୦ ମିନିଟ୍‌ର ୩ଟି ଲେଖାଏଁ ପିରିୟଡ୍‌ ଅନୁଷ୍ଠିତ ହେବ। ଶନିବାର ଓ ରବିବାର କୌଣସି କ୍ଲାସ୍‌ ହେବନି। ୟୁଟ୍ୟୁବ ପାଠପଢ଼ା ଲାଗି ଜିଲ୍ଲା ଶିକ୍ଷା ଅଧିକାରୀ(ଡିଇଓ)ମାନେ କ୍ଲାସରୁମ୍‌ ପ୍ରସ୍ତୁତ କରିବେ। ଏହି ପାଠପଢ଼ା ତଦାରଖ ଲାଗି ଡିଇଓମାନେ ଏକ ସ୍ବତନ୍ତ୍ର ଟିମ୍‌ ଗଠନ କରିବେ, ଯେଉଁଥିରେ ବରିଷ୍ଠ ବିଷୟ ବିଶେଷଜ୍ଞ ମୁଖ୍ୟ ରହିବେ। ଏହି ଟିମ୍‌ ପାଠ ପଢ଼ାଉଥିବା ଶିକ୍ଷକଙ୍କୁ ଗାଇଡ୍‌ କରିବା ସହ ଲାଇଭ୍‌ କ୍ଲାସ ପୂର୍ବରୁ କଣ୍ଟେଣ୍ଟ୍‌ ଦେଖିବେ, ଠିକ୍‌ ଭାବେ କିଭଳି କ୍ଲାସ୍‌ ହୋଇପାରିବ ସେ ବିଷୟରେ ଅନୁଧ୍ୟାନ କରିବେ।

ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ମଧ୍ୟ ଏହା ଦାୟିତ୍ବରେ ରହିବେ। ଲାଇଭ୍‌ କ୍ଲାସ୍‌ ସମୟରେ ଯେପରି କୌଣସି ପ୍ରକାର ବିଭ୍ରାଟ ନ ହୁଏ ଶିକ୍ଷକମାନେ ସେଥିପ୍ରତି ଗୁରୁତ୍ବ ଦେବେ। ବିଶେଷଜ୍ଞ ଟିମ୍‌ ପ୍ରତି ୟୁଟ୍ୟୁବ୍‌ କ୍ଲାସର ସମୀକ୍ଷା କରି ପରାମର୍ଶ ଦେଇପାରିବେ। ପ୍ରତିଦିନ କେତେ ଛାତ୍ରଛାତ୍ରୀ ୟୁଟ୍ୟୁବ୍‌ରେ ପଢ଼ିଲେ ସ୍କୁଲ୍‌ଗୁଡ଼ିକ ତାହାର ତଥ୍ୟ ସଂଗ୍ରହ କରିବେ। ୟୁଟ୍ୟୁବରେ ଯେଉଁ ବିଷୟ ପଢ଼ାଯିବ ବିଦ୍ୟାଳୟର ସମ୍ପୃକ୍ତ ବିଷୟର ଶିକ୍ଷକ ତାହାକୁ ଦେଖିବେ ଏବଂ ସ୍କୁଲ୍‌ ଛାତ୍ରଛାତ୍ରୀଙ୍କ ମଧ୍ୟରେ ରହୁଥିବା ଦ୍ବନ୍ଦ୍ବକୁ ହ୍ବାଟସ୍‌ଆପ୍‌ ଚାଟ୍‌ ଓ ଭଏସ୍‌ କଲ୍‌ ମାଧ୍ୟମରେ ଦୂର କରିବେ। ସ୍କୁଲ୍‌ ଶିକ୍ଷକମାନେ ବିଷୟ ଅନୁଯାୟୀ, କ୍ଲାସ୍‌ ଅନୁଯାୟୀ ପ୍ରତି ଚାପ୍ଟରର ୱାର୍କସିଟ୍‌ ପ୍ରସ୍ତୁତ କରିବେ ଏବଂ ତାହାକୁ ପିଲାଙ୍କ ନିକଟକୁ ହ୍ବାଟସ୍‌ଆପ୍‌ରେ ପଠାଇବେ। ପ୍ରତି ପିଲାର ୱାର୍କସିଟ୍‌କୁ ମୂଲ୍ୟାୟନ କରି ସ୍କୋର ପ୍ରଦାନ କରିବେ। ସେଗୁଡ଼ିକୁ ବ୍ଲକ୍‌, ଜିଲ୍ଲା ଓ ରାଜ୍ୟସ୍ତରୀୟ ଅଧିକାରୀମାନେ ଅନୁଧ୍ୟାନ କରିବେ। ସ୍କୁଲ୍‌ଗୁଡ଼ିକ ନିଜସ୍ତରରେ ଅନ୍‌ଲାଇନ୍‌ କ୍ଲାସ୍‌ କରି ପିଲାଙ୍କ ଦ୍ବନ୍ଦ୍ବ ଦୂର କରିପାରିବେ। କେଉଁ ଦିନ କେଉଁ ବିଷୟରେ ଶିକ୍ଷା ଦିଆଯିବ ତାହାର ତାଲିକା ଜିଲ୍ଲା ଶିକ୍ଷା ଅଧିକାରୀମାନଙ୍କ ପାଖକୁ ପଠାଇ ଦିଆଯାଇଛି। ସେପଟେ ଆଜିଠୁ ଦୂରଦର୍ଶନ ମାଧ୍ୟମରେ ଯୁକ୍ତ ଦୁଇ ଶେଷ ବର୍ଷ ଲାଗି ଫିଜିକ୍ସ ଓ କେମିଷ୍ଟ୍ରି ବିଷୟରେ ଭିଡିଓ କ୍ଲାସ ହେବ ଓ ରାତି ୯ରୁ ୧୦ଟା ଯାଏ ଭିଡିଓ କ୍ଲାସ୍‌ର ପ୍ରସାରଣ ହେବ।

Related Articles

Leave a Reply

Your email address will not be published.

Back to top button