୧୮ ରୁ ୪୫ ବର୍ଷ ବର୍ଗ ପାଇଁ ଟିକାକରଣ

ନୂଆଦିଲ୍ଲୀ : ଆସନ୍ତା ମେ ୧ ରୁ ଦେଶରେ ତୃତୀୟ ପର୍ଯ୍ୟାୟ ଟିକାକରଣ ଆରମ୍ଭ ହେବାକୁ ଯାଉଛି । ଏହି ପର୍ଯ୍ୟାୟରେ ୧୮ ବର୍ଷରୁ ଊର୍ଦ୍ଧ୍ବ ଏବଂ ୪୫ ବର୍ଷରୁ କମ ପାଖାପାଖି ୮୧ କୋଟି ଲୋକଙ୍କୁ ଟିକା ଦେବାକୁ ଲକ୍ଷ୍ୟ ରଖାଯାଇଛି । ଏଥିନିମନ୍ତେ ଅନଲାଇନ ପଞ୍ଜୀକରଣ ବାଧ୍ୟତାମୂଳକ କରାଯାଇଛି । ପୂର୍ବ ଘୋଷଣା ମୁତାବକ ବୁଧବାର ଅପରାହ୍ନ ୪ଟାରୁ ପଞ୍ଜୀକରଣ ପ୍ରକ୍ରିୟା ଆରମ୍ଭ ହୋଇଥିଲା । କିନ୍ତୁ ପଞ୍ଜୀକରଣ ପାଇଁ ଖୋଲାଯାଇଥିବା କୋୱିନ ପୋର୍ଟାଲ ୪ଟା ବେଳେ କ୍ରାସ ହୋଇଯାଇଥିଲା ଏବଂ ଓଟିପି ଆସିବାରେ ବି ବିଳମ୍ବ ହୋଇଥିଲା । ଆରୋଗ୍ୟ ସେତୁ ଏବଂ ଉମଙ୍ଗ ଆପରେ ମଧ୍ୟ ଲୋକଙ୍କୁ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥିଲା । ଏକାସାଙ୍ଗରେ ମାତ୍ରାଧିକ ଲୋକ କୋୱିନ ପୋର୍ଟାଲ ଯୋଗେ ପଞ୍ଜୀକରଣ କରିବାକୁ ଚେଷ୍ଟା କରିବାରୁ ଏଭଳି ସମସ୍ୟା ଦେଖାଯାଇଥିଲା । ତେବେ କିଛି  ସମୟ ପରେ ପରିସ୍ଥିତି ସୁଧାର ଆସିଥିଲା ଏବଂ ଉପରୋକ୍ତ ସମସ୍ତ ୱେବସାଇଟ ଓ ଆପରେ ପଞ୍ଜୀକରଣ ପ୍ରକି୍ରୟା ସ୍ୱାଭାବିକ ହୋଇଥିଲା । କୋୱିନ ୱେବସାଇଟ ସିଇଓଙ୍କ ସୂଚନା ମୁତାବକ, ପଞ୍ଜୀକରଣ ଆରମ୍ଭର ପ୍ରଥମ ଘଣ୍ଟାକ ଭିତରେ ୩୫ ଲକ୍ଷ ଲୋକ ପଞ୍ଜୀକରଣ କରିଥିଲେ । ଅପରାହ୍ନ ୪ଟାରୁ ସନ୍ଧ୍ୟା ୭ଟା ଭିତରେ ପ୍ରାୟ ୮୦ ଲକ୍ଷ ଲୋକ ପଞ୍ଜୀକରଣ କରାଇଛନ୍ତି । ତେବେ ଅଧିକାଂଶ, ଲୋକ ଟିକା ନେବା ପାଇଁ ତାରିଖ ଓ ଟିକାକରଣ କେନ୍ଦ୍ର ଧାର୍ଯ୍ୟ (ସିଡ୍ୟୁଲ) କରିପାରିନାହାନ୍ତି । ବିଭିନ୍ନ ରାଜ୍ୟ ସରକାର ଏବଂ ଘରୋଇ ହସ୍ପିଟାଲ ସେମାନଙ୍କ ନିକଟରେ ଗଚ୍ଛିତ ଟିକାର ପରିମାଣ ଓ ଟିକାକରଣ କେନ୍ଦ୍ର ସମ୍ପର୍କରେ ସୂଚନା ଦେବା ପରେ ଲୋକେ ସିଡ୍ୟୁଲ କରିପାରିବେ ବୋଲି ସେ ପ୍ରକାଶ କରିଛନ୍ତି ।

Related Articles

Leave a Reply

Your email address will not be published.

Back to top button