୧୦୦ କୋଟି ବ୍ୟୟରେ ୩୦ ଜିଲ୍ଲାରେ ହେବ ବିଜ୍ଞାନ କେନ୍ଦ୍ର

ଭୁବନେଶ୍ବର: ମଣିଷ ସଭ୍ୟତାର ବିକାଶରେ ବିଜ୍ଞାନ ଓ ବୈଷୟିକ ଜ୍ଞାନର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି। ବିଜ୍ଞାନ ବିନା ଜୀବନଯାପନ କରିବା ସମ୍ଭବ ନୁହେଁ। ଯଦି ଆଜି ମଣିଷ ସଭ୍ୟତାର ଶିଖରରେ ପହଞ୍ଚିପାରିଛି, ତେବେ ଏହା ହେଉଛି ବିଜ୍ଞାନର ଅବଦାନ। ବିଜ୍ଞାନ ଓ ବିକାଶ ଗୋଟିଏ ମୁଦ୍ରାର ଦୁଇ ପାର୍ଶ୍ବ। ଏଣୁ ଛାତ୍ରଛାତ୍ରୀମାନେ ବିଜ୍ଞାନ ଶିକ୍ଷାରେ ମନୋନିବେଶ କରିବା ସହିତ ବୈଜ୍ଞାନିକ ମନୋବୃତ୍ତି ନେଇ ଜୀବନରେ ଆଗକୁ ବଢ଼ିବା ଉଚିତ୍। ବୁଧବାର ଭିଡିଓ କନଫରେନସିଂ ଜରିଆରେ ରାୟଗଡାରେ ଏକ ପ୍ଲାନେଟୋରିଅମ ଏବଂ କୋରାପୁଟ ଜିଲ୍ଲାର ଜୟପୁରରେ ଏକ ଜିଲ୍ଲା ବିଜ୍ଞାନ କେନ୍ଦ୍ର ପାଇଁ ଭିତ୍ତି ପ୍ରସ୍ତର ସ୍ଥାପନ କରିବା ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଭଳି ମତବ୍ୟକ୍ତ କରିଛନ୍ତି।

ଓଡିଶା ଆଜି ବିକାଶ ପଥରେ ଅଗ୍ରଗତି କରି ବିଜ୍ଞାନ ଓ ବୈଷୟିକ ଶକ୍ତିର ପ୍ରୟୋଗରେ ଏକ ଜ୍ଞାନ ଅର୍ଥନୀତି (ନଲେଜ ଇକୋନୋମି) ଦିଗରେ ଅଗ୍ରସର ହେଉଛି। ବିକାଶର ଏହି ପ୍ରକ୍ରିୟାକୁ ଜାରି ରଖିବା ପାଇଁ ଛାତ୍ରଛାତ୍ରୀ ଓ ସାଧାରଣ ଲୋକଙ୍କ ଭିତରେ ବୈଜ୍ଞାନିକ ମନୋବୃତ୍ତି, ଅନୁସନ୍ଧିତ୍ସୁ ମନୋଭାବ ଏବଂ ଯୁକ୍ତିଯୁକ୍ତ ଚିନ୍ତାଧାରା ରହିବା ଜରୁରୀ। ରାଜ୍ୟ ସରକାର ଓଡିଶାରେ ବିଜ୍ଞାନ, ପ୍ରଯୁକ୍ତି ବିଦ୍ୟା, ଇଞ୍ଜିନିୟରିଂ ଓ ଗଣିତ ଶିକ୍ଷାରେ ଅଧିକରୁ ଅଧିକ ଛାତ୍ରଛାତ୍ରୀ ମାନଙ୍କୁ ଆକୃଷ୍ଟ କରିବା ପାଇଁ ପଦକ୍ଷେପ ନେଉଛନ୍ତି। ବିଜ୍ଞାନ ଶିକ୍ଷା ଦିଗରେ ରାଜ୍ୟ ସରକାରଙ୍କ ପଦକ୍ଷେପ ଦ୍ବାରା ସମାଜରେ ବୈଜ୍ଞାନିକ ମନୋଭାବ ବୃଦ୍ଧି ପାଇବା ସହିତ ପିଲାମାନଙ୍କ ମଧ୍ୟରେ ତର୍କସଙ୍ଗତ ଚିନ୍ତାଧାରା ବୃଦ୍ଧି ପାଇବ ବୋଲି ମୁଖ୍ୟମନ୍ତ୍ରୀ ଆଶାପ୍ରକାଶ କରିଥିଲେ। ଏହି କାର୍ଯ୍ୟକ୍ରମରେ ରାୟଗଡ଼ା ଠାରେ ଅନୁସୂଚିତ ଜନଜାତି ଓ ଜାତି ବିକାଶ ମନ୍ତ୍ରୀ ଜଗନ୍ନାଥ ସାରକା ଯୋଗ ଦେଇ କହିଲେ ଯେ ବିକାଶର ଧାରାରେ ବିଜ୍ଞାନର ସହାୟତା ସବୁବେଳେ ଜରୁରୀ। ରାୟଗଡାରେ ପ୍ଲାନେେଟାରିଅମ୍‌ ସ୍ଥାପନ ଦ୍ବାରା ସ୍ଥାନୀୟ ପିଲାମାନଙ୍କ ମଧ୍ୟରେ ବୈଜ୍ଞାନିକ ଚିନ୍ତାଧାରା ବୃଦ୍ଧି ପାଇବ ବୋଲି ସେ ଆଶାପ୍ରକାଶ କରିଥିଲେ। ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଅଶୋକ ପଣ୍ଡା କହିଥିଲେ ଯେ ଭୁବନେଶ୍ବରର ପ୍ଲାନେଟୋରିଅମକୁ ଆହୁରି ବଡ କରାଯାଇ ଏଥିରେ ୧୨୦ ଜଣ ବସିବାର ବ୍ୟବସ୍ଥା କରାଯାଉଛି। ସେହିପରି ଜୟପୁର ଠାରେ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ପଦ୍ମିନୀ ଦିଆନ କହିଲେ ଯେ ଜୟପୁରରେ ପ୍ଲାନେଟାରିଅମ୍‌ ପ୍ରତିଷ୍ଠା ସମଗ୍ର କୋରାପୁଟ ଜିଲ୍ଲା ପାଇଁ ଖୁସିର କଥା। ଏହି କାର୍ଯ୍ୟକ୍ରମରେ ପ୍ଲାନେଟୋରିଅମ ଓ ଜିଲ୍ଲା ବିଜ୍ଞାନ କେନ୍ଦ୍ର ସମ୍ପର୍କରେ ଏକ କ୍ଷୁଦ୍ର ଭିଡିଓ ଚିତ୍ର ପ୍ରଦର୍ଶନ କରାଯାଇଥିଲା। ମୁଖ୍ୟମନ୍ତ୍ରୀଙ୍କ ସଚିବ (ଟି) ଭି.କେ. ପାଣ୍ଡିଆନ କାର୍ଯ୍ୟକ୍ରମ ସଂଚାଳନ କରିଥିଲେ। ଏହି କାର୍ଯ୍ୟକ୍ରମରେ ରାଜ୍ୟସଭା ସାଂସଦ ଏନ୍‌. ଭାସ୍କର ରାଓ, ଏବଂ ସ୍ଥାନୀୟ ବିଧାୟକମାନେ ଉପସ୍ଥିତ ଥିଲେ।

Related Articles

Leave a Reply

Your email address will not be published.

Back to top button