ହୋଇପାରିବନି ବିଜୟ ଶୋଭାଯାତ୍ରା

ନୂଆଦିଲ୍ଲୀ: ଦେଶରେ ଭୟଙ୍କର ହେଉଛି କରୋନା ସ୍ଥିତି ।  ବଢୁଛି କରୋନାର କାୟା ।  ସ୍ଥିତି ହେଉଛି ବେକାବୁ । ଦେଶରେ କରୋନା ମହାମାରୀର ମହାସମର ଆରମ୍ଭ ହୋଇଯାଇଛି । କରୋନା ଏବେ ଲମ୍ବ ଡିଆଁ ମାରି ଗୋଟିକ ପରେ  ଗୋଟିଏ ରାଜ୍ୟରେ ପ୍ରବେଶ କରିଛି । ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢି ଚାଲିଛି ।  ଏହାରି ଭିତରେ ଏକ ବଡ଼ ଖବର ସାମନାକୁ ଆସିଛି ।  ତାହା ହେଲା  କରୋନାର ଦ୍ରୁତ ସଂକ୍ରମଣକୁ ଦୃଷ୍ଟିରେ ରଖି ନିର୍ବାଚନ କମିଶନ ଏକ  ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି ।   ମେ ୨ ପରେ ଭୋଟ ଗଣତି ଫଳାଫଳ ପ୍ରକାଶ ପାଇବା ପରେ ବିଜୟ ଶୋଭାଯାତ୍ରାକୁ ବାରଣ କରିଛନ୍ତି  ନିର୍ବାଚନ କମିଶନ ।  ମେ ୨ରେ ପଶ୍ଚିମବଙ୍ଗ, ଆସାମ, ତାମିଲନାଡୁ, କେରଳ ଓ ପୁଡୁଚେରୀରେ ଫଳାଫଳ ଘୋଷଣା ହେବ । ତେବେ  ଏହା ପରେ ବିଜୟ ଶୋଭାଯାତ୍ରା କରାଗଲେ କରୋନା ସଂକ୍ରମଣ ବୃଦ୍ଧିର ଆଶାଙ୍କା ରହିଛି । ପ୍ରକାଶ ଯେ, କରୋନା ପାଇଁ ଦେଶରେ ଏବେ ଭୟଙ୍କର ପରିସ୍ଥିତି ଦେଖାଦେଇଛି । ଏ ନେଇ ଏକ ମାମଲାର ଶୁଣାଣି କରି ମାଡ୍ରାସ ହାଇକୋର୍ଟ  ଗତକାଲି  ନିର୍ବାଚନ କମିସନଙ୍କ ଉପରେ  ବର୍ଷିଥିଲେ । କରୋନାର ଦ୍ୱିତୀୟ ଲହର ପାଇଁ ହାଇକୋର୍ଟ ନିର୍ବାଚନ କମିସନଙ୍କୁ ଦାୟୀ କହିଥିଲେ। କୋର୍ଟ କହିଥିଲେ, ନିର୍ବାଚନ ଅଧିକାରୀଙ୍କ ବିରୋଧରେ ହତ୍ୟା ମାମଲା ବି ରୁଜୁ କରାଯିବା ଉଚିତ । କାରଣ ସଙ୍କଟ ପରେ ବି ରାଜନୈତିକ ଦଳଗୁଡିକର ରାଲିକୁ ରୋକିନଥିଲେ କମିସନ । ଏବେ କୋଭିଡ ଗାଇଡଲାଇନ ପାଳନ ପାଇଁ ବ୍ଲୁପ୍ରିଂଟ ପ୍ରସ୍ତୁତ ଭୋଟଗଣତିକୁ ବନ୍ଦ କରିବାକୁ ବି ଚେତାବନୀ ଦେଇଥିଲେ ମାଡ୍ରାସ ହାଇକୋର୍ଟ । ହାଇକୋର୍ଟ ମୁଖ୍ୟ ବିଚାରପତି ସଞ୍ଜିବ ବାନାର୍ଜୀ ଓ ଏସ. ରାମୂର୍ତିଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଥିଲେ ଆଜି ଯେଉଁ କୋଭିଡ ପରିସ୍ଥିତି ସୃଷ୍ଟି ହୋଇଛି ସେଥିପାଇଁ ନିର୍ବାଚନ କମିସନ ଦାୟୀ କୋଭିଡ ପ୍ରୋଟକଲ ମାନିବାକୁ କୋର୍ଟ ବାରମ୍ବାର ନିର୍ଦ୍ଦେଶ ସତ୍ୱେ ରାଜନୈତିକ ଦଳଗୁଡିକୁ ରାଲିକୁ ନେଇ କୌଣସି କାର୍ୟ୍ୟାନୁଷ୍ଠାନ ନେଲେ ନାହିଁ କମିସନ। ଯଦି ମେ ୨ ତାରିଖ ଭୋଟଗଣତି ପୂର୍ବରୁ କୋଭିଡ ପ୍ରୋଟକଲ ପାଳନ ପାଇଁ କୌଣସି ବ୍ଲୁପ୍ରିଂଟ ପ୍ରସ୍ତୁତ କରାନଯାଏ ତାହା ହେଲେ ଭୋଟ ଗଣତିକୁ ବି ଆମେ ରୋକିଦେଇପାରୁ। ସ୍ୱାସ୍ଥ୍ୟ ପ୍ରସଙ୍ଗ ବେଶ ଗୁରୁତ୍ୱପୂର୍ଣ୍ଣ,କିନ୍ତୁ କ୍ଷୋଭର ସହ କହିବାକୁ ପଡୁଛି କୋର୍ଟଙ୍କୁ ଏ ବିଷୟରେ ମନେପକାଇବାକୁ ପଡୁଛି । କେନ୍ଦ୍ର ସ୍ୱାସ୍ଥ୍ୟ ସଚିବଙ୍କ ସହ ଆଲୋଚନା କରି ଭୋଟଗଣତି ବେଳେ ବ୍ଲୁ ପ୍ରିଂଟ କଣ ରହିବ ସେ ନେଇ ଏପ୍ରିଲ ୩୦ ତାରିଖ ସୁଦ୍ଧା ଜଣାଇବାକୁ କହିଥିଲେ ମାଡ୍ରାସ ହାଇକୋର୍ଟ । ତାମିଲନାଡୁର ଜଣେ ମନ୍ତ୍ରୀଙ୍କ ଦ୍ୱାରା ମାଡ୍ରାସ ହାଇକୋର୍ଟରେ ଦାୟର ଏକ ଜନସ୍ୱାର୍ଥ ମାମଲାର ବିଚାର ଚାଲିଥିବାବେଳେ ମାଡ୍ରାସ ହାଇକୋର୍ଟ ଏଭଳି ଟିପ୍ପଣୀ ଦେଇଥିଲେ ।

Related Articles

Leave a Reply

Your email address will not be published.

Back to top button