ହିମନ୍ତ ବିଶ୍ୱଶର୍ମା ଆସାମ ନୂଆ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ: ଆସାମର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ କିଏ ହେବ, ସେ ନେଇ ଜାରି ରହିଥିବା ସସପେନ୍ସ ଉପରୁ ପରଦା ହଟିଛି । ଆସାମର ନୂଆ ମୁଖ୍ୟମନ୍ତ୍ରୀ ଭାବେ ହିମନ୍ତ ବିଶ୍ୱଶର୍ମାଙ୍କ ନାଁ ଘୋଷଣା କରାଯାଇଛି । କେନ୍ଦ୍ର ମନ୍ତ୍ରୀ ତଥା ଆସାମ ପର୍ଯ୍ୟବେକ୍ଷକ ନରେନ୍ଦ୍ର ସିଂହ ତୋମାର ଏହି ଘୋଷଣା କରିଛନ୍ତି। ଆଜି ବିଜେପି ବିଧାୟକ ଦଳ ବୈଠକ ବସିଥିଲା। ଏଥିରେ ସର୍ବସମ୍ମତି କ୍ରମେ ହିମନ୍ତଙ୍କୁ ବିଧାୟକ ଦଳ ନେତା ନିର୍ବାଚିତ କରାଯାଇଥିଲା। ହିମନ୍ତଙ୍କ ନାଁ ପ୍ରସ୍ତାବ ଦେଇଥିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୱାଲ୍। ହିମନ୍ତଙ୍କ ନେତୃତ୍ୱରେ ଆସାମରେ ଏନ୍‌ଡିଏ ସରକାର ଗଠନ ହେବ। ଆଜି ହିମନ୍ତ ରାଜ୍ୟପାଳଙ୍କୁ ଭେଟି ସରକାର ଗଠନ ନେଇ ଦାବି ଉପସ୍ଥାପନ କରିବେ। ସୂଚନା ଅନୁସାରେ ସେ ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ। ଆଜି ବିଧାୟକ ଦଳ ବୈଠକରେ ଆସାମ ବିଜେପି ପ୍ରଭାରୀ ବୈଜୟନ୍ତ ପଣ୍ଡା, ବରିଷ୍ଠ ନେତା ବିଏଲ୍ ସନ୍ତୋଷ ଏବଂ ଅଜୟ ଜାମୱାଲ୍‌ ଉପସ୍ଥିତ ଥିଲେ। ଆସାମରେ ଲଗାତାର ଦ୍ୱିତୀୟ ଥର ପାଇଁ କ୍ଷମତାକୁ ଫେରିଛି ବିଜେପି। ନିର୍ବାଚନ ରାଲି ସମୟରୁ ହିଁ ହିମନ୍ତଙ୍କ ନାଁ ମୁଖ୍ୟମନ୍ତ୍ରୀ ପାଇଁ ଜୋରଦାର ଚର୍ଚ୍ଚାରେ ରହିଥିଲା।  ଚଳିତ ବର୍ଷ ବିଧାନସଭା ନିର୍ବାଚନରେ ୧୨୬ ଆସନ ମଧ୍ୟରୁ ବିଜେପି ୬୦ଟି ଆସନରେ ବିଜୟୀ ହୋଇଛି । ବିଜେପିର ସହଯୋଗୀ ଦଳ ଆସାମ ଗଣ ପରିଷଦ ୯ଟି, ୟୁନାଇଟେଡ୍ ପିପୁଲ୍ସ ପାର୍ଟି ଲିବରାଲ୍ ୬ଟି ସିଟ୍ ଜିତିଛି । ଆଜି ବିଧାୟକ ଦଳ ବୈଠକ ପୂର୍ବରୁ ସର୍ବାନନ୍ଦ ସୋନୱାଲ ଆସାମ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ। ସେ ରାଜ୍ୟପାଳ ଜଗଦୀଶ ମୁଖୀଙ୍କୁ ତାଙ୍କ ଇସ୍ତଫାପତ୍ର ପ୍ରଦାନ କରିଥିଲେ।

Related Articles

Leave a Reply

Your email address will not be published.

Back to top button