ସ୍ପୁଟନିକ-ଭି ଡେଲଟା ଭାରିଏଣ୍ଟ ପ୍ରତି ପ୍ରଭାବୀ ଅଧିକ

ନୂଆଦିଲ୍ଲୀ : ଋଷର ଗମାଲେୟା ପ୍ରତିଷ୍ଠାନ ଦ୍ୱାରା ପ୍ରସ୍ତୁତ ସ୍ପୁଟନିକ-ଭି ଟିକା କରୋନା ଭୂତାଣରୁ ଡେଲଟା ଭାରଏଣ୍ଟ କ୍ଷେତ୍ରରେ ମଧ୍ୟ ଅଧିକ ପ୍ରଭାବୀ ବୋଲି ଗବେଷଣାରୁ ଜଣାପଡ଼ିଛି । ବିଶ୍ୱରେ ଉପଲବ୍ଧ ହେଉଥିବା ସମସ୍ତ ଟିକା ଭିତରେ ସ୍ପୁଟନିକ-ଭି ଅଧିକ ଫଳପ୍ରଦ ହେଉଥିବା ଏହାର ନିଜସ୍ୱ ଟ୍ୱିଟର ହ୍ୟାଣ୍ଡେଲରେ ସୂଚନା ଦିଆଯାଇଛି । ଗମାଲେୟା ପ୍ରତିଷ୍ଠାନ ପକ୍ଷରୁ ହୋଇଥିବା ଗବେଷଣାକୁ ଅନ୍ତର୍ଜାତୀୟ ସ୍ତରରେ ଜର୍ଣ୍ଣାଲରେ ପ୍ରକାଶିତ ତଥ୍ୟକୁ ଅଧାର କରି ଏହି ସୂଚନା ଦିଆଯାଇଛି । ସ୍ପୁଟନିକ-ଭିର ସଫଳତା ହାର ୯୧.୬ ପ୍ରତିଶତ ରହିଥିବା ସଂସ୍ଥା ଦାବି କରିଥିବା ବେଳେ ୬୭ଟି ଦେଶ ଏହି ଟିକାକୁ ମଞ୍ଜୁର କରିଛନ୍ତି । ରସିଆନ୍ ଡାଇରେକ୍ଟ ଇନଭେଷ୍ଟମେଣ୍ଟ ଫଣ୍ଡ ବା ଆରଡିଆଇଏଫ ପକ୍ଷରୁ ଚଳିତମାସ ୧୦ତାରିଖରେ ଟିକାର ଫଳପ୍ରଦ ହାର ୯୪.୩ ପ୍ରତିଶତ ରହିଥିବା ବାହାରିନରେ ହୋଇଥିବା ଟିକାକରଣ ଅଭିଯାନକୁ ଭିତ୍ତି କରି କୁହାଯାଇଥିଲା । ମାତ୍ର ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ବା ‘ହୁ’ ଏହି ଟିକାକୁ ଜରୁରୀକାଳୀନ ଭିତ୍ତିରେ ବ୍ୟବହାରକୁ ମଧ୍ୟ ଅନୁମତି ଦେଇନାହିଁ । ଭାରତରେ ଗତମାସ ୧୭ତାରିଖରେ ସ୍ପୁଟନିକ-ଭି ଟିକା ଆପୋଲୋ ହସ୍ପିଟାଲ ଓ ହାଇଦ୍ରାବାଦର ଡ. ରେଡ୍ଡି ଲାବୋରେଟାରିରେ ଉପଲବ୍ଧ ହୋଇଥିଲା । ପରଦିନ ବିଶାଖାପାଟଣାରେ ମଧ୍ୟ ଟିକା ଦିଆଯାଇଥିଲା । ଆପୋଲୋ ହସ୍ପିଟାଲ ବାଦ ଦିଲ୍ଲୀସ୍ଥିତ ମଧୁକର ରେନବୋ ଶିଶୁ ହସ୍ପିଟାଲରେ ଚଳିତ ସପ୍ତାହ ଶେଷ ଆଡ଼କୁ ଉପଲବ୍ଧ ହେବ ବୋଲି କୁହାଯାଉଛି । କେନ୍ଦ୍ର ସରକାର ସ୍ପୁଟନିକ-ଭି ଟିକାର ଦର ୧୧୪୫ ଟଙ୍କା ଧାର୍ଯ୍ୟ କରିଛନ୍ତି । ସ୍ପୁଟନିକ-ଭି ଟିକା ଆସିବା ପରେ ଦେଶରେ ଟିକାକରଣକୁ ଅଧିକ ବଳ ମିଳିବ ବୋଲି ଆଶା କରାଯାଉଛି । ଟିକାର ଅଭାବ ପାଇଁ ଅନେକ ରାଜ୍ୟରେ ଟିକାକରଣ ଠିକ୍ ଭାବେ ହୋଇପାରୁ ନାହିଁ । ଭାରତ ବିଶ୍ୱର ସର୍ବାଧିକ ଟିକା ପ୍ରସ୍ତୁତକାରୀ ଦେଶ ହୋଇଥିଲେ ହେଁ ଟିକାର ଅଭାବ ପାଇଁ ମାତ୍ର ୩ ପ୍ରତିଶତ ଲୋକଙ୍କ ଟିକାକରଣ ସମ୍ଭବ ହୋଇପାରିଛି ।

Related Articles

Leave a Reply

Your email address will not be published.

Back to top button