ସୁଶୀଲ ଚନ୍ଦ୍ରା ନୂଆ ମୁଖ୍ୟ ନିର୍ବାଚନ କମିଶନର

ନୂଆଦିଲ୍ଲୀ: ନିର୍ବାଚନ କମିଶନର ସୁଶୀଲ ଚନ୍ଦ୍ରା ଦେଶର ନୂଆ ମୁଖ୍ୟ ନିର୍ବାଚନ କମିଶନର (ସିଇସି) ଭାବେ ନିଯୁକ୍ତି ପାଇଛନ୍ତି। ରାଷ୍ଟ୍ରପତି ରାମନାଥ କୋବିନ୍ଦ ତାଙ୍କୁ ସୋମବାର ସିଇସି ଭାବେ ନିଯୁକ୍ତି ଦେଇଛନ୍ତି। ମଙ୍ଗଳବାର ସୁଶୀଲ ଚନ୍ଦ୍ରା ସିଇସି ଭାବେ ଦାୟିତ୍ବ ଗ୍ରହଣ କରିବେ। ସିଇସି ସୁନିଲ ଅରୋରା ସୋମବାର ଅବସର ଗ୍ରହଣ କରିଥିଲା ବେଳେ ସୁଶୀଲ ଚନ୍ଦ୍ରା ତାଙ୍କର ଉତ୍ତରାଧିକାରୀ ଭାବେ ଦାୟିତ୍ବ ନେବାକୁ ଯାଉଛନ୍ତି। ସୁଶୀଲ ଦେଶର ୨୪ ତମ ସିଇସି ଭାବେ ୨୦୨୨ ମେ’ ୧୪ ତାରିଖ ପର୍ଯ୍ୟନ୍ତ ଦାୟିତ୍ବରେ ରହିବେ। ୨୦୧୯ ଫେବ୍ରୁଆରୀ ୧୪ ତାରିଖରେ ସୁଶୀଲ ନିର୍ବାଚନ କମିଶନର ଭାବେ ଦାୟିତ୍ବ ନେଇଥିଲେ। ବର୍ତ୍ତମାନ ସେ ବରିଷ୍ଠ ସଦସ୍ୟ ଭାବେ ବିଧି ଅନୁସାରେ ନୂଆ ସିଇସି ନିଯୁକ୍ତି ପାଇଛନ୍ତି। ସିଇସି ଭାବେ ସୁଶୀଲ ତାଙ୍କ କାର୍ଯ୍ୟକାଳରେ ୧୦ଟି ବିଧାନସଭା ନିର୍ବାଚନ ପରିଚାଳନା କରିବେ। ଆଉ ଏଣିକି ନାମାଙ୍କନ ଭରିବା କାମ ଅନଲାଇନରେ କରିବାକୁ ସ୍ଥିର ହୋଇଥିବାରୁ ତାଙ୍କୁ ସବୁ କିଛି ଅନଲାଇନରେ କରିବାକୁ ପଡ଼ିବ। ଉତ୍ତର ପ୍ରଦେଶ, ପଞ୍ଜାବ, ଗୋଆ, ଉତ୍ତରାଖଣ୍ଡ ପରି ରାଜ୍ୟର ନିର୍ବାଚନ ହେବାକୁ ରହିଛି। ପଞ୍ଜାବ, ଗୋଆ, ଉତ୍ତରାଖଣ୍ଡ, ମଣିପୁର ବିଧାନସଭାର କାର୍ଯ୍ୟକାଳ ୨୦୨୨ ମାର୍ଚ୍ଚରେ ଶେଷ ହେବାକୁ ଯାଉଥିଲା ବେଳେ ଗୁରୁତ୍ବପୂର୍ଣ୍ଣ ଉତ୍ତର ପ୍ରଦେଶ ବିଧାନସଭା କାର୍ଯ୍ୟକାଳ ୨୦୨୨ ମେ’ରେ ଶେଷ ହେବାକୁ ଯାଇଛି।

Related Articles

Leave a Reply

Your email address will not be published.

Back to top button