ସୁବୋଧ ଜୟସ୍ୱାଲ ହେଲେ ସିବିଆଇ ନିର୍ଦ୍ଦେଶକ

ନୂଆଦିଲ୍ଲୀ: ୧୯୮୫ ବ୍ୟାଚର ବରିଷ୍ଠ ଆଇପିଏସ ଅଫିସର ସୁବୋଧ ଜୟସ୍ୱାଲ ସିବିଆଇ ନିର୍ଦ୍ଦେଶକ ଭାବେ ନିଯୁକ୍ତ ହୋଇଛନ୍ତି । ଏହି ମହାରାଷ୍ଟ୍ର କ୍ୟାଡର ଆଇପିଏସ ଅଫିସର ସମ୍ପ୍ରତି ସିଆଇଏସଏଫ ମହାନିର୍ଦ୍ଦେଶକ ପଦରେ ଅଛନ୍ତି । ସେ ଦୁଇ ବର୍ଷ ପାଇଁ ସିବିଆଇ ନିର୍ଦ୍ଦେଶକ ପଦରେ ରହିବେ । ସିବିଆଇ ନିର୍ଦ୍ଦେଶକ ଚୟନ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହୋଇଥିଲା । ସୁପ୍ରିମକାେର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ଏନ ଭି ରମଣା ଉଲ୍ଲେଖ କରିଥିବା ଏକ ପ୍ରବଧାନ ଅନୁଯାୟୀ ଜଣଙ୍କର ଚାକିରିକାଳ ୬ ମାସରୁ କମ ରହିଥିଲେ ତାଙ୍କୁ ଏପରି ଗୁରୁତ୍ୱପୂର୍ଣ୍ଣ ପଦବିରେ ଅବସ୍ଥାପିତ କରାଇବା ଠିକ ହେବ ନାହିଁ । ସର୍ବୋଚ୍ଚ ଅଦାଲତ ଅନୁରୂପ ଟିପ୍ପଣୀ କରିଥିବା ଦର୍ଶାଇ ସେ ଏପରି ଗୁରୁତ୍ୱାରୋପ କରିଥିବା କହିଥିଲେ ଏବଂ ତଦନୁସାରେ ଚୟନ ପ୍ରକ୍ରିୟା ଚୂଡାନ୍ତ ହୋଇଥିଲା ।

ଗତ ଫେବୃୟାରୀରୁ ଖାଲି ପଡ଼ିଥିବା ଏହି ଗୁରୁତ୍ୱପୂର୍ଣ୍ଣ ପଦବି ପାଇଁ ଚାରିଟି ସବୁଠୁ ବରିଷ୍ଠ ବ୍ୟାଚ (୧୯୮୪-୮୭) ଆଇପିଏସ ଅଧିକାରୀଙ୍କ ମଧ୍ୟରୁ ଜଣଙ୍କୁ ବଛାଯିବା ପାଇଁ ସ୍ଥିର ହୋଇଥିଲା । ଆଲୋଚନା ବେଳେ ଜଷ୍ଟିସ ରମଣା ଦେଇଥିବା ପରାମର୍ଶ କ୍ରମେ ଜୁଲାଇ ୩୧ରେ ଅବସର ନେଉଥିବା ସୀମା ସୁରକ୍ଷା ବାହିନୀ ମୁଖ୍ୟ ରାକେଶ ଆସ୍ଥାନା ଏବଂ ଚଳିତ ମାସ ୩୧ ତାରିଖରେ ଅବସର ନେଉଥିବା ଜାତୀୟ ତଦନ୍ତ ସଂସ୍ଥା (ଏନଆଇଏ) ମୁଖ୍ୟ ୱାଇ ସି ମୋଦିଙ୍କ ନାମକୁ ବାଦ ଦେବାକୁ ପଡ଼ିଥିଲା ।

Related Articles

Leave a Reply

Your email address will not be published.

Back to top button