ସୁନା କାରବାରରେ ବାଧ୍ୟତାମୂଳକ ହଲମାର୍କ

ନୂଆଦିଲ୍ଲୀ: ପୂର୍ବ ଘୋଷଣା ଅନୁସାରେ କେନ୍ଦ୍ର ସରକାର ସୁନା ଅଳଙ୍କାର ଓ ସୁନାର କଳାକୃତି ପାଇଁ ହାଲମାର୍କକୁ ବାଧ୍ୟତାମୂଳକ କରିଛନ୍ତି। ବିନା ହାଲମାର୍କରେଆଉ ସୁନା ଅଳଙ୍କାର ଓ ସୁନାର କଳାକୃତି ବିକ୍ରି ହୋଇପାରିବ ନାହିଁ ବୋଲି ନିର୍ଦେଶ ଦେବା ସହ ଏହାକୁ ତୁରନ୍ତ କାର୍ଯ୍ୟକାରୀ କରିବା ଆରମ୍ଭ କରିଛନ୍ତି। ୨୦୧୯ ନଭେମ୍ବରେ ସରକାର ସୁନାକୁ ହଲମାର୍କ କରିବା ପାଇଁ ନିଷ୍ପତ୍ତି ନେଇଥିଲେ। ସାଧାରଣ ଲୋକେ ଯେପରି ସୁନା କିଣିବା ବେଳେ ଠକି ନ ଯାଆନ୍ତି, ତାହାକୁ ଆଖିରେ ରଖି ସେତେବେଳେ ଏହି ନିଷ୍ପତ୍ତି ହୋଇଥିଲା। ତେଣୁ ସୁନା ଅଳଙ୍କାରକୁ ହଲମାର୍କ କରିବା ପାଇଁ ୨୦୨୧ ଜାନୁଆରୀ ୧୫ ତାରିଖକୁ ଡେଡଲାଇନ ଧାର୍ଯ୍ୟ କରାଯାଇଥିଲା। ମାତ୍ର ପରବର୍ତ୍ତୀ ପର୍ଯ୍ୟାୟରେ କୋରୋନା ମହାମାରୀ ପାଇଁ ଡେଡଲାଇନ ୨୦୨୧ ଜୁନ ୧ ଓ ପରେ ପୁଣି ଥରେ ଜୁନ ୧୫କୁ ବଢ଼ିଥିଲା। ଆଉ ଏହି ଡେଡଲାଇନ ଶେଷ ହେବା ସହ ସବୁ ସୁନା ଅଲଙ୍କାର ବିକ୍ରି ପାଇଁ ହଲମାର୍କକୁ ବାଧ୍ୟତାମୂଳକ କରାଯାଇଛି। ଏଠାରେ ସୂଚନାଯୋଗ୍ୟ ଯେ ୨୦୨୧ ଜୁନ ୧୫ ତାରିଖ ପର୍ଯ୍ୟନ୍ତ ସୁନା ଅଳଙ୍କାରକୁ ହଲମାର୍କ ଦେଇ ବିକ୍ରି କରିବା ଇଚ୍ଛାଧୀନ ଥିଲା। ମାତ୍ର ଡେଡଲାଇନ ଶେଷ ହେବା ପରେ ଏବେ ଏହାକୁ ବାଧ୍ୟତାମୂଳକ ଭାବେ ଲାଗୁ କରାଯାଇଛି। ଦେଶର ୨୫୬ଟି ଜିଲ୍ଲାରେ ସୁନା ଅଳଙ୍କାର ତିଆରି ହୋଇଥାଏ। ତେଣୁ ପ୍ରଥମ ପର୍ଯ୍ୟାୟରେ ଏହିସବୁ ସ୍ଥାନରେ ହଲମାର୍କକୁ ବାଧ୍ୟତାମୂଳକ ହେଲା ବୋଲି ଘୋଷଣା ହୋଇଛି। ଏହାପରେ ଦେଶର ସବୁ ଜିଲ୍ଲାର ଏହାକୁ ଲାଗୁ କରାଯିବ। ମାତ୍ର ଯେଉଁ କ୍ଷୁଦ୍ର ବ୍ୟବସାୟୀଙ୍କ ବାର୍ଷିକ କାରବାର ୪୦ ଲକ୍ଷରୁ କମ୍ ସେମାନଙ୍କୁ ଏଥିରୁ ବାଦ ଦିଆଯିବ ବୋଲି ଘୋଷଣା କରାଯାଇଛି।

Related Articles

Leave a Reply

Your email address will not be published.

Back to top button