ସବୁ ପ୍ରାପ୍ତ ବୟସ୍କଙ୍କୁ ମାଗଣା ଟିକା, ରାଜ୍ୟମାନଙ୍କୁ ପଡ଼ିବନି ଦେୟ: ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କ ଉଦେଶ୍ୟରେ ବଡ଼ ଘୋଷଣା କରି ସମସ୍ତ ପ୍ରାପ୍ତ ବୟସ୍କଙ୍କ ପାଇଁ ମାଗଣା ଟିକା ଘୋଷଣା କରିଛନ୍ତି। ଯେଉଁମାନଙ୍କ ବୟସରୁ ୧୮ ରୁ ଊର୍ଦ୍ଧ୍ବ ସେମାନେ ବିନା ଦେୟରେ ଟିକା ପାଇପାରିବେ ବୋଲି ଘୋଷଣା କରିଛନ୍ତି। ଜୁନ ୨୧ ତାରିଖରୁ ଏହି ମାଗଣା ଟିକାକରଣ ପ୍ରକ୍ରିୟା ଆରମ୍ଭ ହେବ ବୋଲି ଘୋଷଣା କରିଛନ୍ତି। ଏଣିକି କୌଣସି ରାଜ୍ୟ ସରକାରଙ୍କୁ ଆଉ ଟିକା ପାଇଁ ଦେୟ ଦେବାକୁ ପଡ଼ିବ ନାହିଁ। ଦେଶରେ ଟିକା କମ୍ପାନୀମାନେ ଯେତିକି ଟିକା ଉତ୍ପାଦନ କରିବେ ତାହାର ୭୫ ପ୍ରତିଶତ କେନ୍ଦ୍ର ସରକାର କ୍ରୟ କରି ରାଜ୍ୟମାନଙ୍କୁ ବଣ୍ଟନ କରିବେ। ଆଉ ବଳକା ୨୫ ପ୍ରତିଶତ ଦେଶର ଘରୋଇ ହସ୍ପିଟାଲମାନଙ୍କୁ ଟିକା କମ୍ପାନୀମାନେ ବିକ୍ରି କରିପାରିବେ।

ଅର୍ଥାତ ପୂର୍ବରୁ କେନ୍ଦ୍ର ସରକାର ଉତ୍ପାଦିତ ଟିକାର ୫୦ ପ୍ରତିଶତ କିଣି ରାଜ୍ୟମାନଙ୍କୁ ଦେଉଥିଲା ବେଳେ ୨୫ ପ୍ରତିଶତ ଟିକା ରାଜ୍ୟ ସରକାରମାନଙ୍କୁ ନିଜସ୍ବ ସମ୍ବଳରେ ଟିକା କମ୍ପାନୀମାନଙ୍କ ଠାରୁ କ୍ରୟ କରିବାକୁ ଅନୁମତି ଦିଆଯାଇଥିଲା। ମାତ୍ର ରାଜ୍ୟ ଭାଗରେ ଥିବା ୨୫ ପ୍ରତିଶତକୁ ମିଶାଇ କେନ୍ଦ୍ର ସରକାର ୭୫ ପ୍ରତିଶତ ଟିକା କିଣି ରାଜ୍ୟମାନଙ୍କୁ ବିନା ଦେୟରେ ଯୋଗାଇବେ ବୋଲି ସ୍ପଷ୍ଟ କରିଛନ୍ତି। ତେଣୁ ଆଗକୁ ରାଜ୍ୟମାନଙ୍କୁ ଆଉ ସେମାନଙ୍କ ୨୫ ଭାଗ ଟିକା କ୍ରୟ କରିବାକୁ ପଡ଼ିବ ନାହିଁ। ମାତ୍ର ଘରୋଇ ହସ୍ପିଟାଲ ସେମାନଙ୍କ ଭାଗ ୨୫ ପ୍ରତିଶତ ଟିକା କିଣି ଲୋକଙ୍କୁ ଦେଇ ପାରିବେ। ଏଥିସହ ପ୍ରଧାନମନ୍ତ୍ରୀ ସ୍ପଷ୍ଟ କରିଛନ୍ତି ଯେ ଘରୋଇ ହସ୍ପିଟାଲମାନେ ଟିକାଦାନ ପାଇଁ ଟିକାର ଧାର୍ଯ୍ୟ ଦାମ ଠାରୁ ୧୫୦ ଟଙ୍କା ଅଧିକ ସର୍ଭିସ ଚାର୍ଜ ଆକାରରେ ନେବେ।

ପ୍ରଧାନମନ୍ତ୍ରୀ ତାଙ୍କ ଅଭିଭାଷଣରେ ଆହୁରି କହିଛନ୍ତି ଯେ ଦେଶରେ ବର୍ତ୍ତମାନ ୭ଟି ଫାର୍ମା କମ୍ପାନୀ ଅଲଗା ଅଲଗା କୋଭିଡ ଟିକା ବାହାର କରିବାକୁ ପ୍ରୟାସ ଜାରି ରଖିଛନ୍ତି। ଏଥିମଧ୍ୟରୁ ୩ଟି କମ୍ପାନୀର ଟିକା ଆଡଭାନ୍ସଡ ଷ୍ଟେଜରେ ପହଞ୍ଚି ସାରିଛି। ନାଜାଲ ସ୍ପ୍ରେ ଭ୍ୟାକ୍ସିନ ନେଇ ଗବେଷଣା ଚାଲିଛି। ଯଦି ଏହା ଫଳପ୍ରଦ ହୁଏ ତାହେଲେ ଏହା ଆମର ଟିକାକରଣ ପ୍ରକ୍ରିୟାକୁ ଅଧିକ ଆଗକୁ ନେଇ ପାରିବ। ଆମ ବିରାଟ ଦେଶରେ ୨୩ କୋଟି ଡୋଜ ଟିକା ଦିଆ ସରିଲାଣି। ଆମେ ଦେଶରେ ଦୁଇ ପ୍ରକାର ଟିକା ଉତ୍ପାଦନ ହେବାରୁ ଆଜି ଏହି ସ୍ତରରେ ପହଞ୍ଚି ପାରିଛ। ଆଉ ଯଦି ଆମକୁ ବିଦେଶରୁ ଟିକା ଆଣିବାକୁ ପଡ଼ିଥାନ୍ତା, ତାହେଲେ ଆମେ ଏହି ସ୍ତରରେ ପହଞ୍ଚି ପାରି ନଥାନ୍ତେ।

Related Articles

Leave a Reply

Your email address will not be published.

Back to top button