ରୁଷ ଟିକା ସ୍ପୁଟନିକକୁ ଖୁବଶୀଘ୍ର ମଞ୍ଜୁରି

ନୂଆଦିଲ୍ଲୀ: ଚଳିତ ବର୍ଷ ଅକ୍ଟୋବର ସୁଦ୍ଧା ଭାରତ ସରକାର ଆଉ ୫ଟି କୋଭିଡ ଟିକାକୁ ମଞ୍ଜୁରି ଦେବା ପାଇଁ ଯୋଜନା କରୁଛନ୍ତି । ଦେଶରେ ଟିକାକରଣ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ପାଇଁ ଏଭଳି ଯୋଜନା କରାଯାଉଥିବା ଶୀର୍ଷ ସରକାରୀ ସୂତ୍ରରୁ ଜଣାପଡ଼ିଛି । ଭାରତ ଏବେ ୨ଟି ଟିକାକୁ ମଞ୍ଜୁରି ଦେଇଛି । ସିରମ ଇନଷ୍ଟିଚ୍ୟୁଟ ଦ୍ୱାରା ପ୍ରସ୍ତୁତ ଅକ୍ସଫୋର୍ଡ-ଆଷ୍ଟ୍ରାଜେନେକା ଟିକା କୋଭିସିଲଡ ଏବଂ ଭାରତ ବାୟୋଟେକ ଦ୍ୱାରା ପ୍ରସ୍ତୁତ କୋଭାକ୍ସିନ ହିଁ ଏବେ ଟିକାକରଣରେ ବ୍ୟବହାର ହେଉଥିବା ବେଳେ ଆଗକୁ ଆଉ ୫ଟି ଟିକା ଏଥିରେ ସାମିଲ ହେବ । ଖୁବଶୀଘ୍ର ରୁଷ ନିର୍ମିତ ଟିକା ‘ସ୍ପୁଟନିକ ଭି’କୁ ମଧ୍ୟ ମଞ୍ଜୁରି ମିଳିବ ବୋଲି ଜଣାପଡ଼ିଛି । ଭାରତରେ ଡ.ରେଡିଜ ସ୍ପୁଟନିକ ଟିକା ପ୍ରସ୍ତୁତ କରୁଛି ଏବଂ ସରକାର ଏହି ଟିକାକୁ ଆଗାମୀ ୧୦ ଦିନ ମଧ୍ୟରେ ମଞ୍ଜୁରି ଦେଇପାରନ୍ତି । ଏହା ବ୍ୟତୀତ ଜନସନ ଆଣ୍ଡ ଜନସନ ଟିକା, ସିରମ ଦ୍ୱାରା ପ୍ରସ୍ତୁତ ‘ନୋଭାଭାକ୍ସ’ ଟିକା, କାଇଡସ କାଡିଲା ଟିକା ଏବଂ ଭାରତ ବାୟୋଟେକ ଦ୍ୱାରା ପ୍ରସ୍ତୁତ ନାକରେ ଦିଆଯାଉଥିବା ଟିକା ଉପଲବ୍ଧ ହେବ । ଆମେରିକାର ଏ ପର୍ଯ୍ୟନ୍ତ ୧୭୯ ନିୟୁତ ଲୋକଙ୍କ ଟିକାକରଣ ସରିଥିବା ବେଳେ ଚୀନରେ ୧୬୧ ନିୟୁତ ଲୋକଙ୍କ ଟିକାକରଣ ହୋଇଛି । ଭାରତରେ ୧୦ କୋଟି ୩୦ ଲକ୍ଷରୁ ଅଧିକ ଲୋକ ଟିକା ନେଇସାରିଲେଣି । ଖୁବଶୀଘ୍ର ଦେଶରେ ଦୈନିକ ୫୦ ଲକ୍ଷରୁ  ଅଧିକ ଲୋକଙ୍କୁ ଟିକା ଦେବା ପାଇଁ ବ୍ୟବସ୍ଥା ହେବ ବୋଲି ଜଣାପଡ଼ିଛି ।

Related Articles

Leave a Reply

Your email address will not be published.

Back to top button