ରାଷ୍ଟ୍ରପତିଙ୍କୁ ପାରମ୍ପରିକ ଗାମୁଛା ଦେଇ ଓଡ଼ିଶା ଆମନ୍ତ୍ରଣ କଲେ ଧର୍ମେନ୍ଦ୍ର

ନୂଆଦିଲ୍ଲୀ/ଭୁବନେଶ୍ୱର: ଆସନ୍ତା ୨୧ ତାରିଖରେ ଓଡ଼ିଶା ଆସିବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ। ରାଉରକେଲା ଏନ୍‌ଆଇଟି ସମାବର୍ତ୍ତନ ଉତ୍ସବ ସମେତ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ। ଗସ୍ତ ସମୟରେ ରାଷ୍ଟ୍ରପତି ରାଉରକେଲାରେ ଥିବା ଆର୍‌ଏସ୍‌ପି ଦ୍ୱାରା ପରିଚାଳିତ ଇସ୍ପାତ ଜେନେରାଲ୍‌ ହସ୍ପିଟାଲର ନବନିର୍ମିତ ୨୦୦ ଶଯ୍ୟା ବିଶିଷ୍ଟ ସୁପର ସ୍ପେଶାଲିଟି ହସ୍ପିଟାଲ୍‌ର ଉଦ୍‌ଘାଟନ କରିବେ। ପରେ ରାଷ୍ଟ୍ରପତି ୨୨ରେ ପୁରୀ ଯାଇ ଶ୍ରୀଜିଉଙ୍କ ଦର୍ଶନ ଓ ପରେ କୋଣାର୍କ ମନ୍ଦିର ପରିଦର୍ଶନ କରିବେ। ଏହି ପରିପ୍ରେକ୍ଷୀରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଙ୍ଗଳବାର ରାଷ୍ଟ୍ରପତି ଭବନଠାରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ସାକ୍ଷାତ କରିବା ସହ ପାରମ୍ପରିକ ଗାମୁଛା ଦେଇ ଔପଚାରିକ ଭାବେ ଓଡ଼ିଶା ଗସ୍ତ ପାଇଁ ନିମନ୍ତ୍ରଣ କରିଛନ୍ତି। ସାକ୍ଷାତ ସମୟରେ ରାଷ୍ଟ୍ରପତିଙ୍କୁ ହାତବୁଣା ପାରମ୍ପରିକ ଗାମୁଛା ଭେଟି ଦେଇଛନ୍ତି। ଅନୁଗୁଳ ଆଠମଲ୍ଲିକର ଜଣେ ଦଳିତ କାରିଗରଙ୍କ ଦ୍ୱାରା ଏହି ଗାମୁଛା ତିଆରି ହୋଇଛି। ଅନ୍ୟପକ୍ଷରେ ରାଷ୍ଟ୍ରପତିଙ୍କ ଗସ୍ତକୁ ନେଇ ବ୍ୟାପକ ପ୍ରଶାସନିକ ପ୍ରସ୍ତୁତି ଆରମ୍ଭ ହୋଇଛି। ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ସୋମବାର ଲୋକସେବା ଭବନଠାରେ ଏକ ଉଚ୍ଚସ୍ତରୀୟ ବୈଠକ ବସିଛି। ରାଷ୍ଟ୍ରପତିଙ୍କ ପାଖକୁ ଯିବାକୁ ଥିବା ସମସ୍ତ ଅଧିକାରୀ, କର୍ମଚାରୀ ଓ ସେବା ଯୋଗାଣକାରୀଙ୍କର ଆର୍‌ଟିପିସିଆର୍‌ କୋଭିଡ୍‌-୧୯ ପରୀକ୍ଷା ନିଶ୍ଚିତ କରାଇବା ପାଇଁ ମୁଖ୍ୟ ଶାସନ ସଚିବ ସ୍ବାସ୍ଥ୍ୟ ବିଭାଗ ଓ ସମ୍ପୃକ୍ତ ଜିଲ୍ଲାର ଜିଲ୍ଲାପାଳଙ୍କୁ ନିର୍ଦେଶ ଦେଇଛନ୍ତି। ରାଉରକେଲାରେ ହେବାକୁ ଥିବା ଏନ୍‌ଆଇଟି ସମାବର୍ତ୍ତନ ଉତ୍ସବରେ ମଞ୍ଚରେ ବସିବାକୁ ଥିବା ଅତିଥି, ଶିକ୍ଷାବିତ ଏବଂ ମଞ୍ଚ ଉପରୁ କୌଣସି ପ୍ରକାର ପ୍ରମାଣପତ୍ର ବା ଡିଗ୍ରୀ ଆଦି ଗ୍ରହଣ କରୁଥିବା ଛାତ୍ରଛାତ୍ରୀମାନଙ୍କର କୋଭିଡ୍‌ ଟେଷ୍ଟ୍‌ କରାଇବା ପାଇଁ ମଧ୍ୟ ମହାପାତ୍ର ନିର୍ଦେଶ ଦେଇଛନ୍ତି। ବିମାନ ବନ୍ଦର, ଗସ୍ତକାଳ ଏବଂ ରହଣୀ ଆଦି ସମୟରେ ବିଭିନ୍ନ ସେବା ଯୋଗାଇବାକୁ ଉଦ୍ଦିଷ୍ଟ ଅଧିକାରୀ, ଗାଡ଼ିଚାଳକ ଏବଂ କର୍ମଚାରୀ ମାନଙ୍କର କୋଭିଡ୍‌ ଟେଷ୍ଟ କରାଇବାକୁ ମଧ୍ୟ ମୁଖ୍ୟ ଶାସନ ସଚିବ ନିର୍ଦେଶ ଦେଇଛନ୍ତି।

Related Articles

Leave a Reply

Your email address will not be published.

Back to top button