ରାଜ୍ୟରେ ଜୁଲାଇ ୧ ପର୍ଯ୍ୟନ୍ତ ଆଶିଂକ ଲକ୍‌ଡାଉନ୍‌

ଭୁବନେଶ୍ବର: ଆସନ୍ତାକାଲି ଶେଷ ହେଉଥିବା ତୃତୀୟ ପର୍ଯ୍ୟାୟ ଲକ୍‌ଡାଉନ୍‌ ଅବଧିକୁ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର। ରାଜ୍ୟରେ ଚତୁର୍ଥ ପର୍ଯ୍ୟାୟ ଲକ୍‌ଡାଉନ୍‌ ଜୁଲାଇ ୧ ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିବ। ଜୁଲାଇ ପହିଲା ପର୍ଯ୍ୟନ୍ତ ରାଜ୍ୟରେ ଲାଗୁ ହେବ ଆଂଶିକ ଲକ୍‌ଡାଉନ୍‌। ତେବେ ଚତୁର୍ଥ ପର୍ଯ୍ୟାୟ ଲକ୍‌ଡାଉନ୍‌କୁ କୋହଳ କରିଛନ୍ତି ରାଜ୍ୟ ସରକାର। ରାଜ୍ୟକୁ ଦୁଇଟି ଭାଗରେ ବିଭକ୍ତ କରି ଅଲଗା ଅଲଗା କଟକଣା ଲଗାଇଛନ୍ତି। ରାଜ୍ୟର ସମସ୍ତ ଜିଲ୍ଲାକୁ ୨ଟି କ୍ୟାଟୋଗୋରୀରେ ବିଭକ୍ତ କରିଛନ୍ତି। ସଂକ୍ରମଣ ହାର ୫ ପ୍ରତିଶତରୁ କମ୍ ଥିବା ଦକ୍ଷିଣ ଓ ପଶ୍ଚିମ ଓଡ଼ିଶା ୧୭ ଜିଲ୍ଲାମାନଙ୍କୁ ଏ କ୍ୟାଟୋଗୋରୀରେ ରଖାଯାଇଥିବା ବେଳେ ଅନ୍ୟ ୧୩ଟି ଜିଲ୍ଲାକୁ ବି କ୍ୟାଟୋଗୋରୀରେ ରଖାଯାଇଛି। ସଂକ୍ରମଣ କମିଥିବା ୧୭ ଜିଲ୍ଲାରେ ସକାଳ ୬ଟାରୁ ସନ୍ଧ୍ୟା ୫ଟା ଯାଏ କୋହଳ ହୋଇଥିବା ବେଳେ ୧୩ ଜିଲ୍ଲାରେ ସକାଳ ୬ରୁ ଦିନ ୧ଟା  ଯାଏ କଟକଣା କୋହଳ ହୋଇଛି। ସେହିପରି ସମସ୍ତ ଜିଲ୍ଲାରେ ଶପ୍ତାହାନ୍ତ ଶଟ୍‌ଡାଉନ୍ ଜାରି ରହିବ। ପୂର୍ବ ଭଳି ନାଇଟ୍ କର୍ଫ୍ୟୁ ବଳବତ୍ତର ରହିବ ବୋଲି ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର।

ମୁଖ୍ୟ ଶାସନ କହିଛନ୍ତି, ରାଜ୍ୟ ସରକାର ଏହି ଆଂଶିକ ଲକ୍‌ଡାଉନ୍‌କୁ ୨ଟି ବର୍ଗରେ ଭାଗ କରିଛନ୍ତି। ଏହା କାଟାଗୋରୀ-ଏ’ ଓ କାଟାଗୋରୀ-ବି’ରେ ଭାଗ କରାଯାଇଛି। କାଟାଗୋରୀ-ଏ’ରେ ସୁନ୍ଦରଗଡ଼, ଝାରସୁଗୁଡା, ବରଗଡ଼, ସମ୍ବଲପୁର, ଦେବଗଡ଼, କଳାହାଣ୍ଡି, ବଲାଙ୍ଗିର, ନୂଆପଡ଼ା, ସୁବର୍ଣ୍ଣପୁର, ଗଞ୍ଜାମ, ଗଜପତି, କନ୍ଧମାଳ, ବୌଦ୍ଧ, କୋରାପୁଟ, ନବରଙ୍ଗପୁର, ମାଲକାନଗିରି ଏବଂ ରାୟଗଡା ଜିଲ୍ଲା ରହିଛି। ଏହି ୧୭ଟି ଜିଲ୍ଲାରେ କୋଭିଡ ସଂକ୍ରମଣ ହ୍ରାସ ପାଇଛି। ତେଣୁ ରାଜ୍ୟ ସରକାର ଏହି ଜିଲ୍ଲା ଗୁଡ଼ିକରେ ଲକ୍‌ଡାଉନ୍‌କୁ ଅଧିକ କୋହଳ କରିଛନ୍ତି। ଏହି ସବୁ ଜିଲ୍ଲାଗୁଡ଼ିକରେ ସୋମବାରଠାରୁ ଶୁକ୍ରବାର ପର୍ଯ୍ୟନ୍ତ ସକାଳ ୬ଟା ଠାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ସମସ୍ତ ଦୋକାନ ଖୋଲା ରହିବ। କିନ୍ତୁ ମଲ୍‌, ଜିମ୍‌, ସେଲୁନ୍‌ ଓ ସ୍ପା ଆଦି ବନ୍ଦ ରହିବ। ଉଠା ଦୋକାନୀମାନେ ରାସ୍ତାକଡ଼ରେ ଖାଦ୍ୟ ଜିନିଷ ବିକ୍ରି କରିପାରିବେ। ତେବେ ଲୋକେ ସେଠାରେ ଛିଡ଼ା ହୋଇ ଖାଇପାରିବେ ନାହିଁ। ଲୋକେ ଏଠାରୁ ଜିନିଷ କିଣି ନେଇପାରିବେ। ସେହିପରି କାଟେଗୋରୀ-ବି’ରେ ଖୋର୍ଦ୍ଧା, ପୁରୀ, ନୟାଗଡ଼, କଟକ, କେନ୍ଦ୍ରାପଡ଼ା, ଜଗତ୍‌ସିଂହପୁର, ଯାଜପୁର, ଅନୁଗୁଳ, ଢେଙ୍କାନାଳ, ବାଲେଶ୍ବର, ଭଦ୍ରକ, ମୟୁରଭଞ୍ଜ ଏବଂ କେନ୍ଦୁଝର ଜିଲ୍ଲା ରହିଛି।  ଏହି ସବୁ ଜିଲ୍ଲାରେ ସୋମବାରଠାରୁ ଶୁକ୍ରବାର ପର୍ଯ୍ୟନ୍ତ  ସକାଳ ୬ଟାରୁ ଦିନ ୧ ପର୍ଯ୍ୟନ୍ତ ଦୋକାନ ବଜାର ଖୋଲା ରହିବ। ଏହି ସମୟ ମଧ୍ୟରେ ଆବଶ୍ୟକ ସାମଗ୍ରୀ ବିକ୍ରି ହେଉଥିବା ଦୋକାନ ଗୁଡ଼ିକ ଖୋଲା ରହିବ। ତେବେ ପୂର୍ବପରି ସପ୍ତାହାନ୍ତ ଶଟ୍‌ଡାଉନ୍‌ କଟକଣା ବଳବତ୍ତର ରହିବ ବୋଲି ସେ କହିଛନ୍ତି।

ମୁଖ୍ୟ ଶାସନ ସଚିବ କହିଛନ୍ତି, ଦୁଗ୍ଧ ଚାଷୀଙ୍କ ହିତ ପାଇଁ ସାରା ରାଜ୍ୟରେ ମିଠା ଦୋକାନ ଖୋଲିବାକୁ ଅନୁମତି ଦିଆଯାଇଛି। ସେହିପରି  ସକାଳ ୬ରୁ ୯ଟା ଯାଏ ସାରା ରାଜ୍ୟରେ ମର୍ଣ୍ଣିଂ ୱାକ୍‌, ଜଗିଂ ଓ ସାଇକେଲିଂ ପାଇଁ ଅନୁମତି ଦିଆଯାଇଛି। କିନ୍ତୁ ପାର୍କ ବନ୍ଦ ରହିବ। ନାଇଟ କର୍ଫ୍ୟୁ ଏବଂ ସପ୍ତାହାନ୍ତ ଶଟ୍‌ଡାଉନ୍‌ ବଳବତ୍ତର ରହିବ। ବିବାହ, ବ୍ରତଘର ପାଇଁ ଥିବା କଟକଣା ବଳବତ୍ତର ରହିବ। ସିନେମା ହଲ୍, ସେଲୁନ୍ ଓ ସ୍ପା ଆଦି ସାରା ରାଜ୍ୟରେ ବନ୍ଦ ରହିବ। ସେହିଭଳି ସାରା ରାଜ୍ୟରେ ମନ୍ଦିର ବନ୍ଦ ରହିବ। ମନ୍ଦିରରେ କେବଳ ନୀତିକାନ୍ତି ଚାଲିବ। ଯାତ୍ରା ଓ ଆଉଟ୍ ଡୋର୍ ଶୂଟିଂ ବନ୍ଦ ରହିବ। ସରକାରୀ ଓ ଘରୋଇ ଅଫିସ୍ ୫୦ ପ୍ରତିଶତ ଷ୍ଟାଫ୍‌ରେ କାର୍ଯ୍ୟ କରିପାରିବ ବୋଲି ମୁଖ୍ୟ ଶାସନ ସଚିବ କହିଛନ୍ତି। ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିବ। ଉଠା ଦୋକାନୀମାନେ ରାସ୍ତାକଡ଼ରେ ଖାଦ୍ୟ ଜିନିଷ ବିକ୍ରି କରିପାରିବେ। ତେବେ ଲୋକମାନେ ଖାଦ୍ୟ ଜିନିଷ ଦୋକାନ ସାମ୍ନାରେ ଖାଇ ପାରିବେ ନାହିଁ। କେବଳ ପାର୍ସଲ ନେଇ ପାରିବେ।

ସାଇକେଲ, ଗାଡ଼ି ବିକ୍ରି ଓ ମରାମତି ଦୋକାନ ଖୋଲା ରହିବ। ନିର୍ମାଣ ସାମଗ୍ରୀ ଦୋକାନ, ଇଲେକ୍ଟ୍ରିକ୍‌ ଦୋକାନ ଆଦି ଖୋଲା ରହିବ। କୃଷି ଉପକରଣ ଦୋକାନ ଖୋଲିବ। ପଡ଼ୋଶୀ ଛତିଶଗଡ଼ ଓ ଝାଡ଼ଖଣ୍ଡରେ କରୋନା ସଂକ୍ରମଣ ହ୍ରାସ ପାଇଥିବାରୁ ସେହି ଦୁଇ ରାଜ୍ୟର ସୀମାକୁ କଟକଣାମୁକ୍ତ କରାଯାଇଛି। ସେଠାରେ ଏବେ ଆଉ ଯା ଆସରେ କୌଣସି କଟକଣା ନାହିଁ। ତେବେ ଆନ୍ଧ୍ର ପ୍ରଦେଶରେ କୋରୋନା ସଂକ୍ରମଣ ଅଧିକ ରହିଥିବାରୁ ସେହି ରାଜ୍ୟକୁ ଲାଗିଥିବା ସୀମାକୁ ସିଲ୍‍ ବଳବତ୍ତର ରହିବ। ଅତ୍ୟାବଶ୍ୟକ ସାମଗ୍ରୀ ପରିବହନ ବ୍ୟବସ୍ଥାକୁ କଟକଣାମୁକ୍ତ ରଖାଯାଇଥିବାବେଳେ ବସ୍‍ ପରିବହନ ବ୍ୟବସ୍ଥା ଉପରେ କଟକଣା ଜାରି ରହିଛି।

ରାଜ୍ୟରେ କୋଭିଡ୍‌ ସଂକ୍ରମଣ ହ୍ରାସ ପାଇଛି। ପୂର୍ବରୁ ଯାହା ୧୫ ପ୍ରତିଶତ ଥିଲା, ଏବେ ତାହା ୬ ପ୍ରତିଶତକୁ ହ୍ରାସ ପାଇଛି। ଏଥି ପାଇଁ ରାଜ୍ୟବାସୀ ବହୁ ସହଯୋଗ କରିଛନ୍ତି। ଓଡ଼ିଶାରେ କୋଭିଡ୍‌ ପିକ୍‌ସ୍ତରରେ ଥିଲା। ଲୋକେ ସତର୍କ ରହିଲେ ଏହା ସଂପୂର୍ଣ୍ଣ ନିୟନ୍ତ୍ରଣକୁ ଆସିବ। ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ କରୋନା ସଂକ୍ରମଣ ହ୍ରାସ ପାଇଥିବା ବେଳେ ଉପକୂଳ ଓଡ଼ିଶାର କିଛି ଜିଲ୍ଲା ଗୁଡ଼ିକରେ ଶହ ଶହ ସଂକ୍ରମିତ ଚିହ୍ନଟ ହେଉଛନ୍ତି ବୋଲି ମୁଖ୍ୟ ସଚିବ କହିଛନ୍ତି। ତେବେ ଦୋକାନ ଖୋଲିବା ସହିତ ସେଠାରେ ଉଭୟ ବ୍ୟବସାୟୀ ଓ ଗ୍ରାହକମାନେ ଯେଭଳି କୋଭିଡ ମାର୍ଗଦର୍ଶିକା ଦୃଢ ଭାବେ ପାଳନ କରିବେ ସେଥିପାଇଁ ନିର୍ଦ୍ଦେଶ ଦିଆଯାଇଛି । କଟକଣା ନମାନିଲେ ତାହାକୁ ସିଲ୍‍ ପାଇଁ ଜିଲ୍ଲା ପ୍ରଶାସନ ଓ ପୌର ପ୍ରଶାସନକୁ କୁହାଯାଇଛି। ଏହି ସମୟରେ ସ୍ୱସ୍ଥ୍ୟ ସେବା ଓ ଟିକାକରଣ ସ୍ୱଭାବିକ ରହିବ ବୋଲି ମୁଖ୍ୟ ଶାସନ ସଚିବ କହିଛନ୍ତି।

Related Articles

Leave a Reply

Your email address will not be published.

Back to top button