ରଦ୍ଦ ହେବ ଗ୍ଲୋବାଲ୍‌ ଟେଣ୍ଡର୍‌ ପ୍ରକ୍ରିୟା

ଭୁବନେଶ୍ବର: କୋଭିଡ୍‌-୧୯କୁ ପ୍ରତିହତ କରିବା ଲାଗି ଟିକାକରଣକୁ ସର୍ବାଧିକ ଗୁରୁତ୍ୱ ଦିଆଯାଉଛି। ମାତ୍ର ବିଭିନ୍ନ କାରଣ ପାଇଁ ଦେଶରେ ଟିକାକରଣ ଠିକ୍‌ ଭାବେ ହୋଇପାରୁନାହିଁ। ଜନସଂଖ୍ୟା ବହୁଳ ରାଷ୍ଟ୍ର ଭାରତରେ ଅଦ୍ୟାବଧି ମାତ୍ର ୨୩ କୋଟି ଲୋକଙ୍କ ଟିକାଦାନ ସମ୍ଭବ ହୋଇପାରିଛି। ପୂର୍ବରୁ କେନ୍ଦ୍ର ସରକାର ୪୫ ବର୍ଷରୁ ଊର୍ଦ୍ଧ୍ୱ ବ୍ୟକ୍ତିଙ୍କ ପାଇଁ ମାଗଣା ଟିକା ଦିଆଯିବ ବୋଲି ଘୋଷଣା କରିଥିଲେ। ପରବର୍ତ୍ତୀ ସମୟରେ ୧୮ରୁ ୪୪ ବର୍ଷ ବର୍ଗଙ୍କ ପାଇଁ ଟିକା ଦିଆଯିବାର ନିଷ୍ପତ୍ତି ନିଆଯାଇଥିଲା। ହେଲେ ଏହି ବର୍ଗ ପାଇଁ ରାଜ୍ୟ ସରକାରଗୁଡ଼ିକ ଅର୍ଥ ବହନ କରିବାକୁ କୁହାଗଲା। ଏହାପରେ ରାଜ୍ୟ ସରକାରମାନେ ନିଜ ନିଜ ପ୍ରଚେଷ୍ଟାରେ ଟିକା ଆଣିବା ପାଇଁ ଉଦ୍ୟମ କରିଥିଲେ। ଓଡ଼ିଶା ସମେତ ବିଭିନ୍ନ ରାଜ୍ୟ ଗ୍ଲୋବାଲ୍‌ ଟେଣ୍ଡର୍‌ ମଧ୍ୟ ଆହ୍ବାନ କରିଥିଲେ। ମାତ୍ର ଟିକା କମ୍ପାନୀମାନେ ଗ୍ଲୋବାଲ୍‌ ଟେଣ୍ଡର୍‌ ପ୍ରକ୍ରିୟାରେ ସାମିଲ୍‌ ନ ହେବା ଏବଂ ବିଦେଶୀ ଟିକା କମ୍ପାନୀମାନେ ରାଜ୍ୟ ସରକାରଙ୍କ ସହ ଡିଲ୍‌ କରିବାକୁ ଅନିଚ୍ଚୁକ ଥିବାରୁ ସମସ୍ୟା ଉପୁଜିଥିଲା।

ଏହାପରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେଶର ସମସ୍ତ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ସବୁ ଟିକା କେନ୍ଦ୍ର କ୍ରୟ କରି ରାଜ୍ୟଗୁଡ଼ିକୁ ଯୋଗାଉ ବୋଲି କହିଥିଲେ। ଯାହାକୁ ମଧ୍ୟ କେତେକ ମୁଖ୍ୟମନ୍ତ୍ରୀ ସମର୍ଥନ କରି କେନ୍ଦ୍ର ସରକାରଙ୍କ ଉପରେ ଚାପ ପକାଇଥିଲେ। ଏହାପରେ କେନ୍ଦ୍ର ସରକାର ୧୮ରୁ ୪୪ ବର୍ଷ ବର୍ଗର ବ୍ୟକ୍ତିଙ୍କୁ ମାଗଣାରେ ଟିକା ଦେବାପାଇଁ ଗତକାଲି ଘୋଷଣା କରିଥିଲେ। ସମସ୍ତ ରାଜ୍ୟକୁ ମାଗଣାରେ ଟିକା ଯୋଗାଇ ଦିଆଯିବା ସହ ରାଜ୍ୟ ପାଇଁ ଆବଶ୍ୟକ ଟିକା କେନ୍ଦ୍ର କ୍ରୟ କରିବେ ବୋଲି ଘୋଷଣା କରିଛନ୍ତି। ଯାହା ଫଳରେ କୋଭିଡ୍‌ ଟିକା କିଣାକୁ ନେଇ ଲାଗି ରହିଥିବା ଟଣା ଓଟରାର ପରିସମାପ୍ତି ଘଟିଛି। ପ୍ରଧାନମନ୍ତ୍ରୀଙ୍କ ଏହି ଘୋଷଣା ପରେ ରାଜ୍ୟ ସରକାରଙ୍କ ପକ୍ଷରୁ ମାଗଣା ଟିକାକରଣ ପାଇଁ ମାସକ ତଳୁ ଆରମ୍ଭ ହୋଇଥିବା ଗ୍ଲୋବାଲ୍‌ ଟେଣ୍ଡର୍‌ ପ୍ରକ୍ରିୟାର ଆଉ ଆବଶ୍ୟକତା ପଡ଼ିବ ନାହିଁ। ଯାହା ଫଳରେ ଏହି ଗ୍ଲୋବାଲ୍‌ ଟେଣ୍ଡର୍‌ ପ୍ରକିୟା ରଦ୍ଦ ହୋଇଯିବ ବୋଲି ଜଣାପଡ଼ିଛି। ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅତିରିକ୍ତ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର କହିଛନ୍ତି, କେନ୍ଦ୍ର ସରକାରଙ୍କ ନିକଟରୁ ଚିଠି ଆସିବା ପରେ ଏ ନେଇ ନିଷ୍ପତ୍ତି ନିଆଯିବ।

Related Articles

Leave a Reply

Your email address will not be published.

Back to top button