ବେଙ୍ଗଲ ସୀମା ବ୍ୟାରିକେଡକୁ ନେଇ ଉତ୍ତେଜନା

ବାଲେଶ୍ୱର:ରାଜ୍ୟରେ ଭୟଙ୍କର ହେଉଛି କରୋନା ସ୍ଥିତି ।  ବଢୁଛି କରୋନାର କାୟା ।  ସ୍ଥିତି ହେଉଛି ବେକାବୁ । ଓଡ଼ିଶାରେ କରୋନା ମହାମାରୀର ମହାସମର ଆରମ୍ଭ ହୋଇଯାଇଛି । କରୋନା ଏବେ ଲମ୍ବ ଡିଆଁ ମାରି ଗୋଟିକ ପରେ  ଗୋଟିଏ ଜିଲ୍ଲାରେ ପ୍ରବେଶ କରିବା ସହ ଆତଙ୍କ ଖେଳାଇ ଚାଲିଛି । ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢି ଚାଲିଛି । ଏହାରି ଭିତରେ  ଏକ ବଡ଼ ଖବର ସାମନାକୁ ଆସିଛି । ତାହା ହେଲା ବାଲେଶ୍ୱର ଜିଲ୍ଲା ସୀମାନ୍ତ ବେଙ୍ଗଲ ସୀମା  ବ୍ୟାରିକେଡକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି । ଆଉ ଉତ୍ତେଜନା ପରେ ବ୍ୟାରିକେଡକୁ ଖୋଲି ଦିଆଯାଇଥିବା ଜଣାଯାଇଛି ।  ବାଲେଶ୍ୱର-ଦୀଘା ସୀମାନ୍ତ ଉଦୟପୁରରେ   ବ୍ୟାରିକେଡକୁ ନେଇ ଉତ୍ତେଜନାମୂଳକ ପରିସ୍ଥିତି ଦେଖିବାକୁ ମିଳିଛି ।   ବିନା ପୂର୍ବ ସୂଚନାରେ ସୀମା ସିଲ କରାଯିବାକୁ ନେଇ ଲୋକେ ତାତିଛନ୍ତି ।  ହଟ୍ଟଗୋଳ ଓ ପାଟିତୁଣ୍ଡ ପରେ ଅଧଘଣ୍ଟା ପାଇଁ ପୁଲିସ ସିଲ ହଟାଇଥିବା ଜଣାଯାଇଛି ।  ଭୋଗରାଇ ତହସିଲଦାର ଓ ବେଙ୍ଗଲ ପୁଲିସ ମଧ୍ୟରେ ଏନେଇ ଆଲୋଚନା ଜାରି ରହିଛି । ପ୍ରକାଶ ଯେ,  ପଶ୍ଚିମବଙ୍ଗରୁ ଓଡ଼ିଶା ଆସୁଥିଲେ ୧୪ ଦିନିଆ କ୍ବାରେଣ୍ଟାଇନ୍‌ ବାଧ୍ୟତାମୂଳକ କରିଛନ୍ତି ରାଜ୍ୟ ସରକାର। କିନ୍ତୁ ଯେଉଁମାନଙ୍କ ପାଖରେ ୪୮ ଘଣ୍ଟା ପୂର୍ବର ଆରଟିପିସିଆର ନେଗେଟିଭ୍ ରିପୋର୍ଟ ଏବଂ କୋଭିଡ-୧୯ ଟିକାର ୨ଟି ଡୋଜ୍‌ ନେଇଥିବା ପ୍ରମାଣପତ୍ର ଥିବ ସେମାନଙ୍କୁ ଗୃହ ସଂଗରୋଧରେ ରହିବାକୁ ଅନୁମତି ମିଳିବ। ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଗୁରୁବାର ଏହି ସୂଚନା ଦେଇଥିଲେ ।  ମୁଖ୍ୟ ଶାସନ ସଚିବ କହିଥିଲେ  ଯେ, ପଶ୍ଚିମବଙ୍ଗରେ ଦୈନିକ ୧୦,୦୦୦ ସଂକ୍ରମିତ ହେଉଛନ୍ତି। ତେଣୁ ପଶ୍ଚିମବଙ୍ଗ ସୀମାନ୍ତ ଜିଲ୍ଲାଗୁଡ଼ିକରେ ମଧ୍ୟ ଅଧିକ ଲୋକ କରୋନା ପଜିଟିଭ ଚିହ୍ନଟ ହେଉଛନ୍ତି। ପଶ୍ଚିମବଙ୍ଗରେ ଏବେ ସ୍ୱଦେଶୀ ଟ୍ରିପଲ-ମ୍ୟୁଟେସନ ବା ତିନିଥର ରୂପାନ୍ତରିତ ହୋଇଥିବା  ଭୂତାଣୁ (ବେଙ୍ଗଲ୍ ଷ୍ଟ୍ରେନ୍) ବ୍ୟାପୁଥିବା ନେଇ ଖବର ପ୍ରକାଶ ହେବା ପରେ ରାଜ୍ୟ ସରକାର ଅଧିକ ସତର୍କ ରହିଛନ୍ତି। ଏଣୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି ଯେ, ପଶ୍ଚିମବଙ୍ଗରୁ ଆସୁଥିବା ଲୋକଙ୍କୁ ୧୪ ଦିନ କ୍ବାରେଣ୍ଟାଇନ ରହିବାକୁ ପଡ଼ିବ।

Related Articles

Leave a Reply

Your email address will not be published.

Back to top button