ବିପର୍ଯ୍ୟୟ ମୁକାବିଲା ପାଠ ପଢ଼ିବେ ଛାତ୍ରଛାତ୍ରୀ, ତାଲିମ୍‌ ନେବେ ଜନ ପ୍ରତିନିଧି

ମନ୍ତ୍ରୀପରିଷଦ ବୈଠକରେ ସଙ୍କଳ୍ପ ପାରିତ

ଭୁବନେଶ୍ବର: ବିଜେଡି ସରକାରର ପଞ୍ଚମ ପାଳିର ଦ୍ୱିତୀୟ ବର୍ଷ ପୂର୍ତ୍ତି ଅବସରରେ ବସିଥିଲା ରାଜ୍ୟ ମନ୍ତ୍ରୀପରିଷଦ ବୈଠକ। ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଭର୍ଚୁଆଲ୍‌ ମୋଡ୍‌ରେ ଏହି ବୈଠକ ବସିଥିଲା। ଏହି ବୈଠକରେ ମୁଖ୍ୟମନ୍ତ୍ରୀ ଗତ ୨ ବର୍ଷ ମଧ୍ୟରେ ସରକାର ସାମ୍ନା କରିଥିବା ବାତ୍ୟା, ବନ୍ୟା ଓ କୋରୋନା ଭଳି ଚ୍ୟାଲେଞ୍ଜକୁ କିଭଳି ସଫଳତା ସହ ମୁକାବିଲା କରାଯାଇଛି ସେ ବିଷୟରେ ମନ୍ତ୍ରୀମାନଙ୍କୁ କହିଥିଲେ। ଏଥିସହିତ ବର୍ତ୍ତମାନ ସ୍ଥିତିରେ ରାଜ୍ୟରେ ଦେଖାଯାଇଥିବା ବିପର୍ଯ୍ୟୟ ଓ ମହାମାରୀର ମୁକାବିଲାକୁ କିଭଳି ଦକ୍ଷ ଓ ଦୃଢ଼ କରାଯିବ ସେ ନେଇ ମଧ୍ୟ ମୁଖ୍ୟମନ୍ତ୍ରୀ କହିଥିଲେ। ଏହାପରେ ମନ୍ତ୍ରିପରିଷଦ ବୈଠକରେ ଏ ସଂକ୍ରାନ୍ତରେ ଏକ ସଙ୍କଳ୍ପ ପାରିତ ହୋଇଛି। ଏଣିକି ପ୍ରତି ହାଇସ୍କୁଲ୍‌ ଓ କଲେଜ ଛାତ୍ରଛାତ୍ରୀମାନେ ମହାମାରୀ ପରିଚାଳନା ଠାରୁ ପ୍ରାକୃତିକ ବିପର୍ଯ୍ୟୟ ପର୍ଯ୍ୟନ୍ତ ସବୁ ବିଷୟରେ ଜ୍ଞାନ ଆହରଣ କରିବେ ଏବଂ ଏହା ସେମାନଙ୍କ ପାଠ୍ୟକ୍ରମର ଅଂଶବିଶେଷ ହେବ। ଏଥିସହ ମହାମାରୀ ଓ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନାର ବିଭିନ୍ନ ମୌଳିକ ଦିଗ ଉପରେ ପ୍ରତି ସରକାରୀ କର୍ମଚାରୀଙ୍କୁ ତାଲିମ୍‌ ଦିଆଯିବ। ପ୍ରାକୃତିକ ବିପର୍ଯ୍ୟୟ ଓ ମହାମାର ପରିଚାଳନା, ସରକାରୀ ଚାକିରୀ ଓ ନିଯୁକ୍ତି ପାଇଁ ଏକ ବାଧ୍ୟତାମୂଳକ ବିଷୟ ହେବ। ମୁଖ୍ୟମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ୱାର୍ଡ ମେମ୍ବର ପର୍ଯ୍ୟନ୍ତ ସବୁ ନିର୍ବାଚିତ ପ୍ରତିନିଧି ବିପର୍ଯ୍ୟୟ ଓ ମହାମାରୀ ପରିଚାଳନା ବିଷୟରେ ତାଲିମ୍‌ ନେବେ। ମିଶନ ଶକ୍ତି ଗୋଷ୍ଠୀ, ବନ ସୁରକ୍ଷା ସମିତି ଓ ଅନ୍ୟ ଗୋଷ୍ଠୀଭିତ୍ତିକ ସଂଗଠନ ଗୁଡ଼ିକୁ ମଧ୍ୟ ଏ ସମ୍ପର୍କରେ ତାଲିମ ଦିଆଯିବ ବୋଲି ସଙ୍କଳ୍ପ ପ୍ରସ୍ତାବ ପାରିତ ହୋଇଛି।

ସଙ୍କଳ୍ପ ସଂକ୍ରାନ୍ତରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଗତ ଦୁଇ ଦଶନ୍ଧି ମଧ୍ୟରେ ବିପର୍ଯ୍ୟୟ ମୁକାବିଲାରେ ଓଡ଼ିଶାର ଦକ୍ଷତା ସମ୍ପର୍କରେ ସାରା ବିଶ୍ବର ଦୃଷ୍ଟିଭଙ୍ଗୀ ବଦଳି ଯାଇଛି। ଦିନ ଥିଲା ଆମେ ଦୟାର ପାତ୍ର ଥିଲୁ। ଆଜି ଓଡ଼ିଶା ବିପର୍ଯ୍ୟୟ ପରିଚାଳନାରେ ଏକ ମଡେଲ୍‌ ହୋଇଛି ଏବଂ ସାରା ବିଶ୍ବରୁ ପ୍ରଶଂସା ସାଉଁଟିଛି। ‘ପ୍ରତ୍ୟେକ ଜୀବନ ମୂଲ୍ୟବାନ’। ଏହା ହିଁ ହେଉଛି ଏହି ପରିବର୍ତ୍ତନର ମୁଖ୍ୟ ଆଧାର। ଆମର ବିପର୍ଯ୍ୟୟ ପରିଚାଳନାରେ ଗୋଷ୍ଠୀ ସମ୍ପୃକ୍ତି ଗୁରୁତ୍ବପୂର୍ଣ୍ଣ ଭୂମିକା ନେଇଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। କୋଭିଡ-୧୯ ଆମ ସମସ୍ତଙ୍କ ପାଇଁ ଏକ ନୂଆ ବାସ୍ତବତା। ବାତ୍ୟା ଆସେ ଏବଂ ଯାଏ। କିନ୍ତୁ ଏହି ମହାମାରୀ ମାନବ ଜାତି ପାଇଁ ସଙ୍କଟର ଦୁଇଟି ନୂଆ ଦିଗ ଆଣିଛି। ଗୋଟିଏ ଦିଗ ହେଉଛି, ଏହି ସଙ୍କଟ କେତେବେଳେ ଆସିବ, କେତେବେଳେ ଯିବ, କେହି କହିପାରିବେ ନାହିଁ। ଦ୍ୱିତୀୟଟି ହେଉଛି, ଏହି ସଙ୍କଟି କେତେବେଳେ କି ପ୍ରକାର ରୂପ ନେବ, ତାହା ମଧ୍ୟ ଆକଳନ କରିବା ଅସମ୍ଭବ। ବର୍ତ୍ତମାନ ଆମ ପାଇଁ ସମୟ ଆସିଛି, ଆମକୁ ରାଜ୍ୟରେ ଜ୍ଞାନର ଏକ ବିସ୍ତୃତ ଭିତ୍ତିଭୂମି  ପ୍ରସ୍ତୁତ କରିବାକୁ ହେବ, ଯାହାଦ୍ବାରା କି ଆମେ ସମସ୍ତେ ନିଜକୁ ଜଣେ ଜଣେ ଯୋଦ୍ଧା ଭାବରେ ଗଢ଼ିପାରିବା ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ରାଜ୍ୟର ଜନସାଧାରଣଙ୍କୁ ବିପର୍ଯ୍ୟୟ ଓ ମହାମାରୀ ପରିଚାଳନା ସମ୍ପର୍କରେ ଉପଯୁକ୍ତ ଜ୍ଞାନ ଓ ଦକ୍ଷତାରେ ସଶକ୍ତ କରିବା ପାଇଁ ଏକ ସୁବ୍ୟବସ୍ଥିତ ତଥା ବିସ୍ତୃତ ତାଲିମ କାର୍ଯ୍ୟକ୍ରମ ଗ୍ରହଣ କରିବାକୁ ସଙ୍କଳ୍ପ ପାରିତ କରାଯାଇଛି। ଏହା ଓଡ଼ିଶାକୁ ବିପର୍ଯ୍ୟୟ ପରିଚାଳନାରେ ଏକ ଅଗ୍ରଣୀ ରାଜ୍ୟ ଭାବରେ ଗଢ଼ିତୋଳିବା ଏବଂ ବିପର୍ଯ୍ୟୟ, ଏହା ଜୈବିକ ବା ଜଳବାୟୁ ଜନିତ। ଯାହା ବି ହେଉ, ତାର ମୁକାବିଲା ପାଇଁ ଓଡ଼ିଶା ଭବିଷ୍ୟତରେ ସବୁବେଳେ ପ୍ରସ୍ତୁତ ରହିବ। ମୁଖ୍ୟତଃ ଆମର ଲକ୍ଷ୍ୟ ହେଉଛି ଯେକୌଣସି ବିପର୍ଯ୍ୟୟର ସମ୍ମୁଖୀନ ହେବା ପାଇଁ ଓଡିଶାର ଘରେ ଘରେ ଯୋଦ୍ଧା ସୃଷ୍ଟି କରିବା। ଏହି ମିଶନକୁ ଆଗେଇ ନେଇ ଓଡ଼ିଶାକୁ ପ୍ରାକୃତିକ ବିପର୍ଯ୍ୟୟ ଓ ମହାମାରୀ ପ୍ରତିରୋଧୀ ରାଜ୍ୟ ଭାବରେ ଗଢିତୋଳିବା ପାଇଁ ଏକ ଟ୍ୟାସ୍କଫୋର୍ସ ଗଠନ କରାଯିବ। ଭବିଷ୍ୟତରେ ଯେକୌଣସି ଜରୁରୀ ପରିସ୍ଥିତି ପାଇଁ ଏହା ହେବ ଆମର ସର୍ବ ବୃହତ ପ୍ରସ୍ତୁତି ବୋଲି କହିଛନ୍ତି।

ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି ଯେ ପଞ୍ଚମ ପାଳିର ସରକାର ଆରମ୍ଭ ହେବା ପୂର୍ବରୁ ମେ’ ୨୦୧୯ ରେ ଆମକୁ ଫନି ପରି ବାତ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥିଲା। ଗତ ଦୁଇ ବର୍ଷ ହେଲା ଆମେ ବାତ୍ୟା ଏବଂ କୋଭିଡ୍‌ ମହାମାରୀର ବିପର୍ଯ୍ୟୟକାରୀ ପ୍ରଭାବ ସାମ୍ନା କରି ଆସୁଛୁ। ସାରା ବିଶ୍ୱରେ ବିପର୍ଯ୍ୟୟ ପରିଚାଳନାରେ ଏକ ମଡେଲ୍‌ ଭାବରେ ସ୍ୱୀକୃତ ଓଡ଼ିଶା ଏ କ୍ଷେତ୍ରରେ ତାର ମାନବୀୟ ଦୃଷ୍ଟିଭଙ୍ଗୀ ଓ ଦକ୍ଷତା ପାଇଁ ସୁନାମ କରିଛି। ଅପରପକ୍ଷରେ ଏପର୍ଯ୍ୟନ୍ତ ଆମ ରାଜ୍ୟ କୋରୋନା ସଂକ୍ରମଣର ଦୁଇଟି ଲହରୀ ଦ୍ୱାରା ପ୍ରଭାବିତ ହୋଇସାରିଲାଣି। ଆମର ସ୍ୱାସ୍ଥ୍ୟସେବା ବ୍ୟବସ୍ଥାକୁ ସଠିକ୍ ଭାବରେ ପରିଚାଳନା କରିବାରେ ଆମେ ସକ୍ଷମ ହୋଇପାରିଛୁ ଏବଂ ସଂକ୍ରମଣର ପ୍ରସାର ଦ୍ୱାରା ଆମର ବ୍ୟବସ୍ଥା ଏପର୍ଯ୍ୟନ୍ତ ଅତ୍ୟଧିକ ଚାପର ସମ୍ମୁଖୀନ ହୋଇନାହିଁ। ପରିସ୍ଥିତିକୁ ନିୟନ୍ତ୍ରଣ କରିବାକୁ ଆମ ସରକାର ସବୁବେଳେ ଆଗୁଆ ପଦକ୍ଷେପ ନେଇଆସିଛନ୍ତି। କୋଭିଡ୍‌ ପରିଚାଳନାରେ ଆମକୁ ଆଗକୁ ଆହୁରି ପଥ ଅତିକ୍ରାନ୍ତ କରିବାକୁ ଅଛି। ବର୍ତ୍ତମାନ ଟିକାକରଣ ଉପରେ ଫୋକସ୍‌ କରିଛୁ। ଟିକାକରଣ ନିମନ୍ତେ ଆମର ସମ୍ବଳର ଉପଯୋଗ କରି ଆମର ଲୋକମାନଙ୍କୁ ଯେତେଶୀଘ୍ର ସମ୍ଭବ, ସୁରକ୍ଷିତ ରଖିବା ପାଇଁ ପଦକ୍ଷେପ ନେଇଛୁ।

Related Articles

Leave a Reply

Your email address will not be published.

Back to top button