ବିପଦ ସଂକେତ ଉପରେ ବୈତରଣୀ, କେନ୍ଦୁଝର-ମୟୂରଭଞ୍ଜ ବିଚ୍ଛିନ୍ନ

ଭୁବନେଶ୍ୱର : ବାତ୍ୟା ‘ୟାସ’ ପ୍ରଭାବରେ ରାଜ୍ୟର ଅନେକ ଅଂଚଳରେ ପ୍ରବଳ ବର୍ଷା ହୋଇଛି  । ଫଳରେ ଆନନ୍ଦପୁର ରାଜଘାଟ ନିକଟରେ ବୈତରଣୀ ବିପଦ ସଂକେତ ଉପରେ ରହିଛି  । ସେଠାରେ ବିପଦ ସଂକେତ ୩୮.୩୬୦ ମିଟର ଥିବାବେଳେ ଏବେ ଜଳସ୍ତର ୩୮.୫୫ ମିଟର ଉପରେ ରହିଛି  । ସେହିପରି ଏନଏଚ-୪୯ର ତୁରୁମୁଙ୍ଗା ନିକଟରେ ବୈତରଣୀ ପୋଲ ଉପରେ ପାଣି ପ୍ରବାହିତ ହେଉଛି  ।  ପ୍ରାୟ ୩ ଫୁଟର ବନ୍ୟାଜଳ ପ୍ରବାହିତ ହେଉଥିବାରୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି  । ଜାତୀୟ ରାଜପଥ ଉପରେ ପ୍ରବଳ ପାଣି ଚାଲୁଥିବାରୁ କେନ୍ଦୁଝର ଓ ମୟୂରଭଞ୍ଜ ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି  । ଅପରପକ୍ଷରେ ଶିମିଳପାଳ ଆଭ୍ୟନ୍ତରୀଣ ଅଂଚଳରେ ରେକର୍ଡ ପରିମାଣର ବର୍ଷା ହୋଇଛି  । ଫଳରେ ଅନେକ ନଦୀରେ ଜଳସ୍ତର ବୃଦ୍ଧି ପାଇଛି  । ମିଳିଥିବା ସୂଚନା ଅନୁଯାୟୀ, ଭଞ୍ଜବସାରେ ୩୮୨ ମିମି, ରାମତୀର୍ଥରେ ୩୫୭ ମିମି, ବରେହିପାଣିରେ ୩୩୧ ମିମି, କବାଟ ଘାଇରେ ୩୦୬ ମିିମି, ନଅଣାରେ ୨୭୮ ମିମି ବର୍ଷା ହୋଇଛି  । ଏହି ସବୁ ଅଂଚଳରେ ରେକର୍ଡ ପରିମାଣର ବର୍ଷା ହୋଇଥିବାନେଇ ଶିମିଳିପାଳ କର୍ତୃପକ୍ଷ ସୂଚନା ଦେଇଛନ୍ତି  । ଫଳରେ ଶିମିଳିପାଳରୁ ବାହାରିଥିବା ନଦୀରେ ବନ୍ୟା ସ୍ଥିତି ସୃଷ୍ଟିହୋଇଛି  । ଖଇରି, ଭଣ୍ଡନ, ଦେଓନଦୀ ଓ ବୁଢାବଳଙ୍ଗରେ ଜଳସ୍ତର ବୃଦ୍ଧି ପାଇଛି  । ନଦୀକୂଳିଆ ଅଂଚଳକୁ ଗତକାଲି ଠାରୁ ସ୍ଥାନାନ୍ତର କରାଯାଇଥିବାବେଳେ ରିଲିଫର ବ୍ୟବସ୍ଥା କରାଯାଇଥିବା ଜଣାପଡ଼ିଛି  ।

Related Articles

Leave a Reply

Your email address will not be published.

Back to top button