ବାତ୍ୟା ପ୍ରପୀଡ଼ିତଙ୍କୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ଘୋଷଣା

ଭୁବନେଶ୍ୱର: ବାତ୍ୟା ‘ୟସ୍’ର ପ୍ରଭାବରେ ସାରା ରାଜ୍ୟରେ ପ୍ରବଳ ବର୍ଷା ଓ ଝଡ ତୋଫାନ ହୋଇଛି । ବାତ୍ୟା ପ୍ରସ୍ତୁତି ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୂର୍ବରୁ ସ୍ଥିତି ସମୀକ୍ଷା କରିଥିବା ବେଳେ ବାତ୍ୟା ପରବର୍ତ୍ତୀ ସମୀକ୍ଷା କରିଛନ୍ତି । ସମୀକ୍ଷା ସମୟରେ ମୁଖ୍ୟମନ୍ତ୍ରୀ ଏକ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି । ବାତ୍ୟା ପ୍ରଭାବିତ ଜିଲ୍ଲାଗୁଡିକର ୧୨୮ ଗାଁର ଲୋକମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀ ୭ ଦିନର ରିଲିଫ୍ ଘୋଷଣା କରିଛନ୍ତି ।

ଏହି ସମୀକ୍ଷା ବୈଠକରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ବାତ୍ୟା ୟାସ ସମୟରେ ସମସ୍ତ ଲୋକଙ୍କୁ ବାତ୍ୟା ଆଶ୍ରୟସ୍ଥଳ ଓ ଅନ୍ୟାନ୍ୟ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବାରେ ଉଲ୍ଲେଖନୀୟ କାର୍ଯ୍ୟ ଓ ସହଯୋଗ ପାଇଁ ସମସ୍ତ ପଞ୍ଚାୟତ ପ୍ରତିନିଧି, ଜିଲ୍ଲା ପ୍ରଶାସନ, ନାଗରିକ ସଂଗଠନ,ଏନଡିଆରଏଫ, ଓଡ୍ରାଫ ଏବଂ ପୋଲିସ- ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

ସେହିପରି ବାତ୍ୟା ସମୟରେ ରୋଗୀ ମାନଙ୍କୁ ନିରବଚ୍ଛିନ୍ନ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେଇଥିବାରୁ ମୁଖ୍ୟମନ୍ତ୍ରୀ ଡାକ୍ତର ଓ ସ୍ବାସ୍ଥ୍ୟ କର୍ମୀ ମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଏହାସହିତ ଆସନ୍ତା ୨୪ ଘଣ୍ଟା ମଧ୍ୟରେ କ୍ଷତିଗ୍ରସ୍ତ ଜିଲ୍ଲାଗୁଡିକର ସମସ୍ତ ପ୍ରମୁଖ ରାସ୍ତା ଗୁଡିକ ଯୋଗାଯୋଗ ସ୍ୱାଭାବିକ କରାଯିବା ଏବଂ ୮୦ ପ୍ରତିଶତ ଅଞ୍ଚଳରେ ବିଦ୍ୟୁତ ପୁନଃସଂଯୋଗ ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ ।

ସେହିପରି ଅନ୍ୟ ରାଜ୍ୟ ମାନେ ଅକ୍ସିଜେନ ପାଇଁ ଓଡ଼ିଶା ଉପରେ ନିର୍ଭର କରୁଥିବାରୁ ବାତ୍ୟା ସମୟରେ ଅକ୍ସିଜେନ ଯୋଗାଣ ସୁରୁଖୁରୁରେ ଜାରି ରହି ଥିବାରୁ ମୁଖ୍ୟମନ୍ତ୍ରୀ ସନ୍ତୋଷ ପ୍ରକାଶ କରିଥିଲେ ଓ ଏହି କାର୍ଯ୍ୟ ସହ ସମ୍ପୃକ୍ତ ସମସ୍ତ ଙ୍କୁ ଧନ୍ୟବାଦ ଦେଇଥିଲେ ।

ବାତ୍ୟା ଷୟଷତି ସମ୍ପର୍କରେ ସୂଚନା ଦେଇ ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର କହିଥିଲେ ଯେ ବାତ୍ୟା ଯୋଗୁ ଉଚ୍ଚ ଜୁଆର ଆସି ଜଗତସିଂହପୁର, କେନ୍ଦ୍ରାପଡା, ଭଦ୍ରକ ଓ ବାଲେଶ୍ୱର ଜିଲ୍ଲାର ୧୨୮ ଗାଁ ଜଳମଗ୍ନ ହୋଇଛି । ବିଭିନ୍ନ ସ୍ଥାନରେ ଗଛ ଭାଙ୍ଗିବା ସହିତ ସଡକ, ବିଦ୍ୟୁତ ଓ ଟେଲି ଯୋଗାଯୋଗ ପ୍ରଭାବିତ ହୋଇଛି । ଏହି ସମୟରେ କୋଭିଡ ହସ୍‌ପିଟାଲ ଗୁଡିକରେ କିନ୍ତୁ ସ୍ୱାଭାବିକ ଭାବରେ ଚାଲିଥିଲା ବୋଲି ମୁଖ୍ୟ ଶାସନ ସଚିବ ସୂଚନା ଦେଇଥିଲେ ।

ସ୍ୱତନ୍ତ୍ର ରିଲିଫ କମିଶନର ଶ୍ରୀ ପି.କେ. ଜେନା ପ୍ରଭାବିତ ଜିଲ୍ଲା ଗୁଡିକରେ ଗ୍ରହଣ କରାଯାଇଥିବା ବିଭିନ୍ନ ପଦକ୍ଷେପ ସଂପର୍କରେ ସୂଚନା ଦେଇ କହିଲେ ଯେ ମୁଖ୍ୟମନ୍ତ୍ରୀ ଙ୍କ ନିର୍ଦ୍ଦେଶ ମତେ ଜନସାଧାରଣଙ୍କ ଜୀବନର ସୁରକ୍ଷା ପାଇଁ ସାଢେ ଛଅ ଲକ୍ଷରୁ ଅଧିକ ଲୋକଙ୍କୁ ବାତ୍ୟା ଆଶ୍ରୟ ସ୍ଥଳ ଓ ଅନ୍ୟାନ୍ୟ ନିରାପଦ ସ୍ଥାନକୁ ସ୍ଥାନାନ୍ତରିତ କରାଯାଇଛି ।

ବାତ୍ୟା ସମୟରେ ଘର ଭାଙ୍ଗିବା ଯୋଗୁ କୌଣସି ଲୋକ ମୃତାହତ ହୋଇଥିବାର ସୂଚନା ନାହିଁ ବୋଲି ସେ କହିଥିଲେ । କିନ୍ତୁ ବାଲେଶ୍ୱରରେ ଆଶ୍ରୟସ୍ଥଳରୁ ବାହାରକୁ ଯାଇଥିବା ଜଣେ ବ୍ୟକ୍ତି ଏବଂ କେନ୍ଦୁଝରରେ ଘରୁ ବାହାରକୁ ଯାଇଥିବା ଜଣେ ବ୍ୟକ୍ତି ଗଛ ପଡିବା ଯୋଗୁ ମୃତ୍ୟୁବରଣ କରିଥିବା ସୂଚନା ମିଳିଛି ବୋଲି ସେ କହିଥିଲେ । ରାସ୍ତା, ବିଜୁଳି, ପାନୀୟ ଜଳ ଓ ଟେଲି ଯୋଗାଯୋଗ ବ୍ୟବସ୍ଥାର ପୁନରୁଦ୍ଧାର ପାଇଁ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ୟମ ଜାରି ରହିଛି ଏବଂ ଖୁବଶୀଘ୍ର ପରିସ୍ଥିତି ସ୍ବଭାବିକ ହେବ ବୋଲି ସେ କହିଥିଲେ । ଗଛ ପଡିବା ଯୋଗୁ ରାସ୍ତା ଅବରୋଧ ଦୂର କରିବା ପାଇଁ ଓଡ୍ରାଫ, ଅଗ୍ନିଶମ ଓ ବନ ବିଭାଗ ନିରନ୍ତର ଭାବେ ଗଛ କାଟିବା କାର୍ଯ୍ୟରେ ନିୟୋଜିତ ଅଛନ୍ତି ବୋଲି ସେ ସୂଚନା ଦେଇଥିଲେ ।

ମୟୂରଭଂଜର କୁସୁମି ବ୍ଲକ୍‌ରେ ଏହି ସମୟରେ ସର୍ବାଧିକ ୩୦୫ ମିଲିମିଟର ଓ କେନ୍ଦ୍ରାପଡା ଜିଲ୍ଲାରେ ୨୧୦ ମିଲିମିଟର ବର୍ଷା ହୋଇଥିବା ସଂପର୍କରେ ସେ ସୂଚନା ଦେଇଥିଲେ। ମୁଖ୍ୟମନ୍ତ୍ରୀଙ୍କ 5 Tସଚିବ ଶ୍ରୀ ଭି କେ ପାଣ୍ଡିଆନ୍ ଆଲୋଚନା ସଂଯୋଜନା କରିଥିଲେ ।

Related Articles

Leave a Reply

Your email address will not be published.

Back to top button