ବାତିଲ ହେଲା ସିବିଏସଇ ଦ୍ବାଦଶ ପରୀକ୍ଷା

ନୂଆଦିଲ୍ଲୀ: ସବୁ ପ୍ରତିକ୍ଷାର ଅନ୍ତଃ ଘଟାଇ କେନ୍ଦ୍ର ସରକାର ଚଳିତ ବର୍ଷର ସିବିଏସଇ ଦ୍ବାଦଶ ପରୀକ୍ଷାକୁ ବାତିଲ କରିଛନ୍ତି। ଏଥିସହ ଆଇସିଏସଇ ଦ୍ବାଦଶ ପରୀକ୍ଷା ବି ବାତିଲ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ବସିଥିବା ଏକ ଉଚ୍ଚ ସ୍ତରୀୟ ବୈଠରେ ଏହି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ହୋଇଛି। ପୂର୍ବରୁ ବାତିଲ ହୋଇଥିବା ସିବିଏସଇ ଦଶମ ପରୀକ୍ଷା ପରି ଦ୍ବାଦଶ ପରୀକ୍ଷା ରେଜଲ୍ଟ ପାଇଁ ନିର୍ଦ୍ଧାରିତ ସମୟ ମଧ୍ୟରେ ସମସ୍ତଙ୍କ ପାଇଁ ଆଦୃତ ହେଲା ପରି ପଦ୍ଧତି ଆପଣାଇବାକୁ ସିବିଏସଇ କର୍ତ୍ତୃପକ୍ଷଙ୍କୁ କୁହାଯାଇଛି। ବର୍ତ୍ତମାନର ମହାମାରୀ ଭିତରେ ଦ୍ବାଦଶ ପରୀକ୍ଷା କରାଯିବା ସମ୍ଭବ ନୁହେଁ ବୋଲି ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ସହମତି ପ୍ରକାଶ ପାଇଥିଲା। ବୈଠକ ପରେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ଛାତ୍ରଛାତ୍ରୀଙ୍କ ସ୍ବାର୍ଥ ଓ ସେମାନଙ୍କ ସୁରକ୍ଷାକୁ ପ୍ରାଧାନ୍ୟ ଦିଆଯାଇ ନିଷ୍ପତ୍ତି ଏପରି ନିଷ୍ପତ୍ତି ନିଆଯାଇଛି।

ପ୍ରଧାନମନ୍ତ୍ରୀ ମୋଦୀ ଆହୁରି କହିଛନ୍ତି ଯେ କୋଭିଡ-୧୯ ଶିକ୍ଷା ବର୍ଷକୁ ପୂରା ପ୍ରଭାବିତ କରିଛି। ପିଲମାନେ ସ୍କୁଲ ଯାଇପାରି ନାହାନ୍ତି, କି ଶ୍ରେଣୀ ଗୃହରେ ବସି ପାଠ ପଢ଼ି ନାହାନ୍ତି। ତେଣୁ ଏପରି ସ୍ଥିତିରେ ସେମାନେ କିପରି ଭାବେ ଦ୍ବାଦଶ ପରୀକ୍ଷା ଦେଇ ଉଚ୍ଚ ଶିକ୍ଷା ପାଇଁ ଯୋଗ୍ୟତା ହାସଲ କରିବେ ଏହାକୁ ନେଇ ଦ୍ବନ୍ଦ୍ବ ଭିତରେ ରହି ଆସିଥିଲେ। କେବଳ ପିଲା ନୁହନ୍ତି, ସେମାନଙ୍କ ଅଭିଭାବକ ଓ ଶିକ୍ଷକ ବି ଚିନ୍ତାରେ ରହିଥିଲେ। ତେଣୁ ବର୍ତ୍ତମାନର ଚାପ ଭିତରେ ଛାତ୍ରଛାତ୍ରୀଙ୍କୁ ପରୀକ୍ଷା ଦେବା ପାଇଁ ଅଧିକ ଚାପଗ୍ରସ୍ତ କରିବା ଠିକ ହେବ ନାହିଁ। ଛାତ୍ରଛାତ୍ରୀଙ୍କ ସ୍ବାସ୍ଥ୍ୟ ଓ ନିରାପତ୍ତା ସବୁଠାରୁ ବେଶି ଗୁରୁତ୍ବପୂର୍ଣ୍ଣ ହୋଇଥିବାରୁ ପରୀକ୍ଷା ବାତିଲ କରାଗଲା ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

ଦେଶରେ କୋଭିଡ ସ୍ଥିତି କ୍ରମେ ସୁଧୁରୁଛି। କେତେକ ରାଜ୍ୟରେ ସଂକ୍ରମଣ କମି ଚାଲିଥିଲା ବେଳେ ଆଉ କେତେକ ରାଜ୍ୟ ସଂକ୍ରମଣ କମାଇବା ପାଇଁ କଣ୍ଟେନମେଣ୍ଟ ଓ ଲକଡାଉନ ଆଦି କରି ଚାଲିଛନ୍ତି। ଏହିପରି ସ୍ଥିତିରେ ଯଦି ପରୀକ୍ଷା କରାଯାଏ ତାହେଲେ ପିଲାମାନେ କିପରି ପରୀକ୍ଷା ଦେବେ ତାହାକୁ ନେଇ ସମସ୍ତେ ଦ୍ବନ୍ଦ୍ବ ଭିତରେ ରହିଥିଲେ। ତେଣୁ ଏପରି ସ୍ଥିତିରେ ପରୀକ୍ଷା କରି କୌଣସି ରିସ୍କ ନେବା ଠିକ ହେବ ନାହିଁ ବୋଲି ଉଚ୍ଚସ୍ତରୀୟ ବୈଠକରେ ସହମତି ପ୍ରକାଶ ପାଇଛି। ଏଥିସହ କେନ୍ଦ୍ର ସରକାର ପରୀକ୍ଷା ବାତିଲ ସମ୍ପର୍କରେ ସୁପ୍ରିମକୋର୍ଟଙ୍କୁ ମଧ୍ୟ ଅବଗତ କରିବେ ବୋଲି ସ୍ପଷ୍ଟ କରିଛନ୍ତି।

Related Articles

Leave a Reply

Your email address will not be published.

Back to top button