ବସ୍‌ ଧକ୍କାରେ ୧୩ ମୃତ

ଭୋପାଳ: ମଧ୍ୟପ୍ରଦେଶର ଗ୍ବାଲିୟରରେ ମଙ୍ଗଳବାର ସକାଳେ  ଏକ ବସ୍‌ ଧକ୍କାରେ ଗୋଟିଏ ଯାତ୍ରୀବାହୀ ଅଟୋ ଚୂରମାର୍‌ ହୋଇଯିବା ସହିତ ୧୨ ଅଙ୍ଗନୱାଡ଼ି କର୍ମୀଙ୍କ ସମେତ ୧୩ ଜଣଙ୍କ ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣାରେ ମୁଖ୍ୟମନ୍ତ୍ରୀ ଶିବରାଜ ଚୌହ୍ବାନ ଗଭୀର ଦୁଃଖ ପ୍ରକାଶ କରିବା ସହିତ ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କା ଲେଖାଏ ଅନୁକମ୍ପାମୂଳକ ସହାୟତା ରାଶି ଘୋଷଣା କରିଛନ୍ତି।

 

ସୂଚନା ଅନୁସାରେ, ଗ୍ବାଲିୟରର ପୁରୁଣା ଛାଭନୀ ଥାନା ଅଞ୍ଚଳରେ ଏହି ଦୁର୍ଘଟଣା ଘଟିଛି। ୧୨ ଜଣ ଅଙ୍ଗନୱାଡ଼ି କର୍ମୀ ଖାଦ୍ୟ ପ୍ରସ୍ତୁତ କରିବା ଲାଗି ଆସିଥିଲେ। କାମ ସରିବା ପରେ ସେମାନେ ୨ଟି ଅଟୋରେ ଘରକୁ ଫେରୁଥିଲେ। ରାସ୍ତାରେ ଗୋଟିଏ ଅଟୋ ଖରାପ ହୋଇଯାଇଥିଲା। ଫଳରେ ସମସ୍ତ ମହିଳା ଅନ୍ୟ ଅଟୋରେ ବସି ଘରକୁ ଯିବାକୁ ବାହାରିଥିଲେ। ଅଟୋ ଡ୍ରାଇଭର ଗାଡ଼ି ଷ୍ଟାର୍ଟ କରି ବାହାରିବା କ୍ଷଣି ସାମ୍ନା ପଟୁ ଆସୁଥିବା ଏକ ବସ୍‌ ତାହାକୁ ଧକ୍କା ଦେଇଥିଲା। ଦୁର୍ଘଟଣା ଯୋଗୁ ଅଟୋଟି ପୂରା ଚୂରମାର ହୋଇଯାଇଥିଲା। ଘଟଣାସ୍ଥଳରେ ୯ ମହିଳାଙ୍କ ସହିତ ଅଟୋ ଚାଳକଙ୍କ ମୃତ୍ୟୁ ଘଟିଥିଲା। ଅନ୍ୟ ୩ ମହିଳାଙ୍କୁ ପୁଲିସ ସ୍ଥାନୀୟ ଲୋକଙ୍କ ସହାୟତାରେ ଉଦ୍ଧାର କରି ହସ୍ପିଟାଲ ନେଇଥିଲା। ମାତ୍ର ସେଠାରେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ। ପୁଲିସ ଦୁର୍ଘଟଣାଗ୍ରସ୍ତ ଗାଡ଼ି ଦୁଇଟିକୁ ଜବତ କରି ତଦନ୍ତ ଚଳାଇଛି।

Related Articles

Leave a Reply

Your email address will not be published.

Back to top button