ପଶ୍ଚିମବଙ୍ଗ ବିଭାଜନ ପାଇଁ ବିଜେପି ଉଦ୍ୟମ କରୁଛି: ମମତା

କୋଲକାତା: ବିଜେପିର ଗୋଟିଏ ଗୋଷ୍ଠୀ ପଶ୍ଚିମବଙ୍ଗରୁ ନର୍ଥ ବେଙ୍ଗଲକୁ ଅଲଗା କରି ଏହାକୁ ଏକ କେନ୍ଦ୍ରଶାସିତ ଅଞ୍ଚଳରେ ପରିଣତ କରିବା ସକାଶେ ଉଦ୍ୟମ କରୁଛନ୍ତି। କିନ୍ତୁ ସେମାନଙ୍କ ଏହି ଉଦ୍ୟମକୁ କଦାପି ଫଳବତୀ ହେବାକୁ ଦିଆଯିବ ନାହିଁ ବୋଲି ସ୍ପଷ୍ଟ କରିଦେଇଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ଟିଏମସି ମୁଖ୍ୟ ମମତା ବାନାର୍ଜୀ। ରାଜ୍ୟରେ ବିଜେପି ନିଜର ଚେର ସଶକ୍ତ କରିବା ସକାଶେ କୌଣସି ପ୍ରକାର ‘ବିଭାଜନ ଓ ଶାସନ’ ପଦ୍ଧତିକୁ ସଫଳ ହେବାକୁ ଦିଆଯିବ ନାହିଁ। କାହା ସ୍ବାର୍ଥରେ ବିଜେପିର ଉକ୍ତ ଗୋଷ୍ଠୀ ନର୍ଥ ବେଙ୍ଗଲକୁ ଏକ କେନ୍ଦ୍ରଶାସିତ ଅଞ୍ଚଳରେ ପରିଣତ କରିବାକୁ ଉଦ୍ୟମ କରୁଛନ୍ତି ବୋଲି ମମତା ପ୍ରଶ୍ନ କରିଛନ୍ତି। ସେ ଆହୁରି ମଧ୍ୟ ପ୍ରଶ୍ନ କରିଛନ୍ତି ଯେ କେନ୍ଦ୍ରଶାସିତ ଅଞ୍ଚଳର ମାନେ କ’ଣ? କେନ୍ଦ୍ରଶାସିତ ଅଞ୍ଚଳର ଅର୍ଥ ସାଧାରଣ ଲୋକଙ୍କ ଅଧିକାର ହନନ କରିବା। କିନ୍ତୁ ବିଜେପିର ଉକ୍ତ ଗୋଷ୍ଠୀର ଏପରି ଉଦ୍ୟମକୁ ଆଦୌ ସଫଳ ହେବାକୁ ଦିଆଯିବ ନାହିଁ। ଅର୍ଥାତ୍ ପଶ୍ଚିମବଙ୍ଗକୁ କେହି ବି ଭାଗ ଭାଗ କରିପାରିବେ ନାହିଁ ବୋଲି ମମତା ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। ଅନ୍ୟପକ୍ଷରେ ବିଜେପି ପକ୍ଷରୁ ମମତାଙ୍କ ଏପରି ଆରୋପର ଉତ୍ତର ଦେବାକୁ ଯାଇ କୁହାଯାଇଛି ଯେ ମମତା ଯାହା ଅଭିଯୋଗ କରୁଛନ୍ତି, ସେଥିରେ ସାମାନ୍ୟତମ ସତ୍ୟତା ନାହିଁ। ବିଜେପି କଦାପି ବିାଭଜନ ଓ ଶାସନ ପଦ୍ଧତିରେ ବିଶ୍ବାସ କରେ ନାହିଁ। ତେଣୁ ପଶ୍ଚିମବଙ୍ଗକୁ ଭାଗ ଭାଗ କରିବାକୁ ବିଜେପି ଉଦ୍ୟମ କରୁଛି ବୋଲି ମମତା ଯେଉଁ ଅଭିଯୋଗ କରୁଛନ୍ତି, ତାହା ସମ୍ପୂର୍ଣ୍ଣ ଭିତ୍ତିହୀନ ବୋଲି ଜଳପାଇଗୁଡ଼ିର ଜଣେ ବିଜେପି ନେତା କହିଛନ୍ତି।

ସେ କହିଛନ୍ତି ଯେ ମମତା ଏପରି ଅଭିଯୋଗ କୌଣସି ନିର୍ଦ୍ଦିଷ୍ଟ ବ୍ୟକ୍ତିବିଶେଷଙ୍କୁ ଲକ୍ଷ୍ୟ କରି କରୁଥାଇପାରନ୍ତି। ଗତ ରବିବାର ଏପରି ଏକ ଦାବି ନେଇ ଭର୍ଚୁଆଲ୍ ବୈଠକ ଅନୁଷ୍ଠିତ ହୋଇଥିଲା ଓ ସଂସଦର ଆଗାମୀ ମୌସୁମୀ ଅଧିବେଶନରେ ଏହି ଦାବି ଉପସ୍ଥାପନ କରାଯିବ। କିନ୍ତୁ ପଶ୍ଚିମବଙ୍ଗକୁ ବିଭାଜନ କରାଯିବ ବୋଲି ଯାହା କୁହାଯାଉଛି, ତାହା ସମ୍ପୂର୍ଣ୍ଣ ଭୁଲ୍ ଓ ବିଜେପି ଏହାକୁ କଦାପି ସମର୍ଥନ କରିବ ନାହିଁ। ବିଗତ ଦିନରେ ଗୋର୍ଖାଲ୍ୟଣ୍ଡ୍ ପରି ଆନ୍ଦୋଳନର ସମ୍ମୁଖୀନ ହୋଇଛି। କିନ୍ତୁ ବିଜେପି ଏହା ଉପରେ କଦାପି କୌଣସି ଆଲୋଚନା କରିନାହିଁ କି ଏପରି କୌଣସି ବିଚ୍ଛିନ୍ନତାବାଦୀ ଚିନ୍ତାଧାରାରେ ବିଶ୍ବାସ କରେନି ବୋଲି ପଶ୍ଚିମବଙ୍ଗ ବିଜେପି ସାଧାରଣ ସମ୍ପାଦକ ସାୟନ୍ତନ ବାସୁ କହିଛନ୍ତି। ଅନ୍ୟପକ୍ଷରେ ଟିଏମସି ବିଜେପିର ଭାବମୂର୍ତ୍ତି ନଷ୍ଟ କରିବାକୁ ଉଦ୍ୟମ କରୁଛି ବୋଲି ବିଜେପି ରାଜ୍ୟ ଉପସଭାପତି ରାଜୁ ବାନାର୍ଜୀ କହିଛନ୍ତି। ସେହିପରି ବିଜେପିର ଜଳପାଇଗୁଡ଼ି ଉପସଭାପତି ଆଲୋକ ଚକ୍ରବର୍ତ୍ତୀ ଭର୍ଚୁଆଲ୍ ବୈଠକରେ ବିଜେପିର ନେତାମାନେ ଯୋଗଦେଇଥିଲେ ବୋଲି ସ୍ବୀକାର କରିଛନ୍ତି।

 

Related Articles

Leave a Reply

Your email address will not be published.

Back to top button