ପଶ୍ଚିମବଙ୍ଗ ଫେରନ୍ତାଙ୍କ ପାଇଁ କ୍ବାରେଣ୍ଟାଇନ୍‌ କୋହଳ

ଭୁବନେଶ୍ବର: ପଶ୍ଚିମବଙ୍ଗ ଫେରନ୍ତା ପାଇଁ ଲାଗୁ କ୍ୱାରେଣ୍ଟାଇନ୍ ନିୟମରେ ସାମାନ୍ୟ କୋହଳ କରିଛନ୍ତି ରାଜ୍ୟ ସରକାର। ଏଣିକି ୧୪ ଦିନ ପରିବର୍ତ୍ତେ ମାତ୍ର ୭ ଦିନ ପାଇଁ କ୍ୱାରେଣ୍ଟାଇନ୍‌ରେ ରହିବାକୁ ପଡ଼ିବ। ମାତ୍ର ପଶ୍ଚିମବଙ୍ଗ ଫେରୁଥିବା ଲୋକଙ୍କ ପାଖରେ ନେଗେଟିଭ୍‌ ରିପୋର୍ଟ କିମ୍ବା ଦୁଇଥର ଟିକା ନେଇଥିବା ରିପୋର୍ଟ ଥିବା ଦରକାର। ହୋମ୍ କ୍ୱାରେଣ୍ଟାଇନ୍‌ ସୁବିଧା ନ ଥିଲେ ସରକାରୀ କ୍ୱାରେଣ୍ଟାଇନ୍‌ରେ ରହିବେ। ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କ କାର୍ଯ୍ୟାଳୟରୁ ସଂଶୋଧିତ ନିୟମ ଜାରି କରାଯାଇଛି। ରାସ୍ତା, ବିମାନ ସହ ରେଳରେ ଆସୁଥିବା ଯାତ୍ରୀ ବି କ୍ୱାରେଣ୍ଟାଇନ୍‌ରେ ରହିବେ ବୋଲି କୁହାଯାଇଛି। ସେହିପରି ଗୁରୁତର ନ ଥିବା କୋରୋନା ଆକ୍ରାନ୍ତଙ୍କୁ ହସ୍ପିଟାଲ୍‌ ନ ଆସିବାକୁ ପରାମର୍ଶ  ଦିଆଯାଇଛି। ସେମାନେ ଘରେ ରହି ଚିକିତ୍ସିତ ହୋଇପାରିବେ ବୋଲି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି।

ସୂଚନାଯୋଗ୍ୟ ପଶ୍ଚିମବଙ୍ଗରୁ ଆସିଲେ ଓଡ଼ିଶାରେ କ୍ୱାରେଣ୍ଟାଇନ୍ ବାଧ୍ୟତାମୂଳକ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଥିଲା। ବିଧାନସଭା ନିର୍ବାଚନ ନେଇ ଏବେ ପଶ୍ଚିମବଙ୍ଗରେ ସଭା ସମିତି, ପ୍ରଚାର ରାଲି ଜାରି ରହିଛି। ସେଠାରେ ସଂକ୍ରମଣ ସଂଖ୍ୟା ମଧ୍ୟ ବୃଦ୍ଧି ଘଟିଛି। ଦୈନିକ ସଂକ୍ରମଣ ୧୦ ହଜାର ପରେ ଚିହ୍ନଟ ହେଉଛନ୍ତି।  ଏପରି ସ୍ଥଳେ ରାଜ୍ୟ ସରକାର ସୁରକ୍ଷା ଦୃଷ୍ଟିରୁ ଗତ ୨୨ ତାରିଖରେ ଏଭଳି କଟକଣା ଲାଗୁ କରାଯାଇଥିଲା। ଆଜି ସ୍ୱତନ୍ତ୍ର ରିଲିଫ କମିଶନରଙ୍କ ପକ୍ଷରୁ ସାନି ନିର୍ଦ୍ଦେଶନାମା ଜାରି କରାଯାଇଛି। ପଶ୍ଚିମବଙ୍ଗରୁ ଓଡ଼ିଶା ଆସିବାର ୪୮ଘଣ୍ଟା ପୂର୍ବରୁ ଯେଉଁମାନେ ଆର୍‌ଟିପିସିଆର କୋଭିଡ୍ ଟେଷ୍ଟ କରି ନେଗେଟିଭ୍‌ ରିପୋର୍ଟ ଆଣିଥିବେ ଅବା ପୁଣି ଦୁଇ ଡୋଜ୍ କୋଭିଡ୍ ଟିକା ନେଇଥିବେ ସେମାନେ ଓଡ଼ିଶା ପ୍ରବେଶ କରିବା ପରେ ୭ଦିନ ହୋମ୍ କ୍ୱାରେଣ୍ଟାଇନରେ ରହିବେ। ପୂର୍ବରୁ ସେମାନଙ୍କୁ ୧୪ଦିନିଆ କ୍ୱାରେଣ୍ଟାଇନରେ ରହିବା ପାଇଁ ସରକାର ନିର୍ଦେଶ ଦେଇଥିଲେ।

Related Articles

Leave a Reply

Your email address will not be published.

Back to top button