ପଶ୍ଚିମବଙ୍ଗରେ ହିଂସା

ଗୁଳିମାଡ଼ରେ ତୃଣମୂଳ କଂଗ୍ରେସର ୪ କର୍ମୀ ନିହତ

କୋଲ୍‌କାତା: ଆଜି ପଶ୍ଚିମବଙ୍ଗର କୁଚ୍‌ ବିହାର ଜିଲ୍ଲା ଅନ୍ତର୍ଗତ ଏକ ଭୋଟ୍‌ ବୁଥ୍‌ ବାହାରେ ସଂଘର୍ଷ ଘଟି ୪ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି।
ଶିତଳକୁଚି ଅଞ୍ଚଳ ଅନ୍ତର୍ଗତ ପଠାନତୁଲି ଭୋଟ୍‌ ବୁଥ୍‌ ବାହାରେ ଅଜ୍ଞାତ ଆତତାୟୀମାନେ ପ୍ରଥମ କରି ଭୋଟ୍‌ ଦେବାକୁ ଆସିଥିବା ଜଣେ ବ୍ୟକ୍ତିଙ୍କୁ ଗୁଳିମାରି ହତ୍ୟା କରିବା ପରେ ସଂଘର୍ଷର ସୂତ୍ରପାତ ହୋଇଥିଲା। ସଂଘର୍ଷରତ ବ୍ୟକ୍ତିମାନଙ୍କୁ ଘଉଡ଼ାଇବା ନିମନ୍ତେ ସେଣ୍ଟ୍ରାଲ୍‌ ଫୋର୍ସର ଯବାନମାନେ ଗୁଳି ଚଳାଇବାରୁ ୪ଜଣ ତୃଣମୂଳ କଂଗ୍ରେସ କର୍ମୀଙ୍କର ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ବେଙ୍ଗଲ୍‌ ‘ଏଡିଜିପି’ କହିଛନ୍ତି, ‘ସିଆଇଏସ୍‌ଏଫ୍‌’ କର୍ମଚାରୀଙ୍କୁ ସଂଘର୍ଷରତ ବ୍ୟକ୍ତିମାନେ ଆକ୍ରମଣ କରିବାରୁ ସେମାନେ ଗୁଳି ଚଳାଇବାକୁ ବାଧ୍ୟ ହୋଇଥିଲେ। ଭୋଟ୍‌ ଗ୍ରହଣ ଚାଲିଥିବା ବେଳେ ଆନନ୍ଦ  ବର୍ମନ୍‌ ନାମକ ସେ ଯୁବକଙ୍କୁ ୮୫ ନମ୍ବର ବୁଥ୍‌ ବାହାରକୁ ଟାଣି ଆଣି ଗୁଳି ମରାଯାଇଥିବା ଅଭିଯୋଗ ହୋଇଥିବା କଥା ଜଣେ ପୁଲିସ ଅଧିକାରୀ କହିଛନ୍ତି। ତୃଣମୂଳ କଂଗ୍ରେସ ଅଭିଯୋଗ କରିଛି ଯେ, ଏହି ହତ୍ୟାକାଣ୍ଡରେ ବିଜେପିର ହାତ ଅଛି। କିନ୍ତୁ, ବିଜେପି କହିଛି ଯେ, ମୃତବ୍ୟକ୍ତି ହେଉଛନ୍ତି ତାଙ୍କର (ବିଜେପି) ଏଜେଣ୍ଟ୍‌। ତାଙ୍କର ମୃତ୍ୟୁ ପାଇଁ ଶାସକ ଦଳ ଦାୟୀ। ଏସଂକ୍ରାନ୍ତରେ ନିର୍ବାଚନ କମିସନ୍‌ ରିପୋର୍ଟ ମାଗିଛି। ସୂଚନା ଅନୁସାରେ, ଦିନ ୧୧.୦୫ ସୁଦ୍ଧା ପଶ୍ଚିମବଙ୍ଗରେ ଚାଲିଥିବା ଚତୁର୍ଥ ପର୍ଯ୍ୟାୟ ଭୋଟ୍‌ ଗ୍ରହଣରେ ୧୬.୬୫% ଭୋଟ୍‌ ଦିଆଯାଇଛି।

Related Articles

Leave a Reply

Your email address will not be published.

Back to top button